ମତଦାନ ଆରମ୍ଭରୁ ଇଭିଏମ ଅଚଳ, ଲମ୍ବା ଲାଇନରେ ଭୋଟର । ଜାଣନ୍ତୁ ଆପଣଙ୍କ ଅଞ୍ଚଳର କେଉଁ ବୁଥରେ ଅଚଳ ହୋଇଛି ଇଭିଏମ ।

116

କନକ ବ୍ୟୁରୋ : ଗଣତନ୍ତ୍ରର ମହାପର୍ବ ପାଇଁ ଆରମ୍ଭ ହୋଇଛି ମତଦାନ । ଲମ୍ବା ଲାଇନରେ ଛିଡା ହୋଇ ନିଜର ନେତା ବାଛୁଛନ୍ତି ଭୋଟର । ନିଜର ମତାଧିକାର ସାବ୍ୟସ୍ତ କରିବାକୁ ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ୪ର୍ଥ ପର୍ଯ୍ୟାୟରେ ୬ ଲୋକସଭା ଓ ୪୧ ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ହେଉଛି । ଆଉ ଏସବୁ ଭିତରେ ଭୋଟଗ୍ରହଣ ଆରମ୍ଭରୁ ଇଭିଏମ ଅଚଳ ହେବା ଯୋଗୁଁ ଅନେକ ବୁଥରେ ମତଦାନ ପ୍ରକିୟା ବିଳମ୍ବିତ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଭୋଟ ଦାନ ଆରମ୍ଭରୁ ହିଁ ଇଭିଏମ ଅଚଳ ହୋଇଛି । ଫଳରେ ବିଭିନ୍ନ ସ୍ଥାନରେ ଭୋଟର ମାନେ ଲମ୍ବା ଲାଇନରେ ଛିଡା ହୋଇଛନ୍ତି । କେନ୍ଦ୍ରାପଡାର ୨ଟି ବୁଥରେ ମତଦାନ ପୂର୍ବରୁ ଇଭିଏମ ଅଚଳ ଯୋଗୁଁ ଭୋଟଗ୍ରହଣ ବନ୍ଦ ରହିଛି । ବଗଡାର ୧୭୯ ନମ୍ବର ବୁଥ ଓ ହାଟବାଣପୁର ୧୧୨ ନମ୍ବର ବୁଥରେ ଇଭିଏମ ଅଚଳ ହେବା କାରଣରୁ ମତଦାନ ପ୍ରକିୟା ବାଧାପ୍ରାପ୍ତ ହୋଇଛି । ସେହିଭଳି ବାଙ୍ଗିରିପୋଷିର ୮୭ ଓ ୫୫ ନମ୍ବର ବୁଥରେ ଇଭିଏମରେ ତ୍ରୁଟି ରହିବା କାରଣରୁ ମଧ୍ୟ ଭୋଟଗ୍ରହଣ ବିଳମ୍ବିତ ହୋଇଛି ।

ଅନ୍ୟପଟେ ଚାନ୍ଦବାଲିର ୩ଟି ବୁଥ୍ ୨୪୦,୨୪୧ ଓ ୧୪ ନମ୍ବର ବୁଥରେ ଇଭିଏମ ଅଚଳ ହେବା କାରଣରୁ ମତଦାନ ବାଧାପ୍ରାପ୍ତ ହୋଇଛି । ଭଦ୍ରକର ବୁଥ୍ ନମ୍ବର ୧୮୪ ଓ ୧୮୫ ନମ୍ବର ବୁଥରେ ମଧ୍ୟ ଇଭିଏମ ଅଚଳ ହୋଇଥିବା ବେଳେ ମତଦାନରେ ବିଳମ୍ବ ହୋଇଛି । ସେହିଭଳି କାକଟପୁରର ୧୦୭ ନମ୍ବର ବୁଥରେ ମଧ୍ୟ ଇଭିଏମ ଅଚଳ ହୋଇଛି । ଫଳରେ ଭୋଟର ମାନେ ଲମ୍ବା ଲାଇନରେ ଛିଡା ହୋଇ ଭୋଟ ଦେବାକୁ ଅପେକ୍ଷା କରିଛନ୍ତି ।