ପୁଣି ଭୋଟ୍ ପୂର୍ବରୁ ଅଚଳ ହେଲା ଇଭିଏମ୍ । ଯାନ୍ତ୍ରିକ ତ୍ରୁଟି କାରଣରୁ ବିଭିନ୍ନ ସ୍ଥାନରେ ମତଦାନ ବିଳମ୍ବ

76

କନକ ବ୍ୟୁରୋ: ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି । ସକାଳ ୭ଟାରୁ ବୁଥଗୁଡ଼ିକରେ ନିଜ ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି ଭୋଟର । ତେବେ ଭୋଟ ଆରମ୍ଭରୁ ବିଭିନ୍ନ ସ୍ଥାନରେ ମତଦାନ କେନ୍ଦ୍ରରେ ତ୍ରୁଟି ବିଚ୍ୟୁତି ଦେଖିବାକୁ ମିଳିଛି। ଅନେକ ସ୍ଥାନରେ ଅଚଳ ହୋଇପଡିଛି ଇଭିଏମ ମେସିନ୍ । ଫଳରେ ମତଦାନରେ ବିଳମ୍ବ ଦେଖାଦେଇଛି । କିଛି ସ୍ଥାନରେ ତ ଦୀର୍ଘ ସମୟ ଧରି ଅପେକ୍ଷା କରି ମତଦାତା ଘରୁକୁ ଫେରି ଯାଉଥିବା ଖବର ଆସିଛି । ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା କାରଣରୁ ମତଦାନ ବାଧାପ୍ରାପ୍ତ ହୋଇଛି।

ସୁନ୍ଦରଗଡ ସଦର ଓ ତଲସରାର ଅନେକ ବୁଥରେ ଇଭିଏମ ଅଚଳ ହୋଇଥିବା ସୂଚନା ମିଳିଛି । ୧୭୧ ନଂ ବୁଥରେ ଇଭିଏମ କାମ କରୁନଥିବାରୁ ମତଦାନରେ ବିଳମ୍ବ ହୋଇଛି । ସେହିଭଳି ତଲସରାର ୨୦୧୬ ନଂ ବୁଥରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ବଣାଇର ୧୭୯ ନଂ ବୁଥରେ ମଧ୍ୟ ଇଭିଏମରେ ତ୍ରୁଟି । ଫଳରେ ମତଦାନରେ ବିଳମ୍ବ ହେଇଛି । କେନ୍ଦୁଡିହି, ଫକୀରମୁଣ୍ଡା, ଛିଡାକୁଦ, ତଳତା, ଉସୁକୁଜୁଳା, ଖଲସାଘାଟର ବୁଥରେ ମଧ୍ୟ ଇଭିଏମ ଅଚଳ କାରଣରୁ ମତଦାନ ବିଳମ୍ବିତ ହୋଇଥିବା ସୂଚନା ମିଳିଛି ।

ଅନ୍ୟପଟେ ଆସ୍କାର ୧୫୮ ନଂ ବୁଥରେ ଇଭିଏମ ଅଚଳ ହୋଇପଡିବା ଦ୍ୱାରା ମତଦାନରେ ବିଳମ୍ବ ଦେଖାଦେଇଛି । ସେହିପରି ବଲାଙ୍ଗୀରର ୬୫ ଏବଂ ୬୮ ନଂ ବୁଥରେ ଇଭିଏମ କାମ କରୁନାହିଁ । ଫୁଲବାଣୀରେ ମଧ୍ୟ ସମାନ ସ୍ଥିତି ଉପୁଜିବା କାରଣରୁ , ଧାଡ଼ିରେ ଅନେକ ସମୟ ଛିଡ଼ା ହେବା ପରେ ଲୋକମାନେ ଭୋଟ୍ ନଦେଇ ଫେରିଯାଉଥିବା ଜଣାପଡ଼ିଛି ।