କନକ ବ୍ୟୁରୋ : ମିଳିଲେ ନିଖୋଜ ନେତା । ଆସ୍କାର ପୂର୍ବତନ ବିଧାୟକ ସରୋଜ ପାଢୀଙ୍କୁ ରାମେଶ୍ୱରମରୁ ଉଦ୍ଧାର କରାଯାଇଛି । ତାମିଲନାଡୁର ରାମେଶ୍ୱରମରେ ସରୋଜଙ୍କୁ ଠାବ କରିବା ପରେ ଆଜି ତାଙ୍କୁ ଭୁବନେଶ୍ୱର ଆଣିଛି କମିଶନରେଟ ପୋଲିସ । କ୍ୟାପିଟାଲ ଥାନା ଆଇଆଇସିଙ୍କ ସୂଚନା ମୁତାବକ, କମିଶନରେଟ ପୋଲିସର ଟିମ୍ ସରୋଜଙ୍କୁ ଭୁବନେଶ୍ୱର ଆଣୁଛି । ସରୋଜ ତାମିଲନାଡୁକୁ ବୁଲି ଯାଇଥିବା ବେଳେ ସେଠାରେ ତାଙ୍କର ମୋବାଇଲ ହଜି ଯାଇଥିଲା । ଯାହାଫଳରେ ଘର ସହ ଯୋଗାଯୋଗ କରିପାରିନଥିଲେ ସରୋଜ । ଯେଉଁଥିପାଇଁ ଥାନାରେ ପୂର୍ବତନ ବିଧାୟକ ନିଖୋଜ ଥିବା ନେଇ ମାମଲା ରୁଜୁ କରିଥିଲେ ।
ଗତ ୧୪ ତାରିଖ ରାତି ପାଖାପାଖି ସାଢ଼େ ୯ଟାରେ ସମୟରେ ସରୋଜଙ୍କ ପୁଅ ପାଖକୁ ଏକ ଅଜଣା ନମ୍ବରରୁ କଲ ଆସିଥିଲା । ଫୋନରେ ବାପାଙ୍କ ସ୍ୱର ଶୁଣି ଖୁସି ହୋଇଯାଇଥିଲେ । ତାମିଲନାଡ଼ୁ ରାମେଶ୍ୱରମର ଥିବା କହିଥିଲେ ସରୋଜ ପାଢ଼ୀ । କେହି ବ୍ୟସ୍ତ ହୁଅନି, ସେ ୨ ଦିନ ଭିତରେ ଘରେ ପହଂଚିବେ କହିଥିଲେ । ଫୋନ କଲ ନେଇ କ୍ୟାପିଟାଲ ଥାନା ପୁଲିସକୁ ମଧ୍ୟ ଅବଗତ କରାଯାଇଥିଲା । ନମ୍ବର ଟ୍ରାକିଂରୁ ଜଣାପଡ଼ିଥିଲା କି କଲ ଆସିଥିବା ନମ୍ବରଟି ଚେନ୍ନାଇର । ଏହା ପରେ ପୁଲିସର ଏକ ଟିମ୍ ସହ ତାଙ୍କ ପୁଅ ତାମିଲନାଡ଼ୁ ଯାଇଥିଲେ । ସେଠାରେ ତାଙ୍କୁ ଖୋଜାଖୋଜି କରି ଠାବ କରିବାରେ ସଫଳ ହୋଇଥିଲେ । ଆଉ ଆଜି ଘରେ ପହଞ୍ଚିଛନ୍ତି ସରୋଜ ।