ତେଜିଲା ପାଟ୍ଟଶାଣୀ ବିରୋଧୀ ମେଳି । ରଘୁଙ୍କୁ ପ୍ରାର୍ଥୀ କରିବା ସପକ୍ଷରେ ଶଙ୍ଖ ଭବନ ବାହାରେ ଶତାଧିକ ସମର୍ଥକ ଏକାଠି, ପ୍ରସନ୍ନ କହିଲେ ଗାଁକୁ ଗଲେ ମୋତେ କିଏ ଅଟକାଇବ?

796

କନକ ବ୍ୟୁରୋ : ଚିଲିକା ନିର୍ବାଚନ ମଣ୍ଡଳୀରୁ ପ୍ରସନ୍ନ ପାଟ୍ଟଶାଣୀ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିବା ପରେ ତୀବ୍ର ହୋଇଛି ବିବାଦ । ପ୍ରସନ୍ନଙ୍କୁ ବିରୋଧ କରିବା ପାଇଁ ଚିଲିକାର ଶତାଧିକ କର୍ମୀ ଶଙ୍ଖ ଭବନ ବାହାରେ ଏକଜୁଟ୍ ହୋଇଛନ୍ତି । ପ୍ରସନ୍ନ ପାଟ୍ଟଶାଣୀଙ୍କୁ ବିରୋଧ କରିବା ସହ ପ୍ରତିବାଦ କରିଛନ୍ତି ରଘୁ ସାହୁଙ୍କ ସମର୍ଥକ । ସେପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । କହିଛନ୍ତି ସପକ୍ଷ, ବିପକ୍ଷରେ ମୁଁ ବିଶ୍ୱାସ କରେନି । ଯାହା ନିର୍ଦ୍ଦେଶ ଦିଆଯିବ, ତାହାକୁ ପାଳନ କରିବି । ମୁଁ ମୋ ଗାଁକୁ ଯିବି, ମୋତେ କିଏ ଅଟକାଇବ ବୋଲି ପ୍ରଶ୍ନ କରିଛନ୍ତି ।

ଚିଲିକାରୁ ପାଟ୍ଟଶାଣୀଙ୍କ ପ୍ରାର୍ଥୀତ୍ୱକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପୂର୍ବତନ ବିଧାୟକ ରଘୁ ସାହୁଙ୍କ ସମର୍ଥକ ଏହାକୁ ବିରୋଧ କରିଛନ୍ତି । ଭୁବନେଶ୍ୱରରେ ପହଞ୍ଚି ଶଙ୍ଖ ଭବନ ଆଗରେ ପ୍ରତିବାଦ କରିଛନ୍ତି ରଘୁଙ୍କ ସମର୍ଥକ । ରଘୁଙ୍କୁ ୨୦୨୪ରେ ବିଜେଡି ଟିକେଟ ଦେଉ ବୋଲି କହିଛନ୍ତି ସମର୍ଥକ । ପ୍ରସନ୍ନ ପାଟ୍ଟଶାଣୀ ଦୀର୍ଘ ୫୦ ବର୍ଷ ହେବ ଚିଲିକା ଯାଇନାହାନ୍ତି ଭୁବନେଶ୍ୱରରେ ରହୁଛନ୍ତି ତେଣୁ ତାଙ୍କ ବଦଳରେ ରଘୁଙ୍କୁ ଚିଲିକାରୁ ପ୍ରାର୍ଥୀ କରାଯାଉ ବୋଲି ଦାବି କରିଛନ୍ତି ସମର୍ଥକ । ହାତରେ ପ୍ଲାକାର୍ଡ ଧରି ରଘୁ ସାହୁଙ୍କ ସପକ୍ଷରେ ନାରା ପକାଇଛନ୍ତି ସମର୍ଥକ ।