ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ, ଦେଶର ମହିଳାମାନଙ୍କ ଅଧିକାରକୁ ନେଇ କୋର୍ଟ କହିଲେ ଏଭଳି କଥା

3,134

କନକ ବ୍ୟୁରୋ : ଦେଶରେ ମହିଳାମାନଙ୍କର ଅଧିକାରକୁ ନେଇ ଆଜି ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଶୁଣାଇଛନ୍ତି । କୋର୍ଟଙ୍କ ରାୟ ମୁତାବକ ଦେଶର ସମସ୍ତ ମହିଳାମାନଙ୍କର ଗର୍ଭପାତ ଅଧିକାର ରହିଛି । ସେ ବିବାହିତ ହୁଅନ୍ତୁ ବା ଅବିବାହିତ କୌଣସି ମହିଳା ଗର୍ଭପାତ କରାଇପାରିବେ । ଗର୍ଭପାତ ପାଇଁ ମେଡିକାଲ ଟର୍ମିନେସନ ଅଡ଼ ପ୍ରେଗ୍ନେସି (ଏମଟିପି) ଆଇନ ଆଧାରରେ ସ୍ୱାମୀଙ୍କ ଦ୍ୱାରା ଜୋର ଜବରଦସ୍ତ ଯୌନ ସଂପର୍କକୁ ଦୁଷ୍କର୍ମ ବୋଲି ବିବେଚନା କରାଯିବ ବୋଲି କୋର୍ଟ ମଧ୍ୟ କହିଛନ୍ତି । ଏମଟିପି ଆଇନ ଆଧାରରେ ବିବାହିତ କିମ୍ବା ଅବିବାହିତ ମହିଳାଙ୍କ ମଧ୍ୟରେ ସମ୍ବିଧାନ ପ୍ରାଚୀର ହୋଇ ଠିଆ ହୋଇପାରିବ ନାହିଁ । ଏହି କ୍ରମରେ ଜଣେ ମହିଳା ଗର୍ଭଧାରଣ କରିବାର ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରାଇ ପାରିବେ ।

ଏକ ମାମଲାର ଶୁଣାଣି କରି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡଙ୍କ ବେଞ୍ଚ କହିଛନ୍ତି କି ଜଣେ ବିବାହିତ ମହିଳାଙ୍କୁ ଗର୍ଭପାତ ଅଧିକାର ଦେବା ଓ ଜଣେ ଅବିବାହିତ ମହିଳାଙ୍କୁ ଏଥିରୁ ବଞ୍ଚିତ କରାଯାଇ ପାରିବ ନାହିଁ । ଏଭଳି ହେଲେ ଏହା ଅନୁଛେଦ ୧୪ କ୍ରମରେ ସମାନତା ଅଧିକାରର ଉଲଙ୍ଘନ ବୋଲି ବେଞ୍ଚ କହିଛନ୍ତି ।

ଜଣେ ୨୫ ବର୍ଷିୟା ଅବିବାହିତ ମହିଳା ଏନେଇ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ନେଇ କୋର୍ଟଙ୍କ ଅନୁମତି ମାଗିଥିଲେ । ପ୍ରଥମେ ଏହି ମାମଲାକୁ ଦିଲ୍ଲୀ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଥିଲେ । ଏହାପରେ ମହିଳା ଜଣଙ୍କ ଉର୍ଚ୍ଚ ନ୍ୟାୟଳରେ ଆବେଦନ କରିଥିଲେ ।