ଦଳୀୟ ନେତାଙ୍କ ଟାର୍ଗେଟରେ ନବୀନ ! ବୈଷ୍ଣବ କହିଲେ ଓଡିଆ ଜାଣନ୍ତିନି ମୁଖ୍ୟମନ୍ତ୍ରୀ, ତେଣୁ ଶାସନ କରିବାର ଅଧିକାର ନାହିଁ

77

କନକ ବ୍ୟୁରୋ : ଓଡିଆ ଭାଷା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଦଳୀୟ ନେତା ତଥା ପୂର୍ବତନ ସାଂସଦ ବୈଷ୍ଣବ ପରିଡା । ପୂର୍ବତନ ସାଂସଦ ବୈଷ୍ଣବ ପରିଡା ଆଜି ନବୀନ ପଟ୍ଟନାୟକଙ୍କୁ ବାଣ ମାରିଛନ୍ତି । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଓଡିଆ ନ ଜାଣିଲେ ରାଜ୍ୟରେ ଶାସନ କରିବାର ଅଧିକାର ନାହିଁ । ମୁଖ୍ୟମନ୍ତ୍ରୀ ଓଡିଆ ଜାଣନ୍ତିନି । ଦୁର୍ଭାଗ୍ୟର କଥା ହେଲା, ନେତା, ମନ୍ତ୍ରୀଙ୍କ ସହିତ ଇଂରାଜୀ ଓ ଖଣ୍ଡି ହିନ୍ଦିରେ କଥା ହୁଅନ୍ତି । ତେଣୁ ନବୀନ ଶୀଘ୍ର ଗାଦି ଛାଡନ୍ତୁ ବୋଲି ପରୋକ୍ଷରେ ଦାବି କରିଛନ୍ତି ବୈଷ୍ଣବ ।ସମ୍ବଲପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏପରି କହିଛନ୍ତି । କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି ଅଫିସରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ବୈଷ୍ଣବ । ସେ କହିଛନ୍ତି, ଓଡିଆ ଶିଖିନଥିବା ମୁଖ୍ୟମନ୍ତ୍ରୀ ଓ ଅଫିସର ମାନେ ଓଡିଶାକୁ ଶାସନ କରୁଛନ୍ତି । ଯାହା ଦୁର୍ଭାଗ୍ୟପୂର୍ଣ୍ଣ । ପୂର୍ବରୁ ମଧ୍ୟ ଅନେକ ଥର ମୁଖ୍ୟମନ୍ତ୍ରୀଙ୍କ ଓଡିଆ ନକହିବାକୁ ନେଇ ପ୍ରଶ୍ନ ଉଠାଇସାରିଛନ୍ତି ବୈଷ୍ଣବ । ତେବେ ନବୀନଙ୍କୁ ନିଜ ଦଳର ସାଂସଦ ସମାଲୋଚନା କରିବା ଏବେ ଚର୍ଚ୍ଚାର ଖୋରାକ ଯୋଗାଇଛି ।

DAMA ROUT1ତେବେ ନବୀନଙ୍କୁ ଓଡିଆ ଭାଷା ନେଇ ବୈଷ୍ଣବ ଟାର୍ଗେଟ କରିବା ପରେ କାଉଣ୍ଟର ଆଟାକ କରିଛନ୍ତି ବରିଷ୍ଠ ନେତା ଦାମ ରାଉତ । ବୈଷ୍ଣବ ପରିଡାଙ୍କୁ କଡା ସମାଲୋଚନା କରିଛନ୍ତି ମନ୍ତ୍ରୀ ଦାମଦୋର ରାଉତ । ସାଂସଦ ପଦରୁ ଯିବା ପରେ ବୈଷ୍ଣବ ଏଭଳି କଥା କହୁଛନ୍ତି ବୋଲି ଦାମ କହିଛନ୍ତି । ତା’ଛଡା ଓଡିଆ ଭାଷାକୁ ନବୀନ ଯେତିକି ବୁଝିଛନ୍ତି ବୈଷ୍ଣବଙ୍କର ସେତିକି ଜ୍ଞାନ ନଥିବ ବୋଲି କହିଛନ୍ତି ଦାମ । ଏହା ସହିତ ମୁଖ୍ୟମନ୍ତ୍ରୀ ଶତକଡା ୧୦୦ ପ୍ରତିଶତ ଓଡିଆ ବୁଝି ପାରୁଛନ୍ତିି । ତେଣୁ ଲୋକ ତାଙ୍କୁ ୧୭ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରୁଛନ୍ତି ।

ତାଛଡା ବୈଷ୍ଣବ ପରିଡା ପ୍ରଥମେ କମ୍ୟୁନିଷ୍ଟ ଥିଲେ । ସୋଭିଏତ ଦେଶକୁ ଯାଇଥିଲେ । ତାପରେ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ । ସେତେବେେଳେ ସେ ନବୀନ ପଟ୍ଟନାୟକଙ୍କୁ ବିରୋଧ କରୁଥିଲେ । କିନ୍ତୁ ବିଜୁ ଜନତା ଦଳରେ ସାମିଲ ହେବା ପରେ ନବୀନ ତାଙ୍କ ପାଇଁ ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ପାଲଟି ଯାଇଥିଲେ । ଏପରି ଭାବେ ନବୀନଙ୍କୁ ଗୁଣଗାନ କରି ରାଜ୍ୟସଭା ସିଟ୍ ପାଇଥିଲେ । କିନ୍ତୁ ରାଜ୍ୟସଭା ପଦ ଯିବା ପରେ ଏବେ ସେ ଏମିତି ହେଉଛନ୍ତି ବୋଲି ଦାମ କହିଛନ୍ତି ।

କେବଳ ଦାମ ନୁହଁନ୍ତି ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ବୈଷ୍ଣବଙ୍କୁ ଜୋରଦାର ଆଟାକ କରିଛନ୍ତି । ସେ କହିଛନ୍ତି, ସାଢେ ୪ କୋଟି ଲୋକଙ୍କର ନେତା ହେଉଛନ୍ତି ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ । ଦୀର୍ଘ ୧୭ ବର୍ଷ ଧରି ସେ ଓଡିଶାକୁ ଶାସନ କରୁଛନ୍ତି । ବୈଷ୍ଣବ ପରିଡା ଦଳରେ ଅଛନ୍ତି କି ନାହିଁ ସେ କଥା ଜାଣିନାହିଁ । ତେଣୁ ନବୀନଙ୍କୁ ନେଇ କିଏ କଣ କହିଳା ସେଥିରେ ଦଳର କିଛି ଯାଏ ଆସେ ନାହିଁ । କିନ୍ତୁ ନବୀନଙ୍କ ବିରୋଧରେ ଏଭଳି କଥା କହିବା କେତେ ଦୂର ଯୁକ୍ତିଯୁକ୍ତ ତାହା ଦଳ ଠିକ୍ କରିବ ।
କିନ୍ତୁ ବୈଷ୍ଣବଙ୍କୁ ସାଥ ଦେଇଛି ବିଜେପି । ବୈଷ୍ଣବ ପରିଡା ସମାଲୋଚନା କରିନାହାନ୍ତି ବରଂ ସତ କହିଛନ୍ତି ବୋଲି ବିଜେପି କହିଛି । ବିଜୁ ଜନତା ଦଳର ପୂର୍ବତନ ସାଂସଦ ସତ କହିବାର ଯେଉଁ ସାହସ ଜୁଟାଇଛନ୍ତି ତାହା ଉଭୟ ଓଡିଶା ଓ ଓଡିଆ ଭାଷା ପାଇଁ ଅତ୍ୟନ୍ତ ଶୁଭଙ୍କର । ନବୀନ ଦୀର୍ଘ ୧୭ ବର୍ଷ ଧରି ବିକୃତ ଓଡିଆ କହି ଓଡିଶାବାସୀଙ୍କୁ ଠକି ଆସିଛନ୍ତି ବୋଲି ବିଜେପି କହିଛି ।

bjp-4804ତେବେ ପାଣିପାଗ ପରିବର୍ତ୍ତନ ଭଳି ବୈଷ୍ଣବଙ୍କ ଏହି ପରିବର୍ତ୍ତନକୁ ସହଜରେ କେହି ଗ୍ରହଣ କରି ପାରୁନାହାନ୍ତି । ଦଳରେ ରହି ଦଳୀୟ ନେତୃତ୍ୱଙ୍କ ବିରୋଧରେ କହିବା ପଛରେ ରାଜନୈତିକ ଗନ୍ଧ ବାରି ହୋଇଯାଉଛି । ବୈଷ୍ଣବଙ୍କ ଅଭିଯୋଗ ଅନୁଯାୟୀ, ନବୀନ ଓଡିଆ ଶିଖିନାହାନ୍ତି ତେଣୁ ଶାସନ କରିବାର ଅଧିକାର ତାଙ୍କର ନାହିଁ । କିନ୍ତୁ ବୈଷ୍ଣବ କିପରି ସେହି ନେତାଙ୍କ ଛତ୍ର ଛାୟା ତଳେ ରହି ଦୀର୍ଘ ବର୍ଷ ଧରି ରାଜନୀତି କରୁଥିଲେ ତାକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି । ପୂର୍ବରୁ ନବୀନଙ୍କୁ ପ୍ରଂଶସାରେ ପୋତି ପକାଉଥିବା ବୈଷ୍ଣବଙ୍କ ଏଭଳି ପରିବର୍ତନକୁ ସହଜରେ କେହି ଗ୍ରହଣ କରି ପାରୁ ନାହାନ୍ତି । ଏବେ ପ୍ରଶ୍ନ ଉଠୁଛି ନବୀନଙ୍କୁ ବିରୋଧ କରି ବୈଷ୍ଣବ ନିଜ ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରୁନାହାନ୍ତି ତ ? କାରଣ ଅନେକ ଦିନ ଧରି ବିଜେଡିରେ ଅଲୋଡା ହୋଇ ପଡି ରହିଥିଲେ ବୈଷ୍ଣବ ।