କେତେ ସଫଳ ଏୟାରଷ୍ଟ୍ରାଇକ୍ ! ବାଲାକୋଟରେ ଜୈସେ ଆଡ୍ଡା ନଷ୍ଟ ହେବାର ୧୦ ବଡ ପ୍ରମାଣ । 

385

କନକ ବ୍ୟୁରୋ : ଆତଙ୍କବାଦୀଙ୍କ ଆଡ୍ଡାକୁ ସଫା କରିବା ପାଇଁ, ପାକିସ୍ତାନ ମାଟିରେ ପଶି କରାଯାଇଥିବା ଏୟାରଷ୍ଟ୍ରାଇକକୁ ନେଇ ଦେଶ ଭିତରେ ଏବଂ ବାହାରେ ରାଜନୀତି ତେଜିବାରେ ଲାଗିଛି । ଏୟାରଷ୍ଟ୍ରାଇକରେ ପାକିସ୍ତାନର କିଛି କ୍ଷତି ହୋଇଥିବା ପାକିସ୍ତାନ ମାନିବାକୁ ନାରାଜ । ଆଉ ଏପଟେ ଭାରତରେ ମଧ୍ୟ ଏୟାରଷ୍ଟ୍ରାଇକକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ଏପରିକି ଅନେକ ରାଜନୈତିକ ଦଳର କର୍ମକର୍ତ୍ତା, ସରକାରଙ୍କୁ ଏୟାରଷ୍ଟ୍ରାଇକର ପ୍ରମାଣ ମଧ୍ୟ ମାଗୁଛନ୍ତି । କିନ୍ତୁ ବିଗତ ଦିନ ମାନଙ୍କରେ କିଛି ଏମିତି କଥା ସାମ୍ନାକୁ ଆସିଛି, ଯେଉଁଥିରୁ ଅନୁମାନ କରାଯାଇପାରିବ ଯେ, ଏୟାରଷ୍ଟ୍ରାଇକରେ ପାକିସ୍ତାନର ଅନେକ କ୍ଷୟକ୍ଷତି ହୋଇଛି ।

୧. ନ୍ୟାସନାଲ୍ ଟେକ୍ନିକାଲ୍ ରିସର୍ଚ୍ଚ ଅର୍ଗାନାଇଜେସନର ସର୍ଭିଲାନ୍ସରେ ଖୁଲାସା ଅନୁଯାୟୀ, ବାଲାକୋଟରେ ଯେତେବେଳେ ଭାରତୀୟ ବାୟୁସେନା ଏୟାରଷ୍ଟ୍ରାଇକ୍ କରିଥିଲା, ସେତେବେଳେ ସେଠାରେ ୨୮୦ରୁ ଅଧିକ ମୋବାଇଲ୍ ଫୋନ୍ ଆକ୍ଟିଭ୍ ରହିଥିଲା ।

୨. ଏୟାରଷ୍ଟ୍ରାଇକ୍ ଉପରେ ଭାରତୀୟ ବାୟୁସେନା ବୟାନ ଦେଇଛି ଯେ, ଯେଉଁ ଟାର୍ଗେଟକୁ ଲକ୍ଷ୍ୟ କରାଯାଇଥିଲା, ତାକୁ ଧ୍ୱସ୍ତ କରାଯାଇଛି । ବାୟୁସେନାର ମିଶନ ୧୦୦ ପ୍ରତିଶତ ସଫଳ ରହିଛି ।

୩. ବାଲାକୋଟରେ ଯେଉଁ ସ୍ଥାନରେ ଆକ୍ରମଣ କରାଯାଇଛି, ସେଠାରେ ଜୈସ-ଏ-ମହମ୍ମଦର ଆଡ୍ଡା ରହିଥିଲା ।

୪. ଏୟାରଷ୍ଟ୍ରାଇକ୍ ପରେ ଯେତେବେଳେ ସମସ୍ତେ ପ୍ରମାଣ ଖୋଜୁଥିଲେ, ସେତେବେଳେ କିଛି ପାକିସ୍ତାନୀ, ଟ୍ୱିଟ୍ କରି ଲେଖିଥିଲେ ଯେ, ୨୬ ଫେବୃଆରୀ ପରେ ସେମାନେ ବାଲାକୋଟରେ ୧୦ଟି ଆମ୍ବୁଲାନ୍ସ ଦେଖିଥିଲେ ।

୫. ନ୍ୟୁଜ୍ ଏଜେନ୍ସି ରାଇଟର୍ସ ପକ୍ଷରୁ ମଧ୍ୟ ସ୍ପଷ୍ଟ କରାଯାଇଥିଲା ଯେ, ବାଲାକୋଟରେ ଥିବା କିଛି ସ୍ଥାନୀୟ ବାସିନ୍ଦା ଏୟାରଷ୍ଟ୍ରାଇକ୍ ରାତିରେ ବିସ୍ଫୋରଣର ଶବ୍ଦ ଶୁଣିଥିଲେ ।

୬. ପାକିସ୍ତାନୀ ଗଣମାଧ୍ୟମର ଅନେକ ରିପୋର୍ଟରେ ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ବାଲାକୋଟରେ ଭାରତୀୟ ବାୟୁସେନା ବିସ୍ଫୋରଣ କରିଛି । କିନ୍ତୁ ତାଙ୍କ ଗଣମାଧ୍ୟମ ପ୍ରତିଟି ଥର ଏହା ହିଁ କହିଛି ଯେ, ବାଲାକୋଟରେ ଅଧିକ କ୍ଷୟକ୍ଷତି ହୋଇନାହିଁ ।

୭. କିଛି ମିଡିଆ ରିପୋର୍ଟରେ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ, ଭାରତୀୟ ବାୟୁସେନାର ଏୟାରଷ୍ଟ୍ରାଇକ୍ ପରେ ପାଖରେ ଥିବା ସେନା ହସ୍ପିଟାଲରେ ଅନେକ ବେଡ୍ ରିଜର୍ଭ କରାଯାଇଥିଲା । କିନ୍ତୁ ସରକାରୀ ଦଫତରରେ ଏକଥା ମାନିବାକୁ ନାରାଜ ପାକିସ୍ତାନ ।

୮. ବାଲାକୋଟରେ ଭାରତର ଆକ୍ରମଣ ପରେ, ଅନ୍ତର୍ଜାତୀୟ ଗଣମାଧ୍ୟମକୁ ଆକ୍ରମଣ ସ୍ଥଳକୁ ଡାକିଥିଲା ପାକିସ୍ତାନ । ଆଉ ଏହା ମଧ୍ୟ କହିଥିଲା ଯେ, ସଙ୍ଗେ ସଙ୍ଗେ ନୁହେଁ ବରଂ ଗୋଟିଏ ଦିନ ପରେ ସେଠାକୁ ଯିବା ପାଇଁ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ପ୍ରମାଣ ନଷ୍ଟ କରିବା ପାଇଁ ପାକିସ୍ତାନ ଜୋରଦାର ଉଦ୍ୟମ କରିଛି ।

୯. ଏୟାରଷ୍ଟ୍ରାଇକ୍ ପରେ ଜୈସ-ଏ-ମହମ୍ମଦ କମାଣ୍ଡରଙ୍କ ଏକ ଅଡିଓ କ୍ଲିପ୍ ସାମ୍ନାକୁ ଆସିଥିଲା । ଯେଉଁଥିରେ ଶୁଣିବାକୁ ମିଳିଥିଲା ଯେ, ଭାରତୀୟ ବାୟୁସେନାର ଆକ୍ରମଣରେ ଆତଙ୍କୀଙ୍କ ଏକ ବଡ ଆଡ୍ଡା ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ।

୧୦. ପାକିସ୍ତାନ ସଂଯୁକ୍ତ ରାଷ୍ଟ୍ରରେ ଭାରତ ବିରୋଧରେ ବାଲାକୋଟରେ ଗଛ ନଷ୍ଟ ହେବାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ସୂଚନା ଅନୁଯାୟୀ, ଆତଙ୍କବାଦୀ ସଂଗଠନ ଜୈସେର ଆଡ୍ଡା ଜଙ୍ଗଲ ମଧ୍ୟରେ ରହିଥିଲା ।