ମାଆ ମାନେ ଜନ୍ମରୁ ନେତା, ଦେଶର ନେତୃତ୍ୱ ନେବାରେ ଅସୁବିଧା ନାହିଁ । ମହିଳା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ ।

145

କନକ ବ୍ୟୁରୋ : ମହିଳା ଦିବସରେ ବିଜେଡିର ମହିଳା ସମାବେଶ । ଆଉ ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ମହିଳାଙ୍କୁ ନେଇ ବଡ ବୟାନ ରଖିଛନ୍ତି । ବିଜେଡିର ଫୋକସରେ ମହିଳା ମାନେ ରହିଛନ୍ତି । ମାଆ ମାନଙ୍କ ସ୍ୱପ୍ନକୁ ସାକାର କରିବାକୁ ବିଜେଡି କାମ କରୁଛି । ଯେଉଁଥିପାଇଁ ପଞ୍ଚାୟତ ଓ ପୌର ନିର୍ବାଚନରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ରଖିଛୁ । ସେହିଭଳି ସଂସଦ ନିର୍ବାଚନରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ବ୍ୟବସ୍ଥା କରିଛୁ ବୋଲି ନବୀନ କହିଛନ୍ତି ।

ମହିଳା ମାନଙ୍କୁ ସଶକ୍ତ କରିବାକୁ ବିଜେଡି ସବୁବେଳେ ଉଦ୍ୟମ କରି ଆସିଛି । ଏପରିକି ବିଜୁ ବାବୁ ଦେଶର ମହିଳାଙ୍କ ଉନ୍ନତି ପାଇଁ କାମ କରି ଆସୁଥିଲେ । ଯାହାକୁ ଆମେ ଆଗକୁ ନେଉଛୁ ବୋଲି କହିଛନ୍ତି ନବୀନ । ମାଆ ମାନେ ଜନ୍ମରୁ ନେତା, ଯେଉଁ ମାଆ ମାନେ ଘରର ଦାୟିତ୍ୱ ସୂଚାରୁ ରୂପେ ତୁଲାଉଛନ୍ତି ସେମାନେ ଦେଶର ନେତୃତ୍ୱ ନେବାରେ ଅସୁବିଧା କେଉଁଠି? ପ୍ରତିଟି ମା’ଙ୍କ ଭିତରେ ନେତୃତ୍ୱ ନେବାର କ୍ଷମତା ରହିଛି  । ତେଣୁ ମାଆର ସେହି ଶକ୍ତିକୁ ଦେଶର ବିକାଶରେ ଉପଯୋଗ କରିବାକୁ ହେବ । ସେଥିପାଇଁ ବିଭିନ୍ନ କ୍ଷେତ୍ରରେ ମହିଳାଙ୍କୁ ପୋତ୍ସାହିତ କରି ଆସୁଛି ବିଜେଡି । ମାଆ ମାନଙ୍କ ବିକାଶ ପାଇଁ ବିଜେଡି ସବୁବେଳେ ଲଢେଇ କରିବ ବୋଲି କହିଛନ୍ତି ନବୀନ । ଏହାଛଡା ଆମେ କଥାରେ ନୁହେଁ ବରଂ କାମରେ ବିଶ୍ୱାସ କରୁ ବୋଲି ନବୀନ ନିଜ ଉଦବୋଧନରେ କହିଛନ୍ତି ।

ବିନା ସୁଧରେ ଋଣ ହେଉ ବା ୫ ହଜାର କୋଟି ଟଙ୍କାର ସରକାରୀ କାମ, ମା ମାନଙ୍କ ପାଇଁ ୭ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା, ମାଆ ମାନଙ୍କ କଲ୍ୟାଣ ପାଇଁ ଜମି ଅଧିକାର, ସମ୍ପତ୍ତି ଅଧିକାର , ରାଶନ କାର୍ଡ , ଝିଅ ମାନଙ୍କ ପଢିବା ପାଇଁ ବୃତ୍ତି, ଆଦି ଅନେକ କାର୍ଯ୍ୟକ୍ରମ କରାଯାଉଛି । ମାଆ ମାନଙ୍କ କଲ୍ୟାଣ ଓ ଅଧିକାର ପାଇଁ ବିଜୁ ଜନତା ଦଳର ଲଢେଇ ଜାରି ରହିବ ବୋଲି କହିଛନ୍ତି ନବୀନ ।