ଗରିବ ବ୍ୟବସାୟୀର ଦୋକାନ ଭାଙ୍ଗିଲେ ଆଇଏଏସ ଅଧିକାରୀଙ୍କ ଝିଅ, ଭିଡିଓ ହେଉଛି ଭାଇରାଲ

373

କନକ ବ୍ୟୁରୋ : ବଡ ବଡ କୋଠା ଘରେ ରହି ବିଳାଶମୟ ଜୀବନ ବିତାଉଥିବା ଲୋକମାନେ କେବେ ବସ୍ତିରେ ରହୁଥିବା ଲୋକର ଦୁଃଖ ବୁଝପାରନ୍ତି ନାହିଁ । ଏକଥା ଆମେ ଅନେକ ପୁସ୍ତକରୁ ପଢିଛୁ । ହେଲେ ବାସ୍ତବରେ ଏହାର ସତ୍ୟତା ଦେଖାଇଛନ୍ତି ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଶଙ୍କରଲାଲଙ୍କ ଝିଅ । ଶଙ୍କରଲାଲଙ୍କ ଝିଅ ବୃତ୍ତିରେ ଜଣେ ଡାକ୍ତର । ହେଲେ ସେ ଯାହା କରିଛନ୍ତି ଏବେ ତାଙ୍କ ସହ ତାଙ୍କ ପୁରା ପରିବାରର ମାନ ସମ୍ମାନ ବି ତଳେ ପଡିଛି ।

ଦୀପାବଳି ପାଇଁ ଚାରିଆଡେ ଉତ୍ସବ ମୁଖର । ହେଲେ ବସ୍ତିରେ ରହୁଥିବା ଲୋକଟିର ପେଟ ପାଟଣା ଚିନ୍ତା । ଏନେଇ ଜଣେ ଗରିବ ଲୋକ ତାଙ୍କ ଘର ସାମ୍ନାରେ କିଛି ମାଟିଦୀପ ରଖି ବ୍ୟବସାୟ କରୁଥିଲା । ଏକଥା ଆଇଏଏସ ଅଧିକାରୀଙ୍କ କନ୍ୟାଙ୍କ ଆଖିରେ ପଡିବା ମାତ୍ରେ ସେ ସବୁ ହିତାହିତ ଜ୍ଞାନ ଭୁଲି ଯାଇଥିଲେ । ଏହାପରେ ଆରମ୍ଭ କରିଦେଇଥିଲେ ତାଣ୍ଡବ । ପ୍ରଥମେ ଦୀପକୁ ଆଣି ଗୋଟିଏ ସ୍ଥାନରେ ଢାଳି ଦେଇଥିଲେ । ଏହାପରେ ଏକ ଠେଙ୍ଗା ସହାୟତାରେ ପିଟି ପିଟି ସମସ୍ତ ଦୀପକୁ ଭାଙ୍ଗି ଦେଇଥିଲେ । ଗରିବ ବ୍ୟବସାୟୀ ଜଣଙ୍କ ଯେତେ ଗୁହାରି କଲେ ବି ଆଭିଜାତ୍ୟର ଗର୍ବ ମହିଳା ଜଣଙ୍କୁ ଏତେ ଘାରି ଯାଇଥିଲା କି ସେ ସମ୍ପୂର୍ଣ୍ଣ ଦୀପଗୁଡିକୁ ଭାଙ୍ଗିବା ପରେ ଶାନ୍ତିରେ ନିଶ୍ୱାସ ମାରିଥିଲେ ।

ଏନେଇ ଏକ ଜାତୀୟ ଗଣମାଧ୍ୟମକୁ ବୟାନ ଦେବା ବେଳେ ବ୍ୟବସାୟୀ ଜଣଙ୍କ କହିଛନ୍ତି କି, ମହିଳା ଜଣଙ୍କ ପ୍ରଥମେ ଆସି ତାଙ୍କୁ ସେଠାରୁ ଦୋକାନ ହଟାଇନେବାକୁ କହିଥିଲେ । ହେଲେ ବ୍ୟବସାୟୀ ଜଣଙ୍କ ମନା କରିବାରୁ ସେ ଉତ୍ୟକ୍ତ ହୋଇ ଏଭଳି କାଣ୍ଡ କରିଛନ୍ତି ।

 

ଏସବୁ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏନେଇ ପିୟୂଷ ରାଜ ନାମକ ଜଣେ ବ୍ୟକ୍ତି ଏହି ଭିଡିଓକୁ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିବା ସହ ଏହାକୁ ଉତ୍ତର ପ୍ରଦେଶ ପୋଲିସକୁ ଟ୍ୟାଗ କରିଛନ୍ତି । ଏପଟେ ପୋଲିସ ଏବେ ସେହି ଟ୍ୱିଟରରେ ଉତ୍ତର ବି ରଖିଛନ୍ତି । ଖାଲି ଦେଖିବାକୁ ବାକି ରହିଲା ଏହି ସଭ୍ୟ ଓ ଶିକ୍ଷିତା ମହିଳାଙ୍କର ଏଭଳି ଅସଭ୍ୟ କାଣ୍ଡ ପାଇଁ ତାଙ୍କୁ କିଭଳି ଦଣ୍ଡିତ କରାଯାଉଛି ।