ସରକାରଙ୍କ ମିଶନ ଇନ୍ଦ୍ରଧନୁଷ । ମାଗଣାରେ ଦିଆଯିବ ପିସିଭି ଟିକା, ନିମୋନିଆରେ ଆଉ ଯିବନି ଶିଶୁଙ୍କ ଜୀବନ । 

87

କନକ ବ୍ୟୁରୋ : ପୋଲିଓ ମୁକ୍ତ ଭାରତ ପରେ ଏବେ ନିମୋନିଆ ମୁକ୍ତ ଭାରତ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ସରକାର । ଖାସକରି କୁନି ଶିଶୁ ମାନଙ୍କୁ ନିମୋନିଆରୁ ରକ୍ଷା କରିବାକୁ ପିସିଭି ଟିକାକୁ ବାଧ୍ୟତାମୂଳକ କରିଛନ୍ତି ସରକାର । ପିସିଭି ଟିକା କୁନି ଶିଶୁଙ୍କୁ ନିମୋନିଆରୁ ରକ୍ଷା କରିଥାଏ ଏବଂ ଏହି ଟିକା ନେବା ଦ୍ୱାରା ନିମୋନିଆରେ ହସ୍ପିଟାଲରେ ଭର୍ତ୍ତି ହେବାର ସମ୍ଭାବନା ମଧ୍ୟ କମଥାଏ । ପୂର୍ବରୁ ଏହି ଟିକା କେବଳ ୫ଟି ରାଜ୍ୟରେ ଦିଆଯାଉଥିଲା କିନ୍ତୁ ଦେଶ ଯେତେବେଳେ ଅମୃତ ମହୋତ୍ସବ ପାଳୁଛି ସେତେବେଳେ ପୂରା ଦେଶରେ ଏହି ଟିକା ଦେବାକୁ ସ୍ଥିର କରିଛନ୍ତି ସରକାର । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏହି ଟିକାକରଣ ଅଭିଯାନ ଆରମ୍ଭ କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଶିଶୁ ଦେଶର ଭବିଷ୍ୟତ ଏବଂ ଆଗକୁ ଗରିବ ପରିବାରର ଶିଶୁଙ୍କୁ ମଧ୍ୟ ମାଗଣାରେ ଟିକା ଦିଆଯିବ ।

ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତଙ୍କୁ ଟିକା, ମାଗଣା ଟିକା ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନ ଦ୍ୱାରା ମିଶନ ଇନ୍ଦ୍ରଧନୁଷ ଜରିଆରେ ସମସ୍ତ ଶିଶୁଙ୍କୁ ମାଗଣାରେ ଟିକା ଦିଆଯିବ । ସାଧାରଣତଃ ନବଜାତକଙ୍କ ମୃତ୍ୟୁ ଅଧିକାଂଶ ସମୟରେ ନିମୋନିଆ କାରଣରୁ ହୋଇଥାଏ । ତେଣୁ ଏହି ଟିକା ଦେଇ ନିମୋନିଆ ଭଳି ସାଂଘାତିକ ରୋଗରୁ ଶିଶୁଙ୍କ ଜୀବନ ରକ୍ଷା କରାଯାଇପାରିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । କୌଣସି ଶିଶୁଙ୍କ ମୃତ୍ୟୁ ରୋଗରେ ନହେଉ ସେଥିପାଇଁ ଲଗାତାର ପ୍ରୟାସ କରି ଆସୁଛନ୍ତି ସରକାର ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଥିବା ବେଳେ, ପିସିଭି ଏକ ସୁରକ୍ଷିତ ଟିକା ବୋଲି କହିଛନ୍ତି । ଏହି ଟିକା ନେବା ପରେ କୁନି ଶିଶୁଙ୍କୁ ହାଲୁକା ଜ୍ୱର, ଟିକେ ଦରଜ ହୋଇଥାଏ । ପିିସିଭି ଟିକା ୩ଟି ପର୍ଯ୍ୟାୟରେ ଦିଆଯାଇଥାଏ । ଦେଢ ମାସରେ ପ୍ରଥମ ଟିକା, ସାଢେ ୩ ମାସରେ ଦ୍ୱିତୀୟ ଟିକା ଓ ୯ ମାସରେ ତୃତୀୟ ଟିକା ଦେବାକୁ ପଡିଥାଏ ।  ନିମୋନିଆ କାରଣରୁ ଶରୀରକୁ ଅକ୍ସିଜେନ ସଠିକ୍ ମାତ୍ରାରେ ପହଞ୍ଚିନଥାଏ । ଆଉ ଅଧିକ ଦିନ ଧରି ଏହି ରୋଗ ଶରୀରରେ ରହିବା କାରଣରୁ କୁନି ଶିଶୁ ମୃତ୍ୟୁମୁଖରେ ପଡିଥାନ୍ତି ।