ଆଜିଠାରୁ ପ୍ରତି ରବିବାର ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର । ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ଉପରେ ରହିବ ନଜର, କଡ଼ାକଡ଼ି ପାଳନ ହେବ କଟକଣା

163

କନକ ବ୍ୟୁରୋ : ଆଜିଠାରୁ ପ୍ରତି ରବିବାର ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର । ସେହିପରି ସପ୍ତାହକ ଦୁଇ ଥର ସର୍ବସାଧାରଣ ଦର୍ଶନ ପରେ ଶ୍ରୀମନ୍ଦିର ପରିସରକୁ କରାଯିବ ସାନିଟାଇଜ୍ । କରୋନା ସଂକ୍ରମଣ ଆଶଙ୍କା ଥିବାରୁ ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ଉପରେ ନଜର ରଖାଯିବ । ସଂକ୍ରମଣକୁ ଆଖିରେ ପୁରୀ ଶ୍ରୀମନ୍ଦିର ପାଇଁ ନୂଆ ଏସଓପି ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । 

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ସେବାୟତ ଓ ଶ୍ରୀମନ୍ଦିର ସହ ଜଡିତ ସମସ୍ତ ପକ୍ଷଙ୍କ ସହ ବୈଠକ ପରେ ନୂଆ ଏସଓପି ଜାରି କରାଯାଇଛି । ଏସଓପି ଅନୁସାରେ ରବିବାରକୁ ଛାଡି ପ୍ରତିଦିନ ସକାଳ ୬ଟାରେ ସାଧାରଣ ଦର୍ଶନ ଆରମ୍ଭ ହେବ । ସେହିପରି ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ପରିବର୍ତନ କରାଯିବ ନାହିଁ । ପ୍ରତି ରବିବାର ସାଧାରଣ ଦର୍ଶନ ବନ୍ଦ ଥିବା ବେଳେ ମନ୍ଦିରକୁ ସାନିଟାଇଜ କରାଯିବ । ଏହାଛଡା ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ରାତିରେ ସପ୍ତାହକୁ ଦୁଇ ଦିନ ଶ୍ରୀମନ୍ଦିରକୁ ସାନିଟାଇଜ କରାଯିବ ବୋଲି ଏସଓପିରେ ଉଲ୍ଲେଖ ରହିଛି । ଦର୍ଶନ ପାଇଁ ଆସୁଥିବା ସମସ୍ତ ଭକ୍ତଙ୍କୁ କରୋନା କଟକଣା ମାନିବାକୁ ହେବ । ଅନ୍ୟ ରାଜ୍ୟରୁ ଆସୁଥିବା ଭକ୍ତ, ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା କୋଭିଡ କଟକଣାକୁ ପାଳନ କରିବେ । ସ୍ଥିତି ଦେଖି ଏସଓପିରେ ପରିବର୍ତନ କରାଯାଇ ପାରିବ ବୋଲି ଶ୍ରୀମନ୍ଦିର ପ୍ରଶାସକ କହିଛନ୍ତି ।