ଆସାମରେ ବିଜେପି ପ୍ରାର୍ଥୀଙ୍କ କାରରେ ମିଳିଲା ଇଭିଏମ୍ । ଭାଇରାଲ ହେଲା ଭିଡିଓ, ପୋଲିଂ ଟିମକୁ ନିଲମ୍ବିତ କଲେ କମିଶନ ।

246

କନକ ବ୍ୟୁରୋ: ଆସାମରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପରେ ଇଭିଏମ୍ ମେସିନକୁ ନେଇ ସୃଷ୍ଟି ହୋଇଛି ବିବାଦ । ଆସାମର କରିମଗଂଜ ଅଂଚଳରେ କାରରୁ ମିଳିଥିବା ଇଭିଏମ୍କୁ ନେଇ ରାଜନୀତି ତେଜିଛି । ଏହି ଘଟଣାରେ ଜଣେ ପ୍ରେଜାଇଡିଂ ଅଫିସର ସମେତ ୪ଜଣଙ୍କୁ ନିଲମ୍ବିତ କରାଯାଇଛି । କରିମଗଂଜ ଜିଲ୍ଲାର ୧୪୯ ନମ୍ବର ବୁଥରେ ପୁନଃମତଦାନ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ।

ଗାଡି ଭିତରୁ ଇଭିଏମ ଉଦ୍ଧାର ହେବା ଘଟଣାକୁ ନେଇ ନିର୍ବାଚନ କମିଶନଙ୍କୁ ଟୁଇଟ୍ କରି ଅଭିଯୋଗ କରିଥିଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଆସାମରେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୭୬ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ଇସି ସୂଚନା ଦେଇଛନ୍ତି । ଏପରି ସ୍ଥିତିରେ ଏବେ ସୋସିଆଲ୍ ମିଡିଆରେ କାର୍ ଭିତରେ ଇଭିଏମ ନେବାର ଭିଡିଓ ଭାଇରାଲ ହେଉଛି । ସେପଟେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆସାମରେ ସମସ୍ତ ଇଭିଏମର ପୁନଃଗଣନା ପାଇଁ ଦାବି କରିଛନ୍ତି । ଏହାସହ ବିଜେପି ପ୍ରାର୍ଥୀଙ୍କ ପ୍ରାର୍ଥୀତ୍ୱ ଖାରଜ କରିବା ପାଇଁ ଦାବି କରିଛି କଂଗ୍ରେସ ।

ଗୁରୁବାର ଆସାମରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସରିବା ପରେ କରିମଗଂଜରେ ଏକ କାର ଭିତରେ ଇଭିଏମ୍ ଯାଉଥିବା ଭିଡିଓ ଭାଇରାଲ ହୋଇଛି । ଇଭିଏମ୍ ଥିବା କାରଟି ଆସାମର ପଥରକଂଡି ଆସନର ବିଜେପି ପ୍ରାର୍ଥୀ କୃଷ୍ଣେନ୍ଦୁ ପାଲଙ୍କ ପତ୍ନୀଙ୍କ ମାଲିକାନାରେ ଥିବା ଜଣାପଡିଛି । ଲୋକଙ୍କ ଅଭିଯୋଗ ପରେ ଯେତେବେଳେ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀ ସେହି କାର ନିକଟରେ ପହଁଚିଥିଲେ, ନିର୍ବାଚନ ଆୟୋଗର କୌଣସି କର୍ମଚାରୀ ସେହି ଠାରେ ନଥିଲେ । ଏବଂ କାର ଭିତରେ ଇଭିଏମ ଥିବା ଦେଖିବାକୁ ମିଳିଛି ।

ଏହି ଘଟଣାକୁ ନେଇ ନିର୍ବାଚନ ଅଧିକାରୀଙ୍କ ଠାରୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି ନିର୍ବାଚନ ଆୟୋଗ । ଦିଆଯାଇଥିବା ରିପୋର୍ଟ ଅନୁସାରେ ପୋଲିଂ ଟିମକୁ ଦିଆଯାଇଥିବା ଗାଡି ଅଧବାଟରେ ଖରାପ ହୋଇଯିବା ଯୋର୍ଗୁ ଅନ୍ୟ ଏକ ଗାଡିରୁ ଏହି ଇଭିଏମକୁ ଷ୍ଟ୍ରଙ୍ଗ ରୁମକୁ ନିଆଯାଉଥିଲା । ତେବେ ଇଭିଏମ ସ୍ଥାନାନ୍ତରିତ କରିବା ପୂର୍ବରୁ ଗାଡିର ମାଲିକାନା ସମ୍ପର୍କରେ ଯାଂଚ କରାଯାଇନଥିବା ପୋଲିଂ ଟିମ କହିଛି ।