କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର କଟକଣା କୋହଳ ହେବା ପରେ ଏବେ ପ୍ରାର୍ଥୀଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି । ଗାଁ ଗଣ୍ଡାରେ ପ୍ରଚାରର ମାହୋଲ ଆହୁରି ସରଗରମ ହୋଇଛି । କର୍ମୀଙ୍କ ଜୟ ଜୟକାର ଭିତରେ ଘରକୁ ଘର ବୁଲି ନିଜ ସପକ୍ଷରେ ପ୍ରଚାର କରୁଛନ୍ତି ପ୍ରାର୍ଥୀ । ଆଉ ଏସବୁ ଭିତରେ ଲୋକଙ୍କ ସେବା କରିବାକୁ ପୁଣିଥରେ ପଞ୍ଚାୟତ ନିର୍ବାଚନ ମୈଦାନକୁ ପ୍ରାର୍ଥୀ ହୋଇ ଓହ୍ଲାଇଛନ୍ତି ପୂର୍ବତନ ବିଧାୟକ । ଚଳିତଥର ଅନେକ ପୂର୍ବତନ ବିଧାୟକ ନିଜ ରାଜନୈତିକ ଭବିଷ୍ୟତ ପାଇଁ ପଞ୍ଚାୟତ ପଡିଆକୁ ଓହ୍ଲାଇଛନ୍ତି । ଆଉ ଏହାରି ଭିତରେ ବିଜୁଙ୍କ ଅମଳର ଜଣେ ନେତା ମଧ୍ୟ ପଞ୍ଚାୟତ ପଲିଟିକ୍ସରେ ଏଣ୍ଟ୍ରି ମାରିଛନ୍ତି । ବିଜୁ ଅମଳର ଏହି ନେତା ଜଣକ ହେଉଛନ୍ତି ଭଣ୍ଡାରିପୋଖରୀର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଜେନା ।
ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଜେନା ଦୀର୍ଘ ବର୍ଷ ପରେ ପୁଣିଥରେ ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି । ଏଥର ବିଧାନସଭା ପ୍ରାର୍ଥୀ ଭାବେ ନୁହେଁ ବରଂ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦର ପ୍ରାର୍ଥୀ ଭାବେ ପଞ୍ଚାୟତ ରଣାଙ୍ଗନକୁ ଓହ୍ଲାଇଛନ୍ତି । ପ୍ରଫୁଲ୍ଲ ୧୫ ନମ୍ବର ଜୋନରୁ ବିଜେଡିର ଜ଼ିଲ୍ଲା ପରିଷଦ ପ୍ରାର୍ଥୀ ହୋଇଥିବା ବେଳେ ଦଳବଳ ଘେନି ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ଘର ଘର ବୁଲି ପ୍ରଚାର କରିବା ସାଙ୍ଗକୁ ପୁଣିଥରେ ଭରସିବାକୁ ନିବେଦନ କରୁଛନ୍ତି ପ୍ରଫୁଲ୍ଲ । ଏପିରିକ ବିଜୁ ଅମଳରେ ମଧ୍ୟ ଲୋକ ତାଙ୍କ ସହ ଥିଲେ ଆଉ ଏବେ ମଧ୍ୟ ଜନତା ତାଙ୍କ ସହ ଥିବା କହିଛନ୍ତି ପ୍ରଫୁଲ୍ଲ ।
୧୯୯୦ରେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ଭଣ୍ଡାରୀପୋଖରୀରୁ ସ୍ୱଗର୍ତ ଅର୍ଜୁନ ସେଠୀ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ. ପରେ ଅର୍ଜୁନ ସେଠୀ ଭଦ୍ରକ ଲୋକସଭା ଆସନରୁ ବିଜୟୀ ହେବା ପରେ ଖାଲି ପଡିଥିବା ଏହି ଆସନରୁ ୧୯୯୧ ମସିହାରେ ଜନତା ଦଳରୁ ପ୍ରଫୁଲ୍ଲ ଜେନା ବିଧାୟକ ହୋଇଥିଲେ । ତେବେ ଥରେ ମାତ୍ର ବିଧାୟକ ହେବାର ସୁଯୋଗ ପାଇଥିଲେ ପ୍ରଫୁଲ୍ଲ । ଏହାପରେ ବିଜେଡିରେ ସାମିଲ ହୋଇଥିଲେ ମଧ୍ୟ ଦଳ ତରଫରୁ ତାଙ୍କୁ ପ୍ରାର୍ଥୀ ହେବାକୁ ସୁଯୋଗ ମିଳିନଥିଲା । କିନ୍ତୁ ଦୀର୍ଘଦିନର ନୀରବତା ପରେ ଏବେ ପୁଣିଥରେ ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି ପ୍ରଫୁଲ୍ଲ ।