ପୁରୁଣା ଚିଠିରେ ବିଗିଡ଼ା ସମ୍ପର୍କର ପ୍ରମାଣ । ବର୍ଷା ଲେଖିଥିଲେ, ମୋ ଜୀବନ ନୁହେଁ ଖେଳଘର, ଯେତେ ଦୂରେଇବ ସେତେ ସମସ୍ୟା ବଢିବ : ଏକଚାଟିଆ ନିଷ୍ପତି ନେବାର ନାହିଁ ଅନୁଭବଙ୍କ ଅଧିକାର

2,140

କନକ ବ୍ୟୁରୋ :  କୋର୍ଟ କଚେରୀର କାନ୍ଥ ବାଡ ଡେଇଁ ସୋସିଆଲ ମିଡିଆରେ ଝଡ ସୃଷ୍ଟି କରୁଛି ବର୍ଷା-ଅନୁଭବ ବିବାଦ । ଆରୋପ ପ୍ରତ୍ୟାରୋପ ଆଉ ସାଂଘାତିକ ଅଭିଯୋଗ ଭିତରେ ଅନୁଭବଙ୍କ ଉଦ୍ଦେଶ୍ୟରେ ବର୍ଷା ଲେଖିଥିବା ଏକ ଚିଠି ଆମର ହସ୍ତଗତ ହୋଇଛି । ଯେଉଁଥିରେ ବର୍ଷା ସଫା ସଫା ଲେଖିଛନ୍ତି କିଭଳି ଯୋଜନାବଦ୍ଧ ଭାବେ ବିଛେଦ ପାଇଁ ଅନୁଭବ ଉଦ୍ୟମ କରୁଥିଲେ । ଓଲିଉଡର କୁଇନ ଲେଖିଛନ୍ତି

ଯଦି ଅଲଗା ହେବାକୁ ଚାହୁଁଛ, ତେବେ ମୋ ସହ ଆସି ଆଲୋଚନା କର । ବିଶ୍ୱାସ କର, ମୋଠାରୁ ଯେତେ ଦୂରେଇବ ସମସ୍ୟା ସେତେ ବଢିଚାଲିବ । ତୁମେ ମୋ ଠାରୁ ଅଲଗା ହେବାକୁ ଦୀର୍ଘଦିନରୁ ଯୋଜନା କରୁଥିଲ । ଏହା ମୋର ସନ୍ଦେହ ଥିଲା । ମତେ ନପଚାରି ଗୋଟିଏ ମେସେଜ ଦେଇ ଏତେ ବଡ ନିଷ୍ପତ୍ତି ନେଇପାରିବନି ।

ବିବାହ ବିଛେଦ ପାଇଁ ଅନୁଭବ କରୁଥିଲେ କି ଷଡଯନ୍ତ୍ର?

ଦୀର୍ଘ ଦିନରୁ ଯୋଜନା କରି ନେଉଥିଲେ କି ପଦକ୍ଷେପ?

ବର୍ଷାଙ୍କ ଏହି କେଇପଦ କଥା ସ୍ପଷ୍ଟ ଭାବେ ପ୍ରମାଣିତ କରୁଛି, ଓଲିଉଡର ଏହି ଷ୍ଟାର କପୁଲଙ୍କ ଜୀବନରେ ବହୁ ଦିନରୁ ଝଡ ଉଠିଥିଲା । ବାତ୍ୟା ସମୁଦ୍ର ଭିତରେ ରହି ନିଜ ଶକ୍ତି ବଢାଇଲା ଭଳି, ଅନୁଭବ-ବର୍ଷାଙ୍କ ଭିତରେ ବଢିଥିବା ତିକ୍ତତା ଏବେ ଘରର ଚାରିକାନ୍ଥ ଡେଇଁ ଚାଖଟି ଯାଏଁ ପହଁଚିଲାଣି । ଯେଉଁଥିରେ ଉଭୟ ପକ୍ଷରୁ ସାଂଘାତିକ କଥା କୁହାଯାଉଛି ।

ବର୍ଷା ପୂର୍ବରୁ ଅନୁଭବଙ୍କୁ ଲେଖିଥିବା ଚିଠିରେ କହିଛନ୍ତି,

– ଅନୁଭବ, ମୋ ଜୀବନ ଖେଳଘର ନୁହେଁ । ଆଉ ମୋ ଜୀବନ ବାବଦରେ ନିଷ୍ପତ୍ତି ନେବାର ଏକଚାଟିଆ ଅଧିକାର ତୁମର ନାହିଁ । ମୁଁ ତୁମର ରିମୋଟ କଂଟ୍ରୋଲର ନୁହେଁ । ଯେତେବେଳେ ବିବାହ କରିବାକୁ ଚାହିଁବ ବାହାହେବ, ଆଉ ଯେତେବେଳେ ଚାହିଁବ ଘରୁ ବାହାର କରି ମତେ ଫୋପାଡି ଦେବ ।

ଦୁଇ ପୃଷ୍ଠାର ଏହି ଚିଠିରେ ବର୍ଷା କହିଛନ୍ତି ଯେ ସେ ଲୁଚିଛପି ଚୋର ଭଳି ବାହା ହୋଇନି ଯେ ପରିବାର ସଦସ୍ୟଙ୍କୁ ସବୁ କଥା ଲୁଚାଇବି । ଯାହା ବି ନିଷ୍ପତି ହେବ ଆଲୋଚନା ମାଧ୍ୟମରେ ହିଁ ହେବ । ବର୍ଷାଙ୍କ ନଜରରେ ଅନୁଭବ ହେଉଛନ୍ତି, ପୃଥିବୀର ସବୁଠାରୁ କୃତଘ୍ନ ମଣିଷ ।

ଅନ୍ୟପଟେ ପୂର୍ବରୁ ଅନୁଭବ ବର୍ଷାଙ୍କୁ ଟାର୍ଗେଟ କରି କହିଛନ୍ତି, ଜଣେ ମହିଳା ଯିଏ ନିଜ ସ୍ୱାମୀଙ୍କ ସହ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ରହିବ ବୋଲି କହୁଛନ୍ତି, ସେ କିଭଳି ୧୫ କୋଟି କ୍ଷତିପୂରଣ ଏବଂ ମାସିକ ୭୦ ହଜାର ଟଙ୍କା ଦାବି କରୁଛନ୍ତି । ବର୍ଷା ଅନୁଭବଙ୍କ ଦାମ୍ପତ୍ୟ ଜୀବନରେ ଉଠିଥିବା ଝଡ ସାମାଜିକ, ରାଜନୈତିକ ତଥା ଓଲିଉଡ ଜଗତକୁ ପ୍ରଭାବିତ କରିଛି । ଆଗକୁ ମାମଲା କେଉଁ ମୋଡ ନେବ ତାଉପରେ ନଜର ।