ପଞ୍ଜାବରେ କେଜ୍ରିୱାଲଙ୍କ ବଡ ଘୋଷଣା । ସରକାରକୁ ଆସିଲେ, ମାଗଣା ଚିକିତ୍ସା, ମାଗଣା ଅପରେସନ, ମାଗଣା ଔଷଧ ମିଳିବ । 

191

କନକ ବ୍ୟୁରୋ : ପଞ୍ଜାବ ରାଜନୀତିରେ ଏବେ ଘଡିକେ ଘୋଡା ଛୁଟିଛି ।  ପଞ୍ଜାବ ରାଜନୀତିର ମୋଡ କେଉଁ ଆଡକୁ ଗତି କରିବ ତାହାର ଆକଳନ ଏବେଠୁ ଲଗାଇବା କଷ୍ଟକର ବ୍ୟାପାର । ଯେହେତୁ ଆସନ୍ତାବର୍ଷ ପଞ୍ଜାବରେ ନିର୍ବାଚନ ହେବାକୁ ଅଛି ତେଣୁ ଏହାପୂର୍ବରୁ ରାଜନୈତିକ ଉଷ୍ମତା ଏବେଠୁ ବାରି ହେଲାଣି । ଆଉ ଏଭଳି ଏକ ମାହୋଲରୁ ଫାଇଦା ନେବାକୁ ପଞ୍ଜାବବାସୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ଆପ୍ ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ପଞ୍ଜାବ ଗସ୍ତରେ ଯାଇ କେଜ୍ରିୱାଲ କହିଛନ୍ତି, ରାଜ୍ୟରେ ଆପ୍ ସରକାର ଆସିଲେ ପଞ୍ଜାବବାସୀଙ୍କୁ ମିଳିବ ମାଗଣା ଚିକିତ୍ସା ସୁବିଧା । ଦିଲ୍ଲୀ ଭଳି ସୁବିଧା ପାଇବେ ପଞ୍ଜାବବାସୀ । ଏହାସହ କଂଗ୍ରେସକୁ ଟାର୍ଗେଟ କରିବା ସହ ସ୍ୱାସ୍ଥ୍ୟସେବାକୁ ନେଇ ପଞ୍ଜାବବାସୀଙ୍କୁ ୬ ସୂତ୍ରୀ ଗ୍ୟାରେଣ୍ଟିର ପ୍ରତିଶ୍ରୁତି ଦେଇଛନ୍ତି କେଜ୍ରିୱାଲ ।

କେଜ୍ରିୱାଲ କହିଛନ୍ତି, ରାଜ୍ୟରେ ଆପ୍ ସରକାର ଆସିଲେ ପଞ୍ଜାବରେ ପ୍ରତିଟି ଲୋକଙ୍କୁ ମାଗଣା ଓ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯିବ ।  ସେହିଭଳି ସମସ୍ତ ଔଷଧ, ସମସ୍ତ ଟେଷ୍ଟ ଓ ଅପରେସନ ମଧ୍ୟ ମାଗଣାରେ ପାଇପାରିବେ ପଞ୍ଜାବବାସୀ । ପଞ୍ଜାବର ପ୍ରତ୍ୟେକ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟ କାର୍ଡ ଦିଆଯିବ, ଯେଉଁଥିରେ ସମସ୍ତ ପ୍ରକାର ତଥ୍ୟ ରହିବ ଏବଂ ରୋଗୀଙ୍କୁ ନିଜର ରିପୋର୍ଟ ଧରି ସବୁ ସ୍ଥାନକୁ ଯିବାକୁ ପଡିବନି । ଏହାଛଡଶ ପଞ୍ଜାବର ପିଣ୍ଡି କ୍ଲିନିକ୍ ଖୋଲାଯିବ । ରାଜ୍ୟରେ ପ୍ରାୟ ୧୬ ହଜାର ପିଣ୍ଡି କ୍ଲିନିକ ଖୋଲାଯିବ । ସମସ୍ତ ସରକାରୀ ହସ୍ପିଟାଲକୁ ନୂଆ ରୂପ ଦିଆଯିବ, ପ୍ରାଇଭେଟ ହସ୍ପିଟାଲର ସୁବିଧା ସରକାରୀ ହସ୍ପିଟାଲରେ ପାଇବେ ରୋଗୀ ।  ଯଦି କୌଣସି ବ୍ୟକ୍ତି ସଡକ ଦୁର୍ଘଟଣାରେ ଆହତ ହୁଅନ୍ତି ତେବେ ତାଙ୍କର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ । ଯେକୌଣସି ହସ୍ପିଟାଲରେ ଚିକିତ୍ସା ହେଲେ ମଧ୍ୟ ପୀଡିତଙ୍କ ପକେଟରୁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ ହେବନି ।

ସେହିଭଳି କଂଗ୍ରେସକୁ ଟାର୍ଗେଟ କରି କେଜ୍ରିୱାଲ କହିଛନ୍ତି, ପଞ୍ଜାବରେ କ୍ଷମତା ପାଇଁ କଂଗ୍ରେସରେ ଲଢେଇ ଚାଲିଛି, ଦଳର ପ୍ରତ୍ୟେକ ନେତା ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି । ତେବେ କେଜ୍ରିୱାଲ କହିଛନ୍ତି, ଠିକ୍ ସମୟରେ ଆପ୍ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ । ପଞ୍ଜାବକୁ ଜଣେ ଭଲ ମୁଖ୍ୟମନ୍ତ୍ରୀ ଦେବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେଜ୍ରିୱାଲ । ଏହାପୂର୍ବରୁ ମାଗଣା ବିଜୁଳିର ଘୋଷଣା କରିଥିବା କେଜ୍ରିୱାଲ ଏଥର ମାଗଣା ଚିକିତ୍ସା ଦେବାକୁ ଘୋଷଣା କରି ଭୋଟରଙ୍କ ମନ ଜିଣିବାକୁ ଚେଷ୍ଟା କରିଛନ୍ତି । ତେବେ ପଞ୍ଜାବରେ ଆପ୍ କିଭଳି ପ୍ରଦର୍ଶନ କରିବ ଓ ଭୋଟର କିଭଳି ଆପ୍ କୁ ଗ୍ରହଣ କରିବେ ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ ।