ପଞ୍ଜାବ କଂଗ୍ରେସର କ୍ୟାପ୍ଟେନ ରହିବେ ନବଜ୍ୟୋତ ସିଂ ସିଦ୍ଧୁ । ଫେରାଇ ନେଲେ ଇସ୍ତଫା ପତ୍ର 

135

କନକ ବ୍ୟୁରୋ : ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦରେ ରହିବେ ନବଜ୍ୟୋତ ସିଂ ସିଦ୍ଧୁ । ଶୁକ୍ରବାର ଦିଲ୍ଲୀରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ମନ ବଦଳାଇଛନ୍ତି ସିଦ୍ଧୁ । ରାହୁଲଙ୍କୁ ଭେଟିବା ପରେ ସିଦ୍ଧୁ ନିଜ ଇସ୍ତଫା ପତ୍ର ଫେରାଇ ନେଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂଙ୍କ ବିରୋଧ ସତ୍ୱେ ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଦାୟିତ୍ୱ ଦେଇଥିଲେ କଂଗ୍ରେସ ହାଇକମାଣ୍ଡ । ଏହାପରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ ଚରଣଜିତ୍ ସିଂ ଚନ୍ନି ।

ତେବେ ମୁଖ୍ୟମନ୍ତ୍ରୀ ଚନ୍ନୀଙ୍କ ସହ ମତଭେଦ ହେବାରୁ ପିସିସି ସଭାପତି ପଦରୁ ସିଦ୍ଧୁ ଇସ୍ତଫା ଦେଇଥିଲେ । ରାହୁଲଙ୍କୁ ଭେଟିବା ପରେ ସିଦ୍ଧୁ କହିଛନ୍ତି, ଯାହା ବି ସମସ୍ୟା ଥିଲା ତାହା ରାହୁଲ ଗାନ୍ଧୀଙ୍କୁ ଜଣାଇଛି । ଏବଂ ସବୁ ସମସ୍ୟାର ସମାଧାନ ହୋଇଛି ବୋଲି ସେ କହିଛନ୍ତି । ଅନ୍ୟପଟେ ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାୱତ କହିଛନ୍ତି, ପଂଜାବ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଭାବେ କାମ କରିବେ ବୋଲି ସିଦ୍ଧୁ କଂଗେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।