ପ୍ରତି ଶହେ ବର୍ଷରେ ବିଶ୍ୱକୁ ଗ୍ରାସୁଛି କରୋନା ଭଳି ନୂଆ ଭାଇରସ । ଗତ ୪୦୦ ବର୍ଷ ହେବ ସାଂଘାତିକ ଭାଇରସ ସହ ଲଢି ଆସୁଛନ୍ତି ବିଶ୍ୱବାସୀ ।

1,060

କନକ ବ୍ୟୁରୋ : କରୋନା ଭାଇରସ ଏବେ ପୂରା ବିଶ୍ୱରେ କାୟା ମେଲାଇ ସାରିଲାଣି । ବିଶ୍ୱର ୧୦୦ରୁ ଅଧିକ ଦେଶରେ ଏବେ କରୋନା ଭାଇରସ ଆତଙ୍କ ଖେଳାଉଛି । କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସତର୍କ ରହିବାକୁ ସମସ୍ତଙ୍କୁ କୁହାଯାଇଛି । ତେବେ କରୋନା ଭାଇରସ ଭଳି ପୂର୍ବ ଶତାଦ୍ଦୀ ଗୁଡିକରେ ମଧ୍ୟ ଏଭଳି ଅନେକ ଭୟଙ୍କର ଭାଇରସ ତାର ପ୍ରକୋପ ଦେଖାଇଛି । ପ୍ରାୟ ପ୍ରତି ୧୦୦ ବର୍ଷରେ ଥରେ ଏଭଳି ଭୟଙ୍କର ଭାଇରସରେ ବିଶ୍ୱବାସୀ ପ୍ରଭାବିତ ହେବାର ନଜିର ରହିଛି । ଗତ ୪୦୦ ବର୍ଷ ହେବ କରୋନା ଭଳି ସାଂଘାତିକ ମହାମାରୀ ଭାଇରସ ସହ ଲଢି ଆସିଛନ୍ତି ବିଶ୍ୱବାସୀ ।

୧୭୨୦ରେ ପୂରା ବିଶ୍ୱରେ ପ୍ଲେଗ ରୋଗ ବ୍ୟାପିଥିଲା । ସେତେବେଳେ ଏହା ମହାମାରୀର ରୂପ ନେଇଥିଲା । ଏହାକୁ ସେତେବେଳେ ଗ୍ରେଟ ପ୍ଲେଗ ଅଫ୍ ମାର୍ସିଲେ କୁହାଯାଉଥିଲା । କାରଣ ଏହି ସହରରେ ଏହାର ପ୍ରଭାବ ଅଧିକ ମାତ୍ରାରେ ପଡିଥିଲା । ଲୋକେ ପୋକ ମାଛି ପରି ମୃତ୍ୟୁବରଣ କରିଥିଲେ । ଏହି ପ୍ଲେଗ ରୋଗରେ ପ୍ରାୟ ୧ ଲକ୍ଷରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ ।

୧୦୦ ବର୍ଷ ପରେ ୧୮୨୦ରେ ଏସିଆ ମହାଦେଶରେ ହଇଜା ଏକ ମହାମାରୀ ରୂପ ନେଇଥିଲା । ଏହା ମହାମାରୀ ଜାପାନ, ଆରବ, ଭାରତ ବ୍ୟାଙ୍କକ, ମନୀଲା, ଇଣ୍ଡୋନେସିଆ, ଓମାନ, ଚୀନ, ମରିସସ, ସିରିଆ ଭଳି ଦେଶରେ କୋକୁଆ ଭୟ ସୃଷ୍ଟି କରିଥିଲା । ସେତେବେଳେ ହଇଜା ଭଳି ମହାମାରୀ କାରଣରୁ ୧ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା । ସବୁଠୁ ଅଧିକ ମୃତ୍ୟୁ ଥାଇଲାଣ୍ଡ, ଇଣ୍ଡୋନେସିଆ ଓ ଫିଲିପାଇନ୍ସରେ ଦେଖିବାକୁ ମିଳିଥିଲା ।

ଏହାର ୧୦୦ ବର୍ଷ ପରେ ୧୯୨୦ରେ ବିଶ୍ୱରେ ସ୍ପାନିଶ ଫ୍ଲୁ ଦେଖିବାକୁ ମିଳିଥିଲା । ୧୯୧୮ରେ ଏହା ବ୍ୟାପିଥିଲେ ମଧ୍ୟ ଏହାର ଭୟାବହତା ୧୯୨୦ରେ ଦେଖିବାକୁ ମିଳିଥିଲା । କୁହାଯାଏ, ଏହି ଭାଇରସରେ ସଂକ୍ରମିତ ହୋଇ ପୂରା ବିଶ୍ୱରେ ୧.୭୦ କୋଟିରୁ ୫ କୋଟି ଲୋକ ମୃତ୍ୟୁବରଣ କରିଥିଲେ । ଆଉ ଏହାର ଗୋଟିଏ ଶତାବ୍ଦୀ ପରେ ୨୦୨୦ରେ କରୋନା ଭାଇରସ ବିଶ୍ୱରେ ଆତଙ୍କ ଖେଳାଇଛି । ୧୦୦ରୁ ଅଧିକ ଦେଶରେ ଏହି ଭାଇରସ ବ୍ୟାପିଥିବା ବେଳେ ଲକ୍ଷାଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଖାସକରି ଚୀନରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଥିବା ବେଳେ ଏବେ ଏହା ଇଟାଲୀ, ଇରାନ ଭଳି ଦେଶକୁ ବ୍ୟାପିବା ଆରମ୍ଭ କରିଛି । ଭାରତରେ ମଧ୍ୟ ଏଯାଏଁ ୪୩ କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଏପର୍ଯ୍ୟନ୍ତ ଏହି ଭାଇରସ ପାଇଁ କୌଣସି ପ୍ରତିଷେଧକ ବାହାରିନଥିବା ବେଳେ କେତେ ଦିନ ପର୍ଯ୍ୟନ୍ତ କରୋନା ନିଜର କାୟା ବିସ୍ତାର କରି ରହିବ ତାହା କହିବା ମଧ୍ୟ ମୁସ୍କିଲ ହୋଇପଡିଛି ।