କନକ ବ୍ୟୁରୋ: ମହାକାଶରେ ପୃଥିବୀକୁ ପ୍ରଦକ୍ଷିଣ କରୁଥିବା ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ଥିବା ମହାକାଶଚାରୀ ଆଣ୍ଡ୍ରିସ ମୋଗେନସେନ ନିକଟରେ ଭୂପୃଷ୍ଠର କିଛି ଚମତ୍କାର ଫଟୋ ପଠାଇଛନ୍ତି। ସେଥିରେ ଦକ୍ଷିଣ ଆଟଲାଣ୍ଟିକ ମହାସାଗରରେ ଭାସୁଥିବା କିଛି ହିମଶୈଳର ଦୃଶ୍ୟ ପୃଥିବୀର ଜଳବାୟୁ ପରିବର୍ତ୍ତନର ଚିନ୍ତାଜନକ ଚିତ୍ର ପ୍ରଦାନ କରିଛି। ମହାକାଶରୁ ଖାଲି ଆଖିରେ ଭୂପୃଷ୍ଠର ହିମଶୈଳ ଦେଖି ସେ ଆଶ୍ଚର୍ୟ୍ୟାନ୍ବିତ ହେବା ସହ ଏହା ପଛର କାରଣ ଜଳବାୟୁ ପରିବର୍ତ୍ତନ ବୋଲି ସେ ଚିନ୍ତାପ୍ରକଟ କରିଛନ୍ତି।

Advertisment

ହିମପ୍ରବାହଗୁଡ଼ିକ ତରଳୁଥିବାରୁ ଏପରି ହିମଶୈଳ ଖଣ୍ଡ ଖଣ୍ଡ ହୋଇ ଭାସିବୁଲିବା ଦେଖାଯାଉଛି ଏବଂ ଏଥିଯୋଗୁଁ ସମୁଦ୍ରସ୍ତର ବଢ଼ୁଥିବା ଜଣାଯାଇଛି। ଫଳସ୍ବରୂପ, ଆଗାମୀ ୭୦ ବର୍ଷ ଭିତରେ ମାଳଦ୍ୱୀପ ପରି ସ୍ଥାନଗୁଡ଼ିକ ଜଳମଗ୍ନ ହୋଇଯିବେ ବୋଲି ମୋଗେନସେନ ଆଶଙ୍କା ବ୍ୟକ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ହିମପ୍ରବାହ ତରଳିବା ଯୋଗୁଁ ସମୁଦ୍ରସ୍ତର ବଢ଼ିବା ଏକ ବୈଶ୍ବିକ ଚିନ୍ତାର କାରଣ ପାଲଟିଛି। ଏଥି ସହିତ ହିମଶୈଳ ପରି ଭାସମାନ ବରଫଖଣ୍ଡଗୁଡ଼ିକ ତରଳିବା ଦ୍ବାରା ସମୁଦ୍ର ପାଣିର ସାନ୍ଦ୍ରତା କମିବା ସହ ସମୁଦ୍ର ସ୍ତର ଆହୁରି ବଢ଼ିଚାଲିଛି। ଦୀର୍ଘ ୩୦ ବର୍ଷ ଧରି ସ୍ଥଳଭାଗ ଉପରେ ମାଡ଼ି ରହିଥିବା ବିଶ୍ବର ବୃହତ୍ତମ ହିମଶୈଳ ‘ଏ୩୨ଏ’ ନିକଟରେ ଆଟଲାଣ୍ଟିକ୍‌ ଜଳର ପାର୍ଶ୍ବରେ ପ୍ରବାହିତ ହେଉଥିବା ଦେଖାଯାଇଛି।