ରହସ୍ୟ ଘେରରେ ଗ୍ୟାଙ୍ଗଷ୍ଟର ଗର୍ଲଫ୍ରେଣ୍ଡର ହତ୍ୟା ମାମଲା । ୩ଦିନ ବିତିଯାଇଥିଲେ ସୁଦ୍ଧା ମିଳୁନି ଦିବ୍ୟା ପାହୁଜାଙ୍କ ମୃତ ଶରୀର

292

କନକ ବ୍ୟୁରୋ : ମଡେଲ ଦିବ୍ୟା ପାହୁଜାଙ୍କ ହତ୍ୟାକାଣ୍ଡକୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା । ଜାନୁଆରୀ ୨ ତାରିଖରେ ଦିବ୍ୟାଙ୍କୁ ହତ୍ୟା ହୋଇଥିବାବେଳେ ଏପର୍ଯ୍ୟନ୍ତ ହତ୍ୟାକାଣ୍ଡର କୌଣସି ଗୁମର ଖୋଲି ପାରୁନାହିଁ ଦିଲ୍ଲୀ ଗୁରୁଗ୍ରାମ ପୋଲିସ । ୨୭ ବର୍ଷୀୟ ମଡେଲ ଦିବ୍ୟା ପାହୁଜା ଜାନୁଆରୀ ଦୁଇ ତାରିଖରୁ ନିଖୋଜ ଥିବା ପ୍ରଥମେ ଦିବ୍ୟାଙ୍କ ପରିବାର ଲୋକେ ଅଭିଯୋଗ କଲେ । ପରେ ସେହି ଦିନ ବିଳମ୍ବିତ ରାତିରେ ଗୁରୁଗ୍ରାମ ପୋଲିସକୁ ସୂଚନା ମିଳିଲା ଯେ ଦିବ୍ୟାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ହୋଟେଲ ସିଟି ପଏଂଟ୍ ରୁମ୍ ନମ୍ବର ୧୧୪ରେ ଦିବ୍ୟାଙ୍କୁ ହତ୍ୟା କରାଯାଇଥିବା ପୋଲିସକୁ ସୂଚନା ମିଳିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ରୁମ୍ ନମ୍ବର ୧୧୪ ଯାଂଚ କରିଥିବାବେଳେ ହତ୍ୟାକାଣ୍ଡର କୌଣସି ସୁରାକ ପାଇ ନଥିଲା   । ପରେ ଏହା ଏକ ମିଛ ଖବର ଭାବି ସେଠାରୁ ପଳାଇଥିଲା ପୋଲିସ ।

ଯେଉଁସ୍ଥାନରୁ ପୋଲିସ ଫେରି ଆସିଥିଲା, ଠିକ୍ ସେହି ସ୍ଥାନରେ ହିଁ ଦିବ୍ୟାଙ୍କୁ କରାଯାଇଥିଲା ହତ୍ୟା । ଗୁରୁଗ୍ରାମ ହୋଟଲ ସିଟି ପଏଂଟର ସିସିଟିଭି ଫୁଟେଜ୍ରୁ ସବୁ ସତ ପଦାକୁ ଆସିଛି । ୨ ଜାନୁଆରୀ ଅର୍ଥାତ୍ ମଙ୍ଗଳବାର ସନ୍ଧ୍ୟାରେ ହୋଟେଲ ସିଟି ପଏଂଟ୍ ମାଲିକ ଅଭିଜିତ ସିଂହଙ୍କ ସହ ଦିବ୍ୟା ଓ ଅନ୍ୟଜଣେ ବ୍ୟକ୍ତି ହୋଟେଲକୁ ଆସିଥିଲେ । ରିସେସପସନ୍ରେ କିଛି ସମୟ କଥା ହେବା ପରେ ଭିତରକୁ ଚାଲିଯାଇଥିବା ଦେଖିବାକୁ ମିଳିଛି । ଏହାର କିଛି ଘଂଟା ପରେ ହୋଟେଲ କରିଡରରେ ଅଭିଜୀତ ଓ ତାଙ୍କ ସହଯୋଗୀ ଦିବ୍ୟାଙ୍କ ମୃତଦେହକୁ ଘୋଷାଡି ଘୋଷାଡି ନେଉଥିବା ସିସିଟିଭି ଫୁଟେଜ୍ରେ ଦେଖିବାକୁ ମିଳିଛି । ଆଉ ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ ଦିବ୍ୟା ପାହୁଜାଙ୍କୁ ହତ୍ୟା କରିଛନ୍ତି ଅଭିଜୀତ ସିଂହ । ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ଅଭିଜୀତ ଓ ତାଙ୍କ ଦୁଇ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ ।

ଦିବ୍ୟାଙ୍କ ହତ୍ୟା ନେଇ ପ୍ରଥମେ ପୋଲିସକୁ ଖବର ମିଳିଥିଲା । ହୋଟେଲ ସିଟି ପଏଂଟ୍ ରୁମ୍ ନମ୍ବର ୧୧୪ରେ ହତ୍ୟା ହୋଇଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ଖବର ପାଇ ତୁରନ୍ତ ସେଠାରେ ପୋଲିସ ପହଁଚିଥିଲା ସତ । ମାତ୍ର ୧୧୪ ନମ୍ବର ବୁଲି ଦେଖି ସେଠାରୁ ପଳାଇ ଯାଇଥିଲା । ହେଲେ ପ୍ରକୃତରେ ହତ୍ୟାକାଣ୍ଡ ଘଟିଥିଲା ରୁମ୍ ନମ୍ବର ୧୧୧ରେ । ଯାହା ହତ୍ୟାକାରୀକୁ ମୃତଦେହ ଠିକଣା ଲଗେଇବାକୁ ଦେଇଥିଲା ସୁବର୍ଣ୍ଣ ସୁଯୋଗ । ପୋଲିସ୍ ହୋଟେଲରୁ ଚାଲିଯିବା ପରେ ତୁରନ୍ତ ଅଭିଜୀତ ନିଜର କିଛି ସହଯୋଗୀଙ୍କୁ ଦିବ୍ୟାଙ୍କ ମୃତଦେହ ଠିକଣା ଲଗାଇବାକୁ କହିଥିଲେ । ଏଥିପାଇଁ ୧୦ ଲକ୍ଷ ଟଙ୍କା ଓ ନିଜ ବିଏମ୍ଡବ୍ଲ୍ୟୁ ଗାଡିର ଚାବି ବି ଦେଇ ଦେଇଥିଲେ ଅଭିଜୀତ । ସେହି ବିଏମ୍ଡବ୍ଲୁ ଗାଡି ହରିଆଣାରୁ ଜବତ ହୋଇ ଯାଇଛି । ମାତ୍ର ଦିବ୍ୟାଙ୍କ ମୃତଦେହର କୌଣସି ସୁରାକ୍ ମିଳିନାହିଁ । ଗାଡିରେ ରକ୍ତର କିଛି ବୁନ୍ଦା ମିଳିଛି ପୋଲିସକୁ ।

ଏ ଯୁବତୀ ଜଣଙ୍କ ହେଉଛି ଗ୍ୟାଙ୍ଗ୍୍ଷ୍ଟର ସନ୍ଦୀପ ଗୋଡଲିଙ୍କ ମହିଳା ବନ୍ଧୁ ଦିବ୍ୟା ପାହୁଜା । ଜଣେ ମଡେଲ ଭାବେ ପରିଚତ ଦିବ୍ୟା । ଫେବୃଆରୀ, ୨୦୧୬ରେ ମୁମ୍ବାଇର ଏକ ହୋଟେଲରେ ଗୋଡଲିଙ୍କୁ ଗୁରୁଗ୍ରାମ ପୁଲିସ ଏନକାଉଂଟର କରି ହତ୍ୟା କରିଥିଲା । ସେହି ସମୟରେ ଗ୍ୟାଙ୍ଗ୍୍ଷ୍ଟର ସନ୍ଦୀପଙ୍କ ସହ ଥିଲେ ତାଙ୍କ ଗାର୍ଲଫେଣ୍ଡ ଦିବ୍ୟା ପାହୁଜା । ପରେ ମୁମ୍ବାଇ ପୁଲିସକୁ ଦିବ୍ୟାର ଜିମା ଦିଆଯାଇଥିଲା । ୭ ବର୍ଷ ଜେଲରେ ରହିବା ପରେ ୬ ମାସ ତଳେ ଦିବ୍ୟା ଜାମିନରେ ଜେଲରୁ ମୁକୁଳିଥିଲେ । କିନ୍ତୁ ମଙ୍ଗଳବାର ରାତିରେ ହରିଆଣାର ଗୁରୁଗ୍ରାମରେ ଏକ ହୋଟେଲରେ ଦିବ୍ୟାକୁ ଗୁଳି କରି ହତ୍ୟା କରାଯାଇଛି ।