୫ ବର୍ଷ ମଧ୍ୟରେ ଚତୁର୍ଥ ଥର ପାଇଁ ଭୋଟ୍ ଦେବେ ବିଜେପୁରବାସୀ । ପ୍ରତି ନିର୍ବାଚନ ଦେଖିଛି ପ୍ରାର୍ଥୀ ପରିବର୍ତ୍ତନର ପରମ୍ପରା, ଏଥର କେଉଁ ଦଳରୁ କିଏ ହେବ ପ୍ରାର୍ଥୀ ?

ବିଗତ କିଛି ବର୍ଷ ହେବ ରାଜ୍ୟ ରାଜନୀତିର ସବୁଠାରୁ ଚର୍ଚ୍ଚିତ ଆସନ ମଧ୍ୟରୁ ବିଜେପୁର ହେଉଛି ଅନ୍ୟତମ । କାରଣ ଗତ୨୦୧୪ ସାଧାରଣ ନିର୍ବାଚନଠୁ ଆରମ୍ଭ କରି ୨୦୧୮ ଉପ ନିର୍ବାଚନ ଏବଂ ୨୦୧୯ ନିର୍ବାଚନରେ ପ୍ରମୂଖ ଦଳ ଗୁଡ଼ିକରୁ ପ୍ରାର୍ଥୀ ବଦଳିଥାନ୍ତି ।

577

କନକ ବ୍ୟୁରୋ: ପୁଣି ଉପ-ନିର୍ବାଚନ ଦେଖିବ ବିଜେପୁର । ଦେଢ଼ ବର୍ଷ ଭିତରେ ତୃତୀୟଥର ପାଇଁ ଭୋଟ୍ ଦେବେ ବିଜେପୁରବାସୀ । ଆସନ୍ତା ଅକ୍ଟୋବର ୨୧ ତାରିଖରେ ବିଜେପୁରରେ ହେବ ଉପନିର୍ବାଚନ । କାରଣ ୨୦୧୯ ସାଧାରଣ ନିର୍ବାଚନରେ ଦୁଇଟି ଆସନରୁ ବାଜିମାତ୍ କରିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ପାରମ୍ପାରିକ ଆସନ ହିଞ୍ଜିଳିକୁ ରଖି ବିଜେପୁର ବିଧାୟକ ପଦରୁ ଇସ୍ତଫା ଦେଇଥିଲେ । ତେବେ ସାମ୍ବିଧାନିକ ନୀତି ଅନୁସାରେ ଏହି ଆସନରେ ପୁଣି ଥରେ ଏବେ ଉପନିର୍ବାଚନ ହେବ ।

ବିଗତ କିଛି ବର୍ଷ ହେବ ରାଜ୍ୟ ରାଜନୀତିର ସବୁଠାରୁ ଚର୍ଚ୍ଚିତ ଆସନ ମଧ୍ୟରୁ ବିଜେପୁର ହେଉଛି ଅନ୍ୟତମ । କାରଣ ଗତ୨୦୧୪ ସାଧାରଣ ନିର୍ବାଚନଠୁ ଆରମ୍ଭ କରି ୨୦୧୮ ଉପ ନିର୍ବାଚନ ଏବଂ ୨୦୧୯ ନିର୍ବାଚନରେ ପ୍ରମୂଖ ଦଳ ଗୁଡ଼ିକରୁ ପ୍ରାର୍ଥୀ ବଦଳିଥାନ୍ତି । ଆଉ ତାହା କିଛି ଦଳ ପାଇଁ ସଂଜିବନୀ ପାଲଟିଥିବା ବେଳେ କିଛି ଦଳଙ୍କ ପାଇଁ ମହାକାଳ ଫଳ ପାଲଟିଥିବା ଦେଖିବାକୁ ମିଳିଛି । ତେବେ ବିଜେପୁରରେ ପ୍ରାର୍ଥୀ ବଦଳାଇବା ପରମ୍ପରା ଗତ ୨୦୧୪ରୁ ହିଁ ଦେଖିବାକୁ ମିଳିଛି । ଯେଉଁଠି ଦିବଙ୍ଗତ ନେତା ସୁବଳ ସାହୁ କଂଗ୍ରେସ ତରଫରୁ ପ୍ରାର୍ଥୀ ହୋଇଥିଲେ । ସେହିପରି ବିଜେଡି ତରଫରୁ ପ୍ରାର୍ଥୀ ହୋଇଥିଲେ ପ୍ରସନ୍ନ ଆଚାର୍ଯ୍ୟ । ଆଉ ବିଜେପି ତରଫରୁ ଜୟଶଙ୍କର ପଟ୍ଟନାୟକ ପ୍ରାର୍ଥୀ ହୋଇଥିଲେ । କିନ୍ତୁ କଂଗ୍ରେସ ପ୍ରାର୍ଥୀ ତଥା ଦିବଙ୍ଗତ ନେତା ସୁବଳ ସାହୁ ସମସ୍ତକୁ ପଛରେ ପକାଇ କଂଗ୍ରେସ ଗଡ଼ ରକ୍ଷା କରିଥିଲେ ।

ଏହାପରେ ଗତବର୍ଷ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ବିଜେପୁରରେ ଉପ-ନିର୍ବାଚନ ହୋଇଥିଲା । ଯେଉଁଥିରେ ବିଜେଡି ଦିବଙ୍ଗତ କଂଗ୍ରେସ ନେତା ସୁବଳ ସାହୁଙ୍କ ଧର୍ମପତ୍ନୀ ରୀତା ସାହୁଙ୍କୁ ପ୍ରାର୍ଥୀ କରାଇଥିଲେ । ଆଉ ବିଜେପି ମଧ୍ୟ ରୀତାଙ୍କୁ ଟକ୍କର ଦେବା ପାଇଁ ବିଜେପିର ଅଭିଜ୍ଞ ନେତା ଅଶୋକ ପାଣିଗ୍ରାହୀଙ୍କୁ ପ୍ରାଥୀ କରିଥିଲା । ସେହିଭଳି କଂଗ୍ରେସ ମଧ୍ୟ ଉଭୟଙ୍କୁ ଟକ୍କର ଦେବାକୁ ସୁବଳଙ୍କ ଘନିଷ୍ଠ ବୋଲାଉଥିବା ପ୍ରଣୟ ସାହୁଙ୍କୁ ଉପ-ନିର୍ବାଚନରେ ପ୍ରାର୍ଥୀ କରାଇଥିଲା । କିନ୍ତୁ ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜେପର ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୪୦ ହଜାର ଭୋଟ୍ ବ୍ୟବଧାନରେ ପରାଜିତ କରି ବିଧାୟିକାଭାବେ ନିର୍ବାଚିତ ହୋଇଥିଲେ ।

ଅନ୍ୟପଟେ ଏହାର ଠିକ୍ କିଛି ମାସ ପରେ ଅର୍ଥାତ୍ ଗତ ମେ’ ମାସରେ ବିଜେପୁର ବାସୀ ପୁଣିଥରେ ଏହି ଆସନ ପାଇଁ ମତଦାନ ସାବ୍ୟସ୍ତ କରି ନିଜ ନେତା ବାଛିଥିଲେ । କିନ୍ତୁ ଏଥର ରୀତାଙ୍କ ବଦଳରେ ପ୍ରଥମ ଥର ପାଇଁ ଏହି ଆସନରୁ ନିର୍ବାଚନ ଲଢ଼ିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓହ୍ଲାଇଥିଲେ । ତାଙ୍କ ପ୍ରତିଦ୍ୱନ୍ଦୀ ଭାବେ ବିଜେପିରୁ ସନତ ଗରଡ଼ିଆ ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସ ତରଫରୁ ପୁରୁଖା ରିପୁନାଥ୍ ସେଠ ୨୦୧୯ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ । କିନ୍ତୁ ନବୀନ ବିଜେପୁର ଡେବ୍ୟୁରେ ବାଜିମାତ୍ କରି ବିଧାୟକଭାବେ ନିର୍ବାଚିତ ହୋଇଥିଲେ । ପ୍ରଥମ ଥର ପାଇଁ ନବୀନ ଦୁଇଟି ଆସନରୁ ନିର୍ବାଚନ ଲଢ଼ି ବିଜୟୀ ତିଳକ ପିନ୍ଧିଥିଲେ । ହେଲେ ଏବେ ନବୀନ ନିଜର ପାରମ୍ପାରିକ ଆସନ ହିଞ୍ଜିଳିକୁ ରଖି ବିଜେପୁର ବିଧାୟକ ପଦରୁ ଇସ୍ତଫା ଦେଇଥିବାରୁ ଏଠାରେ ଆସନ୍ତା ଅକ୍ଟୋବର ୨୧ ତାରିଖରେ ଉପ-ନିର୍ବାଚନ ହେବାକୁ ଯାଉଛି ।

ଅନ୍ୟପଟେ ଗତ ଦେଢ଼ ବର୍ଷ ମଧ୍ୟରେ ତୃତୀୟଥର ପାଇଁ ନିଜ ନିର୍ବାଚନ ମଣ୍ଡଳୀରେ ଭୋଟ୍ ଦେଇ ନେତା ବାଛିବେ ବିଜେପୁରବାସୀ । ଆଉ ଏହାକୁ ନେଇ ବିଭିନ୍ନ ଦଳ ମଧ୍ୟରେ ତାରିଖ ଘୋଷଣା ପରେ ଆରମ୍ଭ ହୋଇଛି ଅଙ୍କକଷା । ତେବେ ଆଉ ମାସକ ପରେ ବିଜେପୁର ବାଜି ପାଇଁ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ପୁଣି ପ୍ରାର୍ଥୀ ବଦଳାଇବ କି ବିଜେଡି? ଅନ୍ୟପଟେ ବିରୋଧୀ ଦଳମାନେ ମଧ୍ୟ ଏଥର ୨୦୧୯ ଯୁଦ୍ଧରେ ପରାଜୟର ତର୍ଜମା କରି ଉପଯୁକ୍ତ ପ୍ରାର୍ଥୀ ଦେବାକୁ ଅଣ୍ଟା ଭଡ଼ିବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।