ଶଯ୍ୟାଶାୟୀ ବିଜୁବାବୁଙ୍କ ଘନିଷ୍ଠ ମନ୍ତ୍ରୀ ସହରାଇ। ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ୫ ବର୍ଷ ହେଲା କାଟୁଛନ୍ତି ଜୀବନ। କେବେ ପଡିବ ରାଜ୍ୟ ସରକାରଙ୍କ ଦୃଷ୍ଟି

522

କନକ ବ୍ୟୁରୋ: ପୂର୍ବତନ ମନ୍ତ୍ରୀ ସହରାଇ ଓରାମ। ଦିନେ ସେ ଥିଲେ ବିଜୁବାବୁଙ୍କ ଏକାନ୍ତ ଘନିଷ୍ଠ। ହାତରେ ହାତ ମିଶାଇ ଚାଲୁଥିଲେ। କିନ୍ତୁ, ଆଜି ସେ ଅସୁସ୍ଥ। ୫ ବର୍ଷ ଧରି ଶଯ୍ୟାଶାୟୀ ଅବସ୍ଥାରେ କାଳାତିପାତ କରୁଛନ୍ତି। ତା’ ଭିତରେ ବି ବିଜୁବାବୁଙ୍କ ସହିତ ବିତେଇଥିବା ମୁହୂର୍ତ୍ତକୁ ମନେ ପକାଉଛନ୍ତି। ତାଙ୍କ ଉପରେ ରାଜ୍ୟ ସରକାରଙ୍କ ଦୃଷ୍ଟି ପଡ଼ୁନଥିବା ପରିବାର ଲୋକ କହିଛନ୍ତି।

ସହରାଇ ଓରାମ ଚମ୍ପୁଆ ନିର୍ବାଚନମଣ୍ଡଳୀରୁ ୫ ଥର ବିଧାୟକ ଓ ଦୁଇଥର ମନ୍ତ୍ରୀ। ଥରେ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ୭୭ ବର୍ଷରେ ପଦାର୍ପଣ କରିଥିବା ସହରାଇ ଓରାମ ୧୩ ବର୍ଷ ପୂର୍ବେ ଅସୁସ୍ଥ ହେବାରୁ ଅସ୍ତ୍ରୋପଚାର କରାଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନ୍ନତି ଦେଖାଦେଇଥିଲା। ଗତ ୫ ବର୍ଷ ହେବ ସେ ପକ୍ଷାଘାତରେ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ ହେଁ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁନାହିଁ। ତାଙ୍କର ଡାହାଣ ଗୋଡ଼ ଓ ବାମ ହାତ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି। ଉଚ୍ଚ ରକ୍ତଚାପ, ମଧୁମେହ ରୋଗ ମଧ୍ୟ ତାଙ୍କୁ କବଳିତ କରି ରଖିଛି ବୋଲି ଧର୍ମପତ୍ନୀ ପ୍ରକାଶ କରିଥିଲେ। ଗତ ୫ ବର୍ଷହେବ ସେ ଶଯ୍ୟାଶାୟୀ ହୋଇ ରହୁଛନ୍ତି। ଯଦିଓ ସେ ସମସ୍ତଙ୍କୁ ଚିହ୍ନି ପାରୁଛନ୍ତି, କଥା ସମ୍ପୂର୍ଣ୍ଣ ଅସ୍ପଷ୍ଟ ହେଉଥିବାରୁ ବୁଝି ହେଉନାହିଁ।

୧୯୪୨ ଜାନୁଆରି ୮ ତାରିଖରେ କେନ୍ଦୁଝର ଜିଲ୍ଲା, ବଡ଼ବିଲ ତହସିଲ, ଅସେଇଁକଳା ଗ୍ରାମପଞ୍ଚାୟତ ନୟାକୃଷ୍ଣପୁର(ତିତିରିବିଲ) ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ। ନିଜ ଗ୍ରାମରେ ପ୍ରାଥମିକ ଶିକ୍ଷାଲାଭ ପରେ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂଇଁ ଜିଲ୍ଲା, ଟାଟା ନଗର ମହାବିଦ୍ୟାଳୟ, ଚାଇଁବସାରେ ସ୍ନାତକ ପାଠ ଶେଷ କରିଥିଲେ। ପାଠପଢ଼ା ପରେ ସେ ଶିକ୍ଷକତା କରିଥିଲେ। ପରେ ପରେ ଶିକ୍ଷକତାକୁ ଛାଡ଼ି ରାଜନୀତିରେ ପ୍ରବେଶ କରିଥିଲେ।

୧୯୭୨ ମସିହାରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ନେତୃତ୍ବରେ ଉତ୍କଳ କଂଗ୍ରେସ ଦଳରୁ ପ୍ରଥମଥର ପାଇଁ ଚମ୍ପୁଆ ନିର୍ବାଚନମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ହୋଇ ନିର୍ବାଚିତ ହୋଇଥିଲେ। ରାଜ୍ୟ ସରକାରଙ୍କ ଖଣି ଉପମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଥିଲେ। ପ୍ରଥମ ପାଳିରେ ଖଣି ଉପମନ୍ତ୍ରୀ, ଦ୍ବିତୀୟ ପାଳିରେ ମତ୍ସ୍ୟ ବିଭାଗ, ନଗର ଉନ୍ନୟନ, ଜଳସେଚନ ବିଭାଗ ମନ୍ତ୍ରୀ ଦାୟିତ୍ବରେ ଥିଲେ। ତୃତୀୟ ପାଳିରେ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ। ଜନତା ଦଳ ସମୟରେ ପଣ୍ୟାଗାର ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ। ବିଜୁବାବୁଙ୍କ ଦେହାନ୍ତ ପରେ ପରିବର୍ତ୍ତିତ ବିଜୁ ଜନତା ଦଳ ଟିକଟରୁ ବଞ୍ଚିତ ହୋଇ ସ୍ବାଧୀନ ଭାବେ ଶ୍ରୀ ଓରାମ ୨୦୦୦ ରୁ ୨୦୦୪ ବିଧାୟକ ଭାବେ କାର୍ଯ୍ୟ କରିଥିଲେ। ସେ ସର୍ବାଧିକବାର କେନ୍ଦୁଝର ଜିଲ୍ଲା ଜନତା ଦଳର ସଭାପତି ଦାୟିତ୍ବ ତୁଲାଇଥିଲେ। ଜନତା ଦଳର ରାଜ୍ୟ ସମ୍ପାଦକ ଦାୟିତ୍ବ ମଧ୍ୟ ତୁଲାଇଥିଲେ। ଆହୁରି ମଧ୍ୟ ସେ ଜନତା ପାର୍ଟି, ଜନତା ଦଳ ତଥା ବିଜୁ ଜନତା ଦଳର ପ୍ରତିଷ୍ଠାତା ସଦସ୍ୟ ଥିଲେ। ବିଜୁବାବୁଙ୍କ ଅତି ଘନିଷ୍ଠ ତଥା ବିଶ୍ବାସୀ ଥିବା ପୂର୍ବତନ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଶ୍ରୀ ଓରାମ ୫ ବର୍ଷହେବ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଥିଲେ ହେଁ ରାଜ୍ୟ ସରକାରଙ୍କ ପକ୍ଷରୁ ଟିକିଏ ହେଲେ ବି ପଡ଼ୁନଥିବା ତାଙ୍କ ପରିବାର ଲୋକ କହିଛନ୍ତି। ତଥାପି, ବଡ଼ବିଲର ଭଦ୍ରାସାହିରେ ରହୁଥିବା ଶ୍ରୀ ଓରାମ ଏବେ ଅସୁସ୍ଥତା ଭିତରେ ବିଜୁବାବୁଙ୍କ ସହ ଥିବା ସ୍ମୃତିକୁ ମନେ ପକାଉଛନ୍ତି।