ବିଡିଏ ଅଧ୍ୟକ୍ଷ ପଦ ପାଇ ବିଜେଡି ବିଧାୟକ ପ୍ରାର୍ଥୀ ଟିକେଟ ରେସରୁ ବାଦ୍ ପଡିଲେ କି ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା? ବିଜେଡି ଶିବିରରେ ଜୋରଦାର ଚର୍ଚ୍ଚା

ବିଡିଏ ଅଧ୍ୟକ୍ଷ ପଦ ପାଇ ବିଜେଡି ବିଧାୟକ ପ୍ରାର୍ଥୀ ଟିକେଟ ରେସରୁ ବାଦ୍ ପଡିଲେ କି ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା? ବିଜେଡି ଶିବିରରେ ଜୋରଦାର ଚର୍ଚ୍ଚା

କନକ ବ୍ୟୁରୋ : ବିଜେଡି ବିଧାୟକ ପ୍ରାର୍ଥୀ ଟିକେଟ ରେସରୁ କଟିଲେ କି ପୂର୍ବତନ ମେୟର ଅନନ୍ତ ନାରାୟର ଜେନା? ଏଭଳି ଏକ ଚର୍ଚ୍ଚା ସେତେବେଳେ ଜୋର ଧରିଛି ଯେତେବେଳେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ମୁଖିଆ ଦାୟିତ୍ୱ ଅନନ୍ତଙ୍କ ହାତରେ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ନୂଆ ଦାୟିତ୍ୱ ବୁନୁଙ୍କ ବିଧାନସଭା ବାଟକୁ ବନ୍ଦ କରିଥିବା ଚର୍ଚ୍ଚା ହେଉଛି । କାରଣ ସ୍ମାର୍ଟ ସିଟି ଭୁବନେଶ୍ୱରର ଦୁଇ ଦୁଇଥର ମେୟର ହେବା ପରେ ବିଧାୟକ ହେବାର ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲେ ଅନନ୍ତ । ଏପରିକି ଏଥିପାଇଁ ଅଙ୍କକଷା ମଧ୍ୟ ଆରମ୍ଭ କରିଥିଲେ ବୁନୁ ।

ଭୁବନେଶ୍ୱର ମଧ୍ୟ ନଚେତ ଉତ୍ତର ଭଳି ଦୁଇଟି ଆସନ ମଧ୍ୟରୁ ଯେକୌଣସି ଗୋଟିଏ ଆସନରେ ବୁନୁ ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଏପରିକି ବୁନୁ ଏହି ଦୁଇ ଆସନରେ ବିଭିନ୍ନ କାର୍ଯ୍ୟକ୍ରମ କରିବା ସହ ନିଜର ସ୍ଥିତିକୁ ସୁଦୃଢ କରି ଆସୁଥିଲେ । କିନ୍ତୁ ନିର୍ବାଚନ ପୂର୍ବରୁ ବିଡିଏ ଅଧ୍ୟକ୍ଷ ପଦର ଦାୟିତ୍ୱ ଦେଇ ନବୀନ ବୁନୁଙ୍କୁ ନିର୍ବାଚନକୁ ଓହ୍ଲାଇବାକୁ ଇଚ୍ଛୁକ ନୁହଁନ୍ତି ବୋଲି କର୍ମୀମହଲରେ ଶୁଣିବାକୁ ମିଳୁଛି । କାରଣ ବିଡିଏ ଗଠନ ପରଠାରୁ ଏହାର ଦାୟିତ୍ୱ ବିଭାଗୀୟ ମନ୍ତ୍ରୀଙ୍କ ହାତରେ ରହୁଥିଲା । କିନ୍ତୁ ହଠାତ୍ ବୁନୁଙ୍କୁ ବିଡିଏ ଅଧ୍ୟକ୍ଷ ପଦରେ ବସାଇବା ପରେ ନିର୍ବାଚନ ପୂର୍ବରୁ ନେତା ସନ୍ତୁଷ୍ଟିକରଣ ଫର୍ମୁଲାରେ ତାଙ୍କୁ ସାମିଲ କରାଯାଇଥିବା ଚର୍ଚ୍ଚା ହେଉଛି ।

ପୂର୍ବରୁ ଅନେକ ଗୁଡିଏ ଘଟଣାରେ ବିବାଦୀୟ ହୋଇପଡିଥିବା ଅନନ୍ତଙ୍କୁ ଦଳ ନିର୍ବାଚନରେ ଲଢାଇ କୌଣସି ରିସ୍କ ନେବାକୁ ଚାହୁଁନାହିଁ ବୋଲି ବିଜେଡିର ଅନ୍ଦରମହଲରେ ଶୁଣିବାକୁ ମିଳୁଛି । ଯଦି ଅନନ୍ତଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ବିଜେଡି ମୈଦାନକୁ ଓହ୍ଳାଏ ତେବେ ବିରୋଧୀ ଦଳ ଗୁଡିକ ପାଇଁ ଏହା ବହ୍ମାସ୍ତ୍ର ଭାବେ କାମ କରିବ । ଯାହା ଦଳ ପାଇଁ ବୁମେରାଂ ହୋଇପାରେ ବୋଲି ଭାବୁଛନ୍ତି ବିଜେଡିର ଥିଙ୍କଟ୍ୟାଙ୍କ୍ । ତେଣୁ ଅନନ୍ତଙ୍କୁ ବିଡିଏ ମୁଖିଆର ଦାୟିତ୍ୱ ଦେଇ ନିର୍ବାଚନ ଲଢେଇବାରୁ ଦୂରେଇ ରଖିବା ସହ ଥଇଥାନ କରାଯାଇଥିବା ଚର୍ଚ୍ଚାଳ ହେଉଛି । ତେବେ ନିଯୁକ୍ତି ମିଳିବା ପରେ ପୂର୍ବତନ ମେୟର ଅନନ୍ତ ଜେନା କହିଛନ୍ତି, ମୁଖ୍ୟମନ୍ତ୍ରୀ ଦେଇଥିବା ଦାୟିତ୍ୱ ସୂଚାରୁରୂପେ ନିର୍ବାହ କରିବି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe