ହତ୍ୟାକାଣ୍ଡରୁ ବର୍ତ୍ତିବା ପାଇଁ କ୍ଷମତାକୁ ଢ଼ାଲ କରିଥିଲେ ଅନୁପ: ଡ୍ରାଇଭର କହିଲା, ଗୋଟିଏ ନୁହେଁ ବ୍ୟବହାର ହୋଇଥିଲା ୨ଟି ଗାଡ଼ି, ସାମିଲ ଅଛନ୍ତି ଏକାଧିକ, ଏପଟେ ଓଡ଼ିଶା ଆସି ଛତିଶଗଡ଼ ପୁଲିସର ଖୋଳତାଡ଼

547

କନକ ବ୍ୟୁରୋ: କୁହନ୍ତି, ଅପରାଧ ଲୁଚାଇବା ପାଇଁ ଅପରାଧୀ ହଜାରେ ଫନ୍ଦି ଫିକର କରେ, ହେଲେ ଅପରାଧୀ ଯେତେ ଧ୍ରୁତ ହେଉ ନା’ କାହିଁକି, ଯେଉଁଠି ନା କେଉଁଠି ଏଭଳି ପ୍ରମାଣ ଛାଡ଼ି ଯାଏ, ଯାହା ତାକୁ ଜେଲର କାଳ କୋଠରୁ ଟାଣି ଆଣେ । ଠିକ୍ ସେହିଭଳି ଘଟିଛି ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ କ୍ଷେତ୍ରରେ ।

ଅନୁପ ସାଏ, ସାଢ଼େ ୩ବର୍ଷର ପୁରୁଣା ମାମଲାକୁ ଏଭଳିି ଘାଂଟି-ଚକିଟି ରଖିଥିଲେ ଯେ, ତାଙ୍କୁ ଗିରଫ କରିବା ପାଇଁ ଛତିଶଗଡ଼ ପୁଲିସ୍କୁ ନାକେଦମ୍ ହେବାକୁ ପଡ଼ିଥିଲା । ଜେରା ପାଇଁ ବାରମ୍ବାର ନୋଟିସ୍ ପରେ ବି କର୍ଣ୍ଣପାତ କରୁନଥିଲେ ଅନୁପ ସାଏ । ରାଜନୈତିକ ଚାପ ପକାଇ, ପୁରା ମାମଲାକୁ ବାଟବଣା କରିବାକୁ ଭରପୁର ଉଦ୍ୟମ କରୁଥିଲେ ଅନୁପ ସାଏ । ଏମିତି କି ରାୟଗଡ଼କୁ ଓକିଲ ପଠାଇ ପୁଲିସ୍କୁ ଭ୍ରମିତ କରିବାକୁ ଏକାଧିକ ବାର ଚେଷ୍ଟା କରିଥିଲେ ଅନୁପ ସାଏ ।

ଯେତେବେଳେ ବାରମ୍ବାର ପୁଲିସ୍କୁ ଚକ୍ମା ଦେବା ପାଇଁ ଅନୁପ ସାଏ ଉଦ୍ୟମ କରିଥିଲେ, ଛତିଶଗଡ଼ ପୁଲିସ୍ ନାର୍କୋ ଟେଷ୍ଟ କରିବା ପାଇଁ ଆହ୍ୱାନ ଦେଇଥିଲା । ବାସ୍, ତା ପରେ ବଦଳିଗଲା ଅନୁପ ସାଏଙ୍କ ଆଭିମୁଖ୍ୟ । ୩-୩ଥରର ବିଧାୟକଙ୍କୁ ଗିରଫ କରିବା ପାଇଁ ସବୁ ପ୍ରକାର କୌଶଳ ଆପଣାଇଥିଲା ଛତିଶଗଡ଼ ପୁଲିସ୍ । ଆଉ ଏହିକ୍ରମରେ ତଥ୍ୟ ଓ ପ୍ରମାଣକୁ ଗୁରୁତ୍ୱ ଦେଇଥିଲା ପୁଲିସ୍ । ଆଉ ଯେତେବେଳେ ସମସ୍ତ ତଥ୍ୟ-ପ୍ରମାଣ ଯୋଗାଡ଼ ହୋଇଗଲା, ଅନୁପ୍ ସାଏଙ୍କୁ ବାନ୍ଧିବାକୁ ଆଉ କାଳବିଳମ୍ବ କରିନଥିଲା ପୁଲିସ୍ ।

ପ୍ରଭାବଶାଳୀ ବ୍ୟକ୍ତି ବିରୋଧରେ ପ୍ରମାଣ ଓ ସାକ୍ଷୀ ଯୋଗାଡ଼ କରିବା ପାଇଁ ଦିନରାତି ଏକ୍ କରି ଦେଇଥିଲା, ଛତିଶଗଡ଼ ପୁଲିସ୍ । କୌଣସି ଚାପକୁ ଖାତିର୍ ନକରି, ମୃତଦେହ ମିଳିବା ପରଠୁ ଲାଗି ପଡ଼ିଥିଲା ପୁଲିସ୍ । ଆଉ ଏବେ ପୁରା କାହାଣୀ ଆପଣଙ୍କ ସାମ୍ନାରେ । କିଭଳି କଳ୍ପନା ଦାସ ଓ ତାଙ୍କର ଝିଅକୁ ଛତିଶଗଡ଼ ସୀମାରେ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ ଅନୁପ ସାଏ ଏବଂ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ଗୋଟି ଗୋଟି କରି ସମସ୍ତ ଘଟଣା ଉପରୁ ପରଦା ହଟିଛି ।