ବସ୍ତି ଉଚ୍ଛେଦ ପରେ ଖୋଲା ଆକାଶ ତଳେ ବସ୍ତି ବାସିନ୍ଦା । ଖରା ମାଡି ଆସୁଥିବା ବେଳେ ବାସକୁ ନେଇ ଚିନ୍ତାରେ କନ୍ଧମାଳ ଖଜୁରୀପଡା ସୁରାଦେଇ ବସ୍ତିର ୩୭ଟି ପରିବାର

ଆଗକୁ ଯୁକ୍ତ ୨ ପରୀକ୍ଷା ଥିବାରୁ ଚିନ୍ତାରେ ବସ୍ତିରେ ରହୁଥିବା ପରୀକ୍ଷାର୍ଥୀ

248

କନକ ବ୍ୟୁରୋ: ୨ ଘଂଟାରେ ୨ଟି ବୁଲଡୋଜର ମାଡରେ ମାଟିରେ ମିଶିଲା ବସ୍ତା । ୩୦ ବର୍ଷର ବସ୍ତି ଉଚ୍ଛେଦ ପରେ ଖୋଲା ଆକାଶ ତଳେ ରାତି କାଟୁଛନ୍ତି ବସ୍ତି ବାସିନ୍ଦା । ଆଗକୁ ଖରା ଦିନ ମାଡି ଆସୁଥିବା ବେଳେ ବାସକୁ ନେଇ ଚିନ୍ତାରେ କନ୍ଧମାଳ ଖଜୁରୀପଡା ସୁରାଦେଇ ବସ୍ତିର ୩୭ଟି ପରିବାର । ସେପଟେ ଆଗକୁ ଯୁକ୍ତ ୨ ପରୀକ୍ଷା ଥିବାରୁ ବସ୍ତିରେ ରହୁଥିବା ପରୀକ୍ଷାର୍ଥୀ କେମିତି ପାଠ ପଢି ପରୀକ୍ଷା ଦେବେ ବୋଲି ପ୍ରଶାସନକୁ ପ୍ରଶ୍ନ କରିଛନ୍ତି ।

ମାଡି ଆସୁଛି ଖରା ଦିନ । ଆଉ ଏତିକି ବେଳେ ବସ୍ତି ଉଚ୍ଛେଦ କରିଛି ପ୍ରଶାସନ । ଏବେ ମୁଣ୍ଡ ଉପରେ ଛାତ ନାହିଁ କି ଚାରିପଟେ କାଂଥ ନାହିଁ । ପ୍ରଶାସନର ଉଚ୍ଛେଦ ପରେ ଖୋଲା ଆକାଶ ତଳେ ବସ୍ତି ବାସିନ୍ଦା । କନ୍ଧମାଳ ଖଜୁରୀପଡା ସୁରାଦେଇ ବସ୍ତିର ୩୭ଟି ପରିବାର ଏବେ ପୁରା ବାସହରା । ବର୍ଷ ବର୍ଷ ଧରି ପରିଶ୍ରମ କରି ବସ୍ତି ବାସିନ୍ଦା ତିଆରି କରିଥିବା ଘରକୁ ମାତ୍ର ୨ ଘଂଟାରେ ମାଟିରେ ମିଶାଇ ଦେଇଛି ପ୍ରଶାସନର ୨ଟି ବୁଲଡୋଜର । ପ୍ରଶାସନର ବୁଲଡୋଜର ମାଡରେ ଘରଦ୍ୱାର ମାଟିରେ ମିଶିବା ପରେ ୫ ଦିନ ହେହ ଗଛମୂଳେ ମୁଣ୍ଡ ଗୁଂଜିଛନ୍ତି ଗର୍ଭବତୀ ମହିଳା, ଖୋଲା ଆକାଶ ତଳେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ ।

୩୦ ବର୍ଷ ଧରି ଖଜୁରୀପଡା ସୁରାଦେଇ ବସ୍ତିରେ ରହିଆସୁଥିଲେ ଏମାନେ । ସରକାରୀ ଜାଗାକୁ ଜବରଦଖଲ କରି ରହୁଥିବା ବସ୍ତି ବାସିନ୍ଦା ସରକାରଙ୍କୁ ଖଜଣା ମଧ୍ୟ ଦେଉଥିଲେ । ମାତ୍ର ୭ ଦିନ ଆଗରୁ ନୋଟିସ ଦେଇ ଗତ ୮ ତାରିଖ ଦିନ ଖଜୁରୀପଡା ସୁରାଦେଇ ବସ୍ତି ଉଚ୍ଛେଦ କରି ଦେଇଛି ପ୍ରଶାସନ । ତେବେ ବସ୍ତି ବାସିନ୍ଦାଙ୍କ ପାଇଁ କୌଣସି ବ୍ୟବସ୍ଥା ନକରି ପ୍ରଶାସନ ଉଚ୍ଛେଦ କରିଥିବାରୁ ବାସହରାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଯୁକ୍ତ ୨ ପରୀକ୍ଷ ଥିବା ବେଳେ ଏଭଳି ଉଚ୍ଛେଦ ବସ୍ତିରେ ରହୁଥିବା ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ବୋଲି ଅଭିଯୋଗ କରିଛନ୍ତି ଜଣେ ବାସହରା ମାଆ ।

ଘର ଦ୍ୱାର ଭାଙ୍ଗି ଯିବା ପରେ ଭଙ୍ଗା ଘର ଭିତରୁ ଘରର ସାମଗ୍ରୀ ସାଉଁଟୁଛନ୍ତି ବାସହରା ବସ୍ତି ବାସିନ୍ଦା । ତେବେ ସରକାର ଖୁବ୍ଶୀଘ୍ର ଏହି ବାସହରା ମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ନକଲେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଧମକ ଦେଇଛନ୍ତି ।