କନକ ବ୍ୟୁରୋ : ଆଜି ବିଜେଡିରେ ଯୋଗଦେବେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝି । ଗତ କିଛି ଦିନ ତଳେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଆଜି ନବରଙ୍ଗପୁର ସହର ସର୍କିଟ ହାଉସ ପଡ଼ିଆରେ ବିଜେଡି ପକ୍ଷରୁ ଏକ ମଂଚ ପ୍ରସ୍ତୁତ କରାଯାଇଛି । ଏହି ମିଶ୍ରଣ ପର୍ବରେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ଜିଲ୍ଲା ଅନ୍ୟ ବରିଷ୍ଠ ନେତାମାନେ କାର୍ଯ୍ୟକ୍ରମରେ ଯୋଗଦେବେ । ପ୍ରଦୀପ ତାଙ୍କ ସମର୍ଥକଙ୍କ ସହ ରାଲତ କରି ଆସିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି ।
ଏହି ମିଶ୍ରଣପର୍ବ ପାଇଁ ସମସ୍ତପ୍ରକାର ପ୍ରସ୍ତୁତି ଶେଷହୋଇଛି । ବିଜେଡିର ନବରଙ୍ଗପୁର ଜିଲ୍ଲା ପ୍ରଭାରୀ ତଥା କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୂର୍ବତନ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଓ ସାଂସଦ ରମେଶ ଚନ୍ଦ୍ର ମାଝୀ ଏଠାକୁ ଆସି ଡେରା ପକାଇଛନ୍ତି । ମଞ୍ଚ ପ୍ରସ୍ତୁତି ଠାରୁ ଆରମ୍ଭ କରି କେଉଁ ନେତା କେଉଁଠି ବସିବେ, କାର୍ଯ୍ୟକ୍ରମରେ କେତେଜଣ ଯୋଗଦେବେ ଏସବୁର ପ୍ରସ୍ତୁତି ଚଳାଇଛନ୍ତି । ପ୍ରଦୀପଙ୍କ ସହିତ ତାଙ୍କର ସମର୍ଥକମାନେ ମଧ୍ୟ ଶୋଭାଯାତ୍ରାରେ ଆସି ମିଶ୍ରଣ ପର୍ବରେ ଯୋଗଦେବେ ବୋଲି ଜଣାପଡ଼ିଛି ।
ଉଲ୍ଲେଖଯୋଗ୍ୟ ଯେ ମାସ ୨୨ ତାରିଖରେ ପ୍ରଦୀପ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଗତ ମାସ ୨୪ ତାରିଖ ଦିନ ତାଙ୍କ ସମର୍ଥକ ମାନେ କଂଗ୍ରେସ ଛାଡ଼ିବା ସହ ବିଜେଡିରେ ଯୋଗଦେବା ନେଇ ଘୋଷଣା କରିଥିଲେ । ଅନ୍ୟପଟେ ଗତ ୩୧ ତାରିଖ ଦିନ ପ୍ରଦୀପଙ୍କ ବିନା କଂଗ୍ରେସ ନିଜର ସ୍ଥିତି ଜାହିର କରିଥିଲା ।