ସେଦିନ ସମସ୍ତେ ଚାହିଁ ଥିଲେ, କେହି ଆଗେଇ ଆସିଲେନି, ବାଧ୍ୟବାଧକତାରେ ସ୍ତ୍ରୀକୁ ଉଠାଇଲେ ସ୍ୱାମୀ । ହସ୍ପିଟାଲର ଜଣେ ଷ୍ଟାଫ ନର୍ସ ଓ ଜଣେ ଆଟେଡାଣ୍ଟ ନିଲମ୍ବିତ ।

159

କନକ ବ୍ୟୁରୋ: ମହାମାରୀରେ ମାନବିକତାର ମୃତ୍ୟୁ । ଫୁଲବାଣୀର ଏହି ଖବର ଦେଖିଲେ ଆପଣ ବି କହିବେ କେତେ ସ୍ୱାର୍ଥପର ଏଇ ଦୁନିଆ । ଫୁଲବାଣୀରେ ଏକା ଏକା ହସ୍ପିଟାଲ ବେଡରୁ ଷ୍ଟ୍ରେଚର ଯାଏଁ ନିଜ ପତ୍ନୀର ମୃତଦେହକୁ ଆଣିଥିଲେ ସ୍ୱାମୀ । ଆଉ କ୍ୟାମେରାରେ କଏଦ ହୋଇଥିଲା ସେହି ହୃଦୟ ବିଦାରକ ଦୃଶ୍ୟ । ଆଉ ସେହି ସମୟର ଅନୁଭୂତିକୁ କ୍ୟାମେରା ଆଗରେ ବଖାଣିଛନ୍ତି ହତଭାଗା ସ୍ୱାମୀ । ସେହିପରି ଖଲିକୋଟରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ସ୍ୱାମୀଙ୍କ ମୃତ୍ୟୁ ପରେ ସଂପର୍କୀୟ ଦୁଇ ମହିଳାଙ୍କ ସହ ମୃତଦେହକୁ ଟେକି ଟେକି ନେଇଛି ସ୍ତ୍ରୀ । ସମସ୍ତେ ଦେଖଣାହାରୀ ସାଜିଥିଲେ, ସହାୟତା କରିବାକୁ କେହି ଆସିନଥିଲେ ।

ଚଟାଣରେ ଗଡୁଛି କଅଁଳା ଶିଶୁ । ଛାଟିପିଟି ହେଉଛି, କାନ୍ଦି କାନ୍ଦି ମା’ର କୋଳ ଖୋଜୁଛି । ହେଲେ, ମା’ ଏଦୁନିଆରେ ନାହିଁ । ସେ ବୁହା ହୋଇଯାଉଛି, ଠେଲା ହୋଇ ଷ୍ଟ୍ରେଚର୍ରେ ଯାଉଛି । ସ୍ୱାର୍ଥପର ଦୁନିଆରେ ସହଯୋଗର ହାତଟିଏ ମିଳିଲାନି ବୋଲି ଶବ ଏଠି ଏକା ଏକା ଯାତ୍ରା କରୁଛି । କନ୍ଧମାଳ ହସ୍ପିଟାଲର ଦୟନୀୟ ଘଟଣା ହିଁ ବୟାନ କରୁଛି, ଆମେ ମଣିଷକୁ କେତେ ଅସହାୟ ହେବାକୁ ଛାଡ଼ି ଦେଉ । ସ୍ୱାମୀ ଏକା ଶବ ଉଠାଉଛି । ଶବକୁ ବୋହି ପାହଚ ପରେ ପାହାଚ ଓହ୍ଲାଉଥିବ । ପାଖରେ ଥିବା ଲୋକଙ୍କ ପାଟି ଶୁଭୁଛି । ହେଲେ କେହି ଆସୁ ନାହାଁନ୍ତି ।

କନ୍ଧମାଳ ମତିଙ୍ଗିଆ ଗାଁର ଋତୁମତି କହଁର ଏବଂ ତାଙ୍କ ସ୍ୱାମୀ ବାଳକୃଷ୍ଣ କହଁରଙ୍କ ଇଏ ହେଉଛି କାହାଣୀ । ସ୍ତ୍ରୀ ରକ୍ତହୀନତା ରୋଗୀ ଥିଲେ । ଚିକିତ୍ସା ପାଇଁ ତାଙ୍କୁ ୨୯ ତାରିଖରେ ହସ୍ପିଟାଲ ଅଣିଥିଲେ ବାଳକୃଷ୍ଣ । ଆଉ ୩୦ ତାରିଖରେ ତାଙ୍କ ମୃତ୍ୟୁ ହୋଇଥିଲା । ହେଲେ ଶବକୁ ଗାଡ଼ି ଯାଏଁ ନେବାରେ କାହାର ହାତ ବଢ଼ିନଥିଲା । ବାପାର କାନ୍ଧରେ ଶୋଇ ରହିଥିଲା ମା’ ଛେଉଣ୍ଡ ଛୁଆ । ଦେଢ଼ ମାସର ଛୁଆ ଜାଣିବା ସ୍ଥିତିରେ ନାହିଁ, ସେ ତା ସହ ଏବଂ ତା ପରିବାର ସହ କଣ ଘଟିଯାଇଛି । ତେବେ କେମିତି ଥିଲା ସେଦିନର ଅନୁଭତି ବୟାନ କରିଛନ୍ତି ବାଳକୃଷ୍ଣ କହଁର ।

ଫୁଲବାଣୀ ଭଳି ଗଂଜାମ ଖଲିକୋଟ ମେଡିକାଲରେ ମଧ୍ୟ ସ୍ୱାମୀର ଶବକୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଟେକି ଟେକି ନେଇଛନ୍ତି ସ୍ତ୍ରୀଙ୍କ ସହ ୩ଜଣ ମହିଳା । ମେଡିକାଲରେ ଥିବା କର୍ମଚାରୀ ଠାରୁ ଆରମ୍ଭ କରି ରାସ୍ତାରେ ଯାଉଥିବା ଲୋକ ଦେଖେଣା ହାରି ସାଜିଥିଲେ, ହେଲେ କେହି ବି ସାହାର୍ଯ୍ୟ କରିବାକୁ ଆଗକୁ ଆସିନଥିଲେ ।