ଟେଲିପ୍ରମ୍ପଟର ବନ୍ଦ ହୋଇଯିବାରୁ ଭାଷଣ ଭୁଲିଗଲେ ପ୍ରଧାନମନ୍ତ୍ରୀ, ଭିଡିଓ ଭାଇରାଲ ପରେ ରାହୁଲ ଗାନ୍ଧୀ କହିଲେ ଏଭଳି କଥା

1,739

କନକ ବ୍ୟୁରୋ : ନିଜ କଥା କହିବା ଶୈଳୀ ଓ ଭାଷଣ ମାଧ୍ୟମରେ ଲୋକଙ୍କ ମନ ଜିଣିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ସେହି ଭାଷଣକୁ ନେଇ ସାରା ଦେଶରେ ସମାଲୋଚିତ ହେଉଛନ୍ତି । ବିା୍ବ ଅର୍ଥନୈତିକ ଫୋରମରେ ଭାଷଣ ଦେଉଥିବା ବେଳେ ଟେଲିପ୍ରମ୍ପଟର ବନ୍ଦ ହୋଇଯିବାରୁ ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି କି ପ୍ରଧାନମନ୍ତ୍ରୀ ମୋଦୀ ଭାଷଣ ଦେଉଥିବା ବେଳେ ଟେଲିପ୍ରମ୍ପଟରରେ କିଛି ଗଡବଡ ଦେଖା ଦେଇଛି । ଏହାପରେ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ସମୟରେ କେବଳ ଡାହାଣ କାନ ଓ ବାମ କାନରେ ଲାଗିଥିବା ମାଇକକୁ ଏପଟ ସେପଟ କରୁଛନ୍ତି । ଏହାର କିଛି ସେକେଣ୍ଡ ପରେ ସେ ସ୍ୱାଭାବିକ ଭାବେ ତାଙ୍କର ଭାଷଣ ଆରମ୍ଭ କରୁଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରି ରାହୁଲ ଗାନ୍ଧୀ ଏକ ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି କି ଏତେ ମିଛ ଟେଲିପ୍ରମ୍ପଟର ବି ସହିପାରିଲା ନାହିଁ ।

କେବଳ ରାହୁଲ ଗାନ୍ଧୀ ଏହି କଥା କହିନାହାଁନ୍ତି, ସେ କିଛିଦିନ ତଳେ ମୋଦୀଙ୍କୁ ନେଇ କହିଥିବା କଥାର ଏକ ଭିଡିଓ ମଧ୍ୟ ଭାଇରାଲ କରିଛନ୍ତି । ଏହି ଭିଡିଓରେ ରାହୁଲ ଗାନ୍ଧୀ କହୁଛନ୍ତି କି, ନରେନ୍ଦ୍ର ମୋଦୀଙ୍କ ପାଖରେ କହିବାକୁ କିଛି ନାହିଁ, କେବଳ ଟେଲିପ୍ରମ୍ପଟର ସହାୟତାରେ ପ୍ରଧାନମନ୍ତ୍ରୀ ଭାଷଣ ଦେଉଛନ୍ତି । ଟେଲି ପ୍ରମ୍ପଟର ବିନା ପ୍ରଧାନମନ୍ତ୍ରୀ କିଛି କହିପାରିବେ ନାହିଁ ବୋଲି ରାହୁଲ ଗାନ୍ଧୀ ଏହି ଭିଡିଓରେ ଦାବି କରୁଛନ୍ତି ।