ରିମାଣ୍ଡ ଅବଧି ସରିବା ପରେ ଜେଲ ଗଲେ ପାଠକ ବାପ-ପୁଅ: ଅଭୟ କହିଲେ, ତାଙ୍କ ବିରୋଧରେ ହୋଇଛି ଷଡଯନ୍ତ୍ର, ଚାକିରି କରୁଛନ୍ତି ଆକାଶ

ଏପଟେ ଜେରା ବେଳେ ଭିଜିଲାନ୍ସ ହାତରେ ଲାଗିଛି ପୁଳା ପୁଳା ଆର୍ଥିକ କାରବାରର ତଥ୍ୟ

134

କନକ ବ୍ୟୁରୋ: ରିମାଣ୍ଡ ଅବଧି ସରିବା ପରେ ଜେଲ ଗଲେ ପାଠକ ବାପା-ପୁଅ । ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଝାରପଡା ଜେଲକୁ ପଠାଇ ଦେଇଛନ୍ତି ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟ । ତେବେ ଆଉ ପାଠକ ବାପା-ପୁଅଙ୍କୁ ରିମାଣ୍ଡରେ ନେବାର ଆବଶ୍ୟକତା ନଥିବା କହିଛନ୍ତି ଭିଜିଲାନ୍ସ ତଦନ୍ତକାରୀ ଅଧିକାରୀ ହରିଶଙ୍କର ପତି । ଠକେଇ ଓ ଆର୍ଥିକ କାରବାର ବାବଦରେ ଯାହା ତଥ୍ୟ ମିଳିବା କଥା ତାହା ମିଳିଛି । ଏହି ଘଟଣାରେ କୌଣସି ଷଡଯନ୍ତ୍ର ହୋଇ ନଥିବା ସେ ସ୍ପଷ୍ଟ କରିଛନ୍ତି ।

ଆଇଏଫଏସ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଜେରା ବେଳେ ଭିଜିଲାନ୍ସ ହାତରେ ଲାଗିଛି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଭିଜିଲାନ୍ସ ଏସଆଇଟି ଟିମର ଘନ ଘନ ଜେରା ବେଳେ ଅନେକ ତଥ୍ୟ ସାମନାକୁ ଆସିଛି । ଗିରଫ ପୂର୍ବରୁ ନଭେମ୍ବର ମାସରେ ବାପା , ପୁଅ ମିଳିତ ଭାବେ ଯାଇକି ଭୁବନେଶ୍ୱରରେ ଟଙ୍କା ଡିପୋଜିଟ କରିଥିଲେ । ଥରେ ୫୦ ଲକ୍ଷ ଓ ଆଉ ଥରେ ୩୫ ଲକ୍ଷ ଏଡିଏଫସି ଓ ଆଇସିଆଇସିଆଇ ବ୍ୟାଙ୍କର ଡିପୋଜିଟ କରିଛନ୍ତି । ସବୁ ଟଙ୍କା ଆକାଶ ପାଠକଙ୍କ ଆକାଉଂଟକୁ ଯାଇଛି । ଏହା ସହ ଝିଅ ବାହାଘର ପାଇଁ ୬୦ ଳକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ମାନିଛନ୍ତି । ଝିଅକୁ ପାଠ ପଢେଇବାକୁ ୯୦ ଲକ୍ଷ ଖର୍ଚ୍ଚ ହୋଇଥିବା ବେଳେ ପୁଅ ପାଠପଢା ପାଇଁ ୨୦ ଲକ୍ଷ ଖର୍ଚ୍ଚ ହୋଇଛି । ପୁଅ ବାହାଘର ପାଇଁ ୧୦ କୋଟିର ବଜେଟ ଥିଲା ବୋଲି ଅଭୟକାନ୍ତ ପାଠକ ଜେରା ବେଳେ କହିଛନ୍ତି ।

ଅଭୟ ଯେଉଁ ଦାୟିତ୍ୱରେ ଥିଲେ, ସେଠାରେ କଣ ଦୁର୍ନୀତି କରିଛନ୍ତି ସେ ନେଇ ଖୋଳତାଡ଼ ଚାଲିଛି । ଗତ ୩ ବର୍ଷ ଭିତରେ ବନିକରଣରେ ୬୦୦ କୋଟି ଖର୍ଚ୍ଚ ହୋଇଛି । ସେଠାରେ ହୋଇଥିବା ଘୋଟାଲା ବାବଦରେ ମଧ୍ୟ ଛାନଭିନ ଚାଲିଛି । ଜେରା ବେଳେ ଆକାଶ ପାଠକ କହିଛନ୍ତି, ସେ ଟାଟାର କର୍ମଚାରୀ ଥିଲେ, କିନ୍ତୁ କମ୍ପାନୀ ତାଙ୍କୁ ସର୍ପୋଟ କରୁନାହିଁ । ପାଠକ ବାପ, ପୁଅଙ୍କୁ ରିମାଣ୍ଡରେ ନେବାକୁ ଆଉ ଆବେଦନ କରିବନି ପୁଲିସ । ୩ ଦିନିଆ ରିମାଣ୍ଡରେ ଆଣି ଉଭୟଙ୍କୁ ଗୁଡାଇତୁଡାଇ ପ୍ରଶ୍ନ କରିଛି ଭିଜିଳାନ୍ସ । ଆଜି ରିମାଣ୍ଡ ଅବଧି ସରିବା ପରେ ଉଭୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ କୋର୍ଟରେ ହାଜର କରାଯାଇଥିଲା ।