ଏଭରେଷ୍ଟକୁ ନେଇ ବଢୁଛି ବିବାଦ ! ମାତ୍ରାଧିକ ପର୍ବତାରୋହୀଙ୍କ ସମାଗମ ନେଇ ନେପାଳ ସରକାରଙ୍କୁ ବରିଷ୍ଠ ପର୍ବାତାରୋହୀଙ୍କ ସମାଲୋଚନା । କହିଲେ, ଏଭରେଷ୍ଟ ପାଲଟିଛି ଚିଡିଆଖାନା ।

229

କନକ ବ୍ୟୁରୋ : ଓଡିଶାର ବିଶିଷ୍ଟ ପର୍ବତାରୋହୀ କଳ୍ପନା ଦାଶଙ୍କ ଏଭରେଷ୍ଟରେ ମୃତ୍ୟୁ ଘଟିବାକୁ ନେଇ ରାଜ୍ୟ ତଥା ସାରାଦେଶରେ ଚର୍ଚ୍ଚା ହେଉଥିବା ବେଳେ ଏନେଇ ବିଦେଶରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଭରେଷ୍ଟ ଚଢିବା ପାଇଁ ଖରା ଦିନ ଅନୁକୂଳ । ତେଣୁ ଏହି ସମୟରେ ବହୁ ସଂଖ୍ୟାରେ ପର୍ବତାରୋହୀ ନେପାଳରେ ଭିଡ ଜମାନ୍ତି । ଖର୍ଚ୍ଚ ବହୁଳ ଏହି ଅଭିଯାନ ପାଇଁ ବେଶ କିଛି ରାଜସ୍ୱ ଆଦାୟ କରେ ନେପାଳ ସରକାର । ଏହାକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କିଛି ବିଦେଶୀ ତଥା ବରିଷ୍ଠ ପର୍ବତାରୋହୀ ।

କିଏ ଏବଂ କେତେ ଜଣ ଏଭରେଷ୍ଟ ଚଢିବା ପାଇଁ ଯିବେ ସେନେଇ ନେପାଳ ସରକାରଙ୍କ କୌଣସି କଟକଣା ନାହିଁ ବୋଲି ଅଭିଯୋଗ କରିଛନ୍ତି ଏରିଜୋଆନାରେ ବିଶିଷ୍ଟ ପର୍ବତାରୋହୀ ଏଡ୍ ଡୋହରିଂ । ତାଙ୍କ ମତରେ ଅନଭିଜ୍ଞ ଓ ମାତ୍ରାଧିକ ବୟସ୍କ ବ୍ୟକ୍ତିଙ୍କୁ ଏଭଳି ସୁଯୋଗ ଦେଇ ବିପଦ ସୃଷ୍ଟି କରାଯାଉଛି । ଏହା ସହ ସେ କହିଛନ୍ତି, ମାତ୍ର ୨ଟି ଟେବୁଲ ଟେନିସ ବୋର୍ଡ ପରି ସ୍ଥାନ ଶୀର୍ଷରେ ରହିଥିବା ବେଳେ ସେଠାରେ ସେଲଫି ନେବା ପାଇଁ ଧସ୍ତାଧସ୍ତି ଦେଖିବାକୁ ମିଳେ । ଏକ ସମୟରେ ୨୦ରୁ ୩୦ ଜଣ ଲୋକ ସେଠାରେ ଭିଡ ଜମାଇଥାନ୍ତି । ଏହା ବିପଦଜନକ ବୋଲି ସେ ମତ ରଖିଛନ୍ତି । ଏଭରେଷ୍ଟ ବର୍ତମାନ ଯେମିତି ଏକ ଚିଡିଆଖାନା ବୋଲି କଟାକ୍ଷ କରିଛନ୍ତି ଡୋହରିଂ ।