ପଞ୍ଚମ ଦିନରେ ବି ବିଧାନସଭା ଅଚଳ । ବାଚସ୍ପତିଙ୍କ ଆସନ ଘେରିଲା କଂଗ୍ରେସ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପଠାଇଲା ବିଜେପି

124

କନକ ବ୍ୟୁରୋ: ପାଞ୍ଚ ଦିନ ହେଲା ଆରମ୍ଭ ହେଲାଣି ବିଧାନସଭାର ଶୀତ ଅଧିବେଶନ । ହେଲେ ସ୍ୱାଭାବିକ ଭାବେ ଚାଲିପାରୁନି ଗୃହ । ଆଜି ବି ବିଧାନସଭା କାର୍ଯ୍ୟ ଆରମ୍ଭ ହେବାମାତ୍ରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ ହଙ୍ଗାମା କରିଥିଲେ କଂଗ୍ରେସ ବିଧାୟକ । ବିଜେଡି ବିଧାୟକମାନେ ମଧ୍ୟ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ଆନ୍ଦୋଳନ ଘୋଷଣା ଦାବିରେ ଗୃହ ଭିତରେ ଏବଂ ବାହାରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ପ୍ରତିବାଦ କରିଥିଲେ ।

ସୋମବାର ବିଧାନସଭା ଆରମ୍ଭରୁ ବାଚସ୍ପତିଙ୍କ ଆସନ ଚାରିପଟେ ଘେରି ରହିଥିଲେ କଂଗ୍ରେସ ବିଧାୟକ । ଆଉ ଲାଗୁଥିଲା ବାଚସ୍ପତି ଆସନରେ ବସିବା ବେଳେ ଆରମ୍ଭ ହୋଇଯିବ ବିରୋଧ । ହେଲେ ଏସବୁ ଭିତରେ ସୁରକ୍ଷା ବଳୟରେ ପହଁଚିଥିଲେ ବାଚସ୍ପତି । ସେପଟେ ବିଧାନସଭାର ଦୃଶ୍ୟ ବି ବଡ ବିଚିତ୍ର ଲାଗୁଥାଏ । ବିଜେଡି ବିଧାୟକମାନଙ୍କୁ ଚିହିଁ ହେଉନଥାଏ କାରଣ ସମସ୍ତଙ୍କ ମୁହଁରେ ଲାଗିଥିଲା ଜୟୀ ରାଜଗୁରୁଙ୍କ ମୁଖା ।

  • ‘ପାଇକ ବିଦ୍ରୋହ ହେଉ ପ୍ରଥମ ସ୍ୱାଧୀନତା ସଂଗ୍ରାମ’
  • ବିଧାନସଭାରେ ଦାବି ଦୋହରାଇଲା ବିଜେଡି

ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ଆନ୍ଦୋଳନ ଘୋଷଣା ଦାବିରେ ଗୃହ ଭିତରେ ଏବଂ ବାହାରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନାରାବାଜି ଦେଇଥିଲେ ବିଜେଡି ବିଧାୟକ । ମମିତା ହତ୍ୟା ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ ଅଡି ବସିଥିବା ବିରୋଧୀଙ୍କୁ ଏଭଳି ଢଙ୍ଗରେ ଆକ୍ରମଣ କରିଥିଲା ଶାସକ ଦଳ ।

  • ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପଠାଇଲେ ବିଜେପି ବିଧାୟକ
  • ଦିବ୍ୟଶଙ୍କରଙ୍କୁ ବହିଷ୍କାର ଓ ବିଧାନସଭା ଆସନ୍ତୁ ଗୃହର ନେତା

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଦେବାକୁ ବିଜେପି ବିଧାୟକ ଦଳ ଶୋଭାଯାତ୍ରା କରିଥିଲେ । ବିଧାନସଭାରୁ ସ୍ଲୋଗାନ ଦେଇ ପିଏମଜି ଆସି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୋଷ୍ଟ କରିଥିଲେ ଚିଠି । ବିଧାନସଭା କ୍ରମାଗତ ଭାବରେ ପାଞ୍ଚ ଦିନ ଧରି ଚାଲିପାରୁନଥିବା ବେଳେ ଗୃହର ନେତା ମୁଖ୍ୟମନ୍ତ୍ରୀ ତୁରନ୍ତ ବିଧାନସଭା ଆସନ୍ତୁ ଓ ଦିବ୍ୟଶଙ୍କରଙ୍କୁ ବହିଷ୍କାର କରନ୍ତୁ ବୋଲି ଦାବି କରିଛି ଦଳ । ଗୃହକୁ ସୁଚାରୁରୂପେ ଚଲାଇବା ପାଇଁ ୫ ଦିନ ପରେ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ହେଲେ ସମାଧାନ ବାଟ ବାହାରି ପାରିନାହିଁ । ମଙ୍ଗଳବାର ଦିନ ବିରୋଧୀ ଓ ଶାସକ ଦଳର ଆଭିମୁଖ୍ୟ କ’ଣ ରହିବ, ତାହା ଉପରେ ନଜର ରହିଛି । ତେବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ଗୃହ ସ୍ୱାଭାବିକ ହେବ ନା ହଟ୍ଟଗୋଳ ଜାରି ରହିବ?