କନକ ବ୍ୟୁରୋ: ଯଦି ପଚରାଯାଏ ଆପଣଙ୍କ ପ୍ରିୟ ଋତୁ କଣ ? ଅନେକ ଉତ୍ତରରେ କୁହନ୍ତି ବର୍ଷା, ବସନ୍ତ କି ଶୀତ... ଏ ଶୀତ ଅନେକଙ୍କୁ ଆନନ୍ଦ ଦିଏ, ଏ ଶୀତ ଅନେକଙ୍କୁ ଉଲ୍ଲସିତ କରେ । ହେଲେ ହାଡଭଙ୍ଗା ଶୀତ ଯେ ଶାସ୍ତି ଦିଏ, ଅଧ ରାତିରେ ଆଖିବୁଜା ନିର୍ଯାତନା ଦିଏ ତାହା ଅସହାୟର ଆତ୍ମଲିପି ପଢିଲେ ହିଁ ଜାଣିହେବ, ଜାଡ କେତେ ଯନ୍ତ୍ରଣା ଦିଏ ବୋଲି... ଶୀତ କିଛି ଲୋକଙ୍କ ପାଇଁ ମଉଜ ଆଣିଦେଇଥିବା ବେଳେ କିଛି ଲୋକଙ୍କ ପାଇଁ ଆଣିଛି ଅଭିଶାପ । ଶୀତ ନାଁ ଶୁଣିଲେ ସେମାନେ ଡରିଯାଆନ୍ତି, ସଞ୍ଜ ବାଜିବା କ୍ଷଣି ସେମାନେ ଭୟରେ ଥରନ୍ତି । ଯାହାର କରୁଣ ଚିତ୍ର ଆସିଛି ମାଲକାନଗିରି କାଲିମେଳା ଅଞ୍ଚଳରୁ...
ଆପଣଙ୍କ ସାମ୍ନାରେ ଶୀତ ଶାସ୍ତିର ଦୁଇଟି ଦୃଶ୍ୟ । ଗୋଟିଏ ଚିତ୍ରରେ ମଣିଷକୁ ରାସ୍ତା କଡରେ ଚାବୁକ ମାରୁଛି ଶୀତ ଆଉ ଅନ୍ୟ ଚିତ୍ରରେ ଶ୍ମଶାନରେ ଶୀତ ସହ ସଙ୍ଘର୍ଷ କରୁଛି ମଣିଷ । ରାସ୍ତା କଡରେ ପଡିରହିଥିବା ଏ ବ୍ୟକ୍ତି ଜଣଙ୍କ ମାନସିକ ବିକାରଗ୍ରସ୍ତ । ଦୁନିଆ ବିଷୟରେ କିଛି ଜାଣି ପାରୁନଥିବାରୁ କାଲିମେଳା ଏମଭି-୯୦ ହରିଚାନ୍ଦ ମନ୍ଦିର ନିକଟ ଏକ ଗଛମୂଳେ ଖୋଲା ଆକାଶ ତଳେ ଶୀତ କାକର ସହି ସେମିତି ପଡିରହିଛନ୍ତି । ମାନସିକ ଭାରସାମ୍ୟ ହରାଇ ଘରୁ ପଳାଇ ଆସିବା ପରେ କଣ ଖାଉଛନ୍ତି, କେଉଁଠି ରହୁଛନ୍ତି କେହି ଜାଣିନାହାନ୍ତି । ଆଉ ଯେତେବେଳେ ଶୀତ ୧୪୪ ଧାରା ଜାରି କରୁଛି ସେତେବେଳେ ନିଆଁ ଜାଳି ଜୀବନ ବଞ୍ଚାଇବାକୁ ହାତ ଆପେ ଆପେ ଚାଲିଯାଉଛି ।
ଏପଟେ ଶ୍ମଶାନରେ ବି ଜାଡ ସହ ଯୁଦ୍ଧ କରୁଛନ୍ତି ଅସହାୟ ମହିଳା । ମାନସିକ ବିକାରଗ୍ରସ୍ତ ହୋଇଥିବାରୁ ସିଏ ବି ମଧ୍ୟ ଏ ମଶାଣୀକୁ ଘର ଭାବି ନେଇଛନ୍ତି । ଏଇଠି ରହୁଛନ୍ତି, ଏଇଠି ଶୋଉଛନ୍ତି । ହେଲେ ଏ ହାଡଭଙ୍ଗା ଶୀତ ନା ଶୋଇବାକୁ ଦେଉଛି ନା ବଞ୍ଚିବାକୁ । ଜୁଇର ନିଆଁ ଜାଳି ଜୀବନ ବଞ୍ଚିବାକୁ ପଡୁଛି ।
ତେବେ ଶୀତରୁ ରକ୍ଷା ପାଇବାକୁ ଆମେ କେତେ କଣ ପିନ୍ଧୁଛେ, କେତେ କଣ ଉପାୟ ଆପଣାଉଛେ । ହେଲେ ସେମାନେ ଶୀତ କାକରରେ ସେମିତି ପଡି ରହୁଛନ୍ତି । ନା ଦେହରେ ଅଛି କମ୍ବଳ ନା ଚାଦର । ପଲିଥିନ ଘୋଡି ରାସ୍ତାକଡରେ ବିତୁଛି ଜୀବନ । ତେବେ ଅସହାୟ ନିରାଶ୍ରୟୀଙ୍କ ଉପରେ ନଜର ରଖିବାକୁ ସରକାର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବା ବେଳେ ପ୍ରଶାସନର କିନ୍ତୁ ଏମାନଙ୍କ ଉପରେ ନିଘା ନାହିଁ । ଶୀତ ଶାସ୍ତିର ଏ କରୁଣ କାହାଣୀ ଦେଖିବା ପରେ ମନରେ ଅନେକ ପ୍ରଶ୍ନ ଉଠୁଛି, ସତରେ କଣ ଏମାନଙ୍କର ଜୀବନ ନାହିଁ ? ନା ମାନସିକ ବିକାରଗ୍ରସ୍ତ ବୋଲି ଏମାନଙ୍କୁ ଅଣଦେଖା କରାଯାଉଛି? ଜାଡ ସମସ୍ତଙ୍କୁ ଯନ୍ତ୍ରଣା ଦିଏ, ଶୀତ ସମସ୍ତଙ୍କ ପାଇଁ ସମାନ । କିନ୍ତୁ ଏସବୁ ପରେ କାହିଁକି ଏମାନଙ୍କୁ ଏମିତି ଛଡା ଯାଇଛି? କଣ କାଲିମେଳାରେ ନାହିଁ ରାତ୍ରୀ ଆଶ୍ରୟସ୍ଥଳୀ? ସରକାର ଏମାନଙ୍କ ଉପରେ ଥରେ ଶୁଭଦୃଷ୍ଟି ପଡୁ...?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/24-26.jpg)