କନକ ବ୍ୟୁରୋ : ସାମୁଦ୍ରିକ ଝଡ ଫୋନି ମାଡିଆସୁଛି ଆଉ ସେପଟେ ଇଭିଏମର ସୁରକ୍ଷା ନେଇ ଚିନ୍ତା ବଢୁଛି । ବାତ୍ୟା ବେଳେ କିଭଳି ଷ୍ଟ୍ରଙ୍ଗରୁମରେ ଇଭିଏମକୁ ସୁରକ୍ଷିତ ରଖାଯିବ ସେନେଇ ଗୁରୁତ୍ୱ ଦିଆଯାଉଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ସମସ୍ତ ପ୍ରାର୍ଥୀଙ୍କ ଉପସ୍ଥିତିରେ ଷ୍ଟ୍ରଙ୍ଗରୁମ ଖୋଲାଯାଇ ଟ୍ରକ ଯୋଗେ ଇଭିଏମ ଗୁଡିକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।
କେମିତି ବାତ୍ୟା ଫୋନି କବଳରୁ ଇଭିଏମକୁ ସୁରକ୍ଷିତ ରଖାଯାଇପାରିବ ସେନେଇ ଚାଲିଛି ତନାଘନା । ଗଜପତିର ୧୩୬ ମୋହନା ଓ ପାରଳାଖେମୁଣ୍ଡିର ଦୁଇଟି ବୁଥର ଇଭିଏମ ଗଜପତି ଜିଲ୍ଲାର ପାହାଡ ତଳ ଏମଆର ଉଚ୍ଚବିଦ୍ୟାଳୟ ସ୍କୁଲରେ ରଖାଯାଇଛି । ଏହାକୁ ସ୍ଥାନାନ୍ତର କରିବା ପାଇଁ ଅନୁମତି ମାଗିଛନ୍ତି ଗଜପତି ଜିଲ୍ଲାପାଳ । ଆଉ ଏହି ଇଭିଏମଗୁଡିକୁ ସୁରକ୍ଷିତ ଭାବେ ଗଜପତି ଜିଲ୍ଲା ମୁଖ୍ୟାଳୟକୁ ସ୍ଥାନାନ୍ତର କରିବା ପାଇଁ ଅନୁମତି ମିଳିଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।
ସେହିପରି ଜଗତସିଂହପୁର ଏସଭିଏମ କଲେଜ ଷ୍ଟ୍ରଙ୍ଗ ରୁମରେ ଥିବା ଇଭିଏମକୁ ପ୍ରଥମ ମହଲାକୁ ସ୍ଥାନାନ୍ତର ପାଇଁ ମିଳିଛି ଅନୁମତି । ପ୍ରାର୍ଥୀଙ୍କ ଅନୁମତି କ୍ରମେ ଇଭିଏମଗୁଡିକୁ ସ୍ଥାନାନ୍ତର କରାଯାଇଥିବା ବେଳେ ପୂରା ପ୍ରକିୟାର ଭିଡିଓଗ୍ରାଫି କରାଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । କେବଳ ଗଜପତି କି ଜଗତସିଂହପୁର ନୁହେଁ, ରାଜ୍ୟର ସମସ୍ତ ସ୍ଥାନରେ ବାତ୍ୟା ବେଳେ ଷ୍ଟ୍ରଙ୍ଗରୁମରେ ଇଭିଏମକୁ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ସୁରେନ୍ଦ୍ର କୁମାରଙ୍କ ସୂଚନା ଅନୁସାରେ କେଉଁ କେଉଁ ସ୍ଥାନରୁ ଇଭିଏମକୁ ସ୍ଥାନାନ୍ତର କରିବା ଜରୁରୀ, ସେନେଇ ନିର୍ବାଚନ କମିଶନଙ୍କୁ ପ୍ରସ୍ତାବ ଦିଆଯାଇଛି । ନିର୍ବାଚନ କମିଶନଙ୍କ ଅନୁମତି ମିଳିବା ପରେ ସମସ୍ତ ପ୍ରାର୍ଥୀଙ୍କ ଉପସ୍ଥିତିରେ ଷ୍ଟ୍ରଙ୍ଗରୁମ ଖୋଲାଯିବ । ଟ୍ରକ ଯୋଗେ ଇଭିଏମ ଗୁଡିକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ।
୧୪୬ ବିଧାନସଭା ଓ ୨୧ ଲୋକସଭା ଆସନ ପାଇଁ ଭୋଟିଂ ହୋଇଥିବା ବେଳେ ଇଭିଏମ ଥିବା ଷ୍ଟ୍ରଙ୍ଗରୁମ ବାବଦରେ ଜିଲ୍ଲାପାଳଙ୍କ ଠାରୁ ସମସ୍ତ ତଥ୍ୟ ଅଣାଯାଇଛି । କେତେ ଶୀଘ୍ର ଇଭିଏମ ସ୍ଥାନାନ୍ତର କରାଯିବ ସେଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।