ଫେସବୁକର ପୂର୍ବତନ କର୍ମଚାରୀଙ୍କ ବଡ଼ ଖୁଲାସା : କହିଲେ, ସଂସ୍ଥା ପାଇଁ ସୁରକ୍ଷା ଅପେକ୍ଷା ଲାଭ ଜରୁରୀ

ବିଜ୍ଞାପନ ଆଣିବା ଲୋଭରେ ଚିତ ଚାଂଚଲ୍ୟକାରୀ ପୋଷ୍ଟକୁ ଦେଉଛି ପ୍ରୋତ୍ସାହନ; ଅଭିଯୋଗକୁ ମାର୍କ ଜୁକରବର୍ଗଙ୍କ ଖଣ୍ଡନ

151

କନକ ବ୍ୟୁରୋ : ବିଶ୍ୱରେ ସର୍ବାଧିକ ବ୍ୟବହାର ହେଉଥିବା ସୋସିଆଲ ମିଡିଆ ଫେସବୁକ ବିରୋଧରେ ସାଂଘାତିକ ଅଭିଯୋଗ । ସୁରକ୍ଷା ଅପେକ୍ଷା ଲାଭକୁ ଅଧିକ ଗୁରୁତ୍ୱ ଦେଉଛି ସଂସ୍ଥା । ବିଜ୍ଞାପନ ଲୋଭରେ ଚିତଚାଂଚଲ୍ୟକାରୀ ତଥ୍ୟକୁ ପ୍ରୋତ୍ସାହନ ଦେଉଛି ଫେସବୁକ । ଏଭଳି ଅଭିଯୋଗ ଆଣିଛନ୍ତି, ଫେସବୁକର ଜଣେ ପୂର୍ବତନ କର୍ମଚାରୀ ଫ୍ରାନସିସ୍ ହାଉଗେନ୍ । ଏକ ୬୦ ମିନିଟର ଭିଡିଓ ପୋଷ୍ଟ କରି ସେ ଏଭଳି ଅଭିଯୋଗ ବାଢିଛନ୍ତି ।

ନିଜେ ସଂସ୍ଥା ବିରୋଧରେ ହ୍ୱିସିଲ ବ୍ଲୋୟର ସାଜି ଆଭ୍ୟନ୍ତରୀଣ ଦସ୍ତାବିଜକୁ ଆମେରିକା କଂଗ୍ରେସର ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ କମିଶନ ଆଗରେ ଉପସ୍ଥାପନ କରିଛନ୍ତି । ପ୍ରତିଷ୍ଠିତ ଗଣମାଧ୍ୟମ ଦି ୱାଲ ଷ୍ଟ୍ରିଟ ଜର୍ଣ୍ଣାଲକୁ ମଧ୍ୟ ଏହି ତଥ୍ୟ ଦେଇଛନ୍ତି ହାଉଗେନ୍ । ତାଙ୍କ କହିବା ହେଲା ବିଭାଜନ ଓ ଘୃଣା ସୃଷ୍ଟିକାରୀ ତଥ୍ୟକୁ ଜାଣିଶୁଣି ପ୍ରୋତ୍ସାହିତ କରୁଛି ଫେସବୁକ । କାରଣ ଏହା ବ୍ୟବହାରକାରୀଙ୍କ ଭିତରେ ରାଗ ତିଆରି କରୁଛି । ଏବଂ ଅଧିକ ସମୟ ବ୍ୟବହାକାରୀ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଫଳରେ ଏହା ସଂସ୍ଥାକୁ ଅଧିକ ବିଜ୍ଞାପନ ଆଣିଦେବାରେ ସହାୟତା କରୁଛି । ହେଲେ ଏଭଳି ତଥ୍ୟ ଓ ସୂଚନାର ବ୍ୟବହାରକାରୀଙ୍କ ଉପରେ ଖରାପ ପ୍ରଭାବ ପଡୁଛି । ସଂସ୍ଥାର ଆଭ୍ୟନ୍ତରୀଣ ସର୍ଭେରୁ ଏହା ଜଣା ପଡିଥିଲେ ମଧ୍ୟ ଅଧିକ ଲାଭର ଲୋଭରେ ସଂସ୍ଥା ଏସବୁ ପ୍ରତି ଆଖି ବୁଜି ଦେଉଛି ।

ହେଲେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଫେସବୁକ ମୁଖ୍ୟ ମାର୍କ ଜୁକରବର୍ଗ । କୁହାଯାଉଛି ଗତ ସୋମବାର ହାଉଗେନ୍ ଏହି ଖୁଲାସା କରିବା ପରେ ପ୍ରାୟ ୬ ଘଂଟା ପାଇଁ ଅକାମୀ ହୋଇଯାଇଥିଲା ଫେସବୁକ ସହ ଇନଷ୍ଟାଗ୍ରାମ ଓ ହ୍ୱାଟ୍ସଆପ୍ । ସର୍ଭର ଡାଉନ ଯୋଗୁଁ ଏଭଳି ସମସ୍ୟା ହୋଇଥିବା କୁହାଯାଉଥିଲେ ମଧ୍ୟ ହାଉଗେନ୍ଙ୍କ ଖୁଲାସା ସହିତ ଏହି ଘଟଣାର ସାମଞ୍ଜସ୍ୟ ରହିଥିବା ଅନୁମାନ କରାଯାଉଛି ।