କନକ ବ୍ୟୁରୋ: ମିଳିଲାନି ଟିକେଟ୍ । ରାତାରାତି ଦଳ ବଦଳାଇଲେ ନେତା । କାଲି କହୁଥିଲେ ବିଜେଡି ଟିକେଟ୍ ପାଇ ଆସନ୍ତା ୨୪ରେ ନାମାଙ୍କନ ପତ୍ର ଦାଖଲ କରିବେ । ହେଲେ ଟିକେଟ୍ ନପାଇବା ପରେ ରାତା ରାତି ବିଜେଡି ଛାଡି ବିଜେପିରେ ମିଶିଛନ୍ତି କୋରାପୁଟ୍ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା ।

Advertisment

ଗତକାଲି ଲକ୍ଷ୍ମୀପୁର ବିଧାନସଭା ଆସନ ପାଇଁ ବିଜେଡି ପ୍ରଭୁ ଜାନୀଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଦଳରୁ ଇସ୍ତଫା ଦେଇଥିଲେ କୈଳାଶ କୁଲେସିକା । ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ନିଜ ଇସ୍ତଫା ପତ୍ର ପଠାଇଥିଲେ । ଏଥିରେ ସେ ଉଲ୍ଲେଖ କରିଥିଲେ ଯେ, ଦଳ ତାଙ୍କ କଠିନ ପରିଶ୍ରମର ମୂଲ୍ୟ ବୁଝି ପାରିଲା ନାହିଁ । ଏହାକୁ ନେଇ ସେ ଦଳ ଛାଡିଥିବା କହିଛନ୍ତି କୁଲେସିକା । କେବଳ ସେତିକି ନୁହେଁ ରାତାରାତି ବିଜେପିରେ ମଧ୍ୟ ଯୋଗ ଦେଇଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବିଜେପି ନେତା ଅରିନ୍ଦମ ରାୟଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି । ଆଜି ନିଜ ସମର୍ଥକଙ୍କୁ ନେଇ ଦଳରେ ବିଦ୍ଧିବଦ୍ଧ ଭାବେ ଦଳରେ ଯୋଗ ଦେବେ ବୋଲି କହିଛନ୍ତି ।

୨୦୧୪ରେ କୈଳାଶ କଂଗ୍ରେସ ଟିକେଟରେ ଲକ୍ଷ୍ମୀପୁର ବିଧାନସଭା ଆସନରୁ ଜିତି ବିଧାୟକ ହୋଇଥିଲେ । ଗତ ନିର୍ବାଚନରେ ପୁଣିଥରେ କଂଗ୍ରେସ ଟିକଟରୁ ଲଢି ୨୫୦ ଭୋଟରେ ହାରି ଯାଇଥିଲେ । କୈଳାଶ ବିଜେପିରେ ଯୋଗଦେବା ପରେ ରାଜନୀତିରେ ରୋଚକ ହେବ ବୋଲି କୁହାଯାଉଛି ।