ମୋଦିଙ୍କ ପରେ ନବୀନଙ୍କୁ ଶାହାଙ୍କ ପ୍ରଶଂସା । ମମତାଙ୍କୁ ଟାର୍ଗେଟ କରି କହିଲେ, ଓଡିଶାରେ ବିଜେଡି ଶାସନକାଳରେ ହେଉନିି ଏପରି ହିଂସାକାଣ୍ଡ

985

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ଅମିତ୍ ଶାହା । ପଶ୍ଚିମବଙ୍ଗରେ ହୋଇଥିବା ନିର୍ବାଚନୀ ହିଂସାକୁ ନେଇ ପ୍ରେସମିଟ୍ କରିବା ଅବସରରେ ନବୀନଙ୍କ ଶାସନକୁ ପ୍ରଶଂସା କରିଛନ୍ତି ଶାହା । ସେ କହିଛନ୍ତି ପଶ୍ଚିମବଙ୍ଗର ପଡୋଶୀ ରାଜ୍ୟ ଓଡିଶାରେ ନବୀନ ବାବୁଙ୍କ ଶାସନରେ ଏଭଳି ହିଂସା ହେଉ ନାହିଁ । ପଶ୍ଚିମବଙ୍ଗ ପରି ସେଠାରେ ପ୍ରଧାନମନ୍ତ୍ରୀ ରୋଡସୋ କରିବାର ଗୋଟିଏ ଦିନ ପରେ ରାଜନୈତିକ କର୍ମୀଙ୍କୁ ହତ୍ୟା କରି ଟାଙ୍ଗି ଦିଆଯାଉନି । ପଶ୍ଚିମବଙ୍ଗରେ କାହିଁକି ଏଭଳି ହିଂସା ଘଟୁଛି ବୋଲି ପ୍ରଶ୍ନ କରିଛନ୍ତି ଶାହା । ପ୍ରଧାନମନ୍ତ୍ରୀ ବାତ୍ୟା ଫୋନି ପରେ ଓଡିଶା ପରିଦର୍ଶନରେ ଆସିବା ସମୟରେ ନବୀନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ସେହିପରି ନବୀନ ମଧ୍ୟ କେନ୍ଦ୍ରର ସହାୟତା ପାଇଁ ମୋଦିଙ୍କୁ ପ୍ରଶଂସା କରି ପତ୍ର ଲେଖିଥିଲେ ।

ଅନ୍ୟପକ୍ଷରେ ପଶ୍ଚିମବଙ୍ଗରେ ରାଜନୈତିକ ହିଂସାକାଣ୍ଡ ଘଟଣାରେ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି ଅମିତ ଶାହା । ହିଂସାକାଣ୍ଡ ପାଇଁ ଟିଏମସି ଦାୟୀ । ଟିଏମସି ହିଁ ହିଂସାକାଣ୍ଡ ଭିଆଇଛି ବୋଲି ଅମିତ ଶାହା କହିଛନ୍ତି । ଗଣତନ୍ତ୍ରର କଣ୍ଠରୋଧ କରାଯାଇଛି । ମେ ୨୩ ପରେ ମମତାଙ୍କ ରାଜ ଶେଷ ହେବ । ଏବଂ ବିଜେପି ୩୦୦ରୁ ଅଧିକ ଆସନ ପାଇବ ବୋଲି କହିଛନ୍ତି ଅମିତ ଶାହା । ଗତକାଲି କୋଲକାତାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ର‌୍ୟାଲି ସମୟରେ ଟେକାପଥର ମାଡ ହୋଇଥିଲା । କୋଲକାତା ବିଶ୍ୱବିଦ୍ୟାଳୟ ନିକଟରେ ଯେତେବେଳେ ଅମିତ ଶାହାଙ୍କ ର‌୍ୟାଲି ଯାଉଥିଲା ସେହି ସମୟରେ ବାମ ଦଳର ଛାତ୍ର ନେତା ଏବଂ ବିଜେପି ଦଳର ଛାତ୍ରନେତାମାନେ ମୁହାଁମୁହିଁ ହୋଇଥିଲେ ।

ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା । ଅମିତ ଶାହା ରୋଡ ସୋରେ ଯାଉଥିବା ସମୟରେ ତାଙ୍କ ଗାଡି ଉପରକୁ ଲାଠି ମାଡ ହୋଇଥିଲା । ପରିସ୍ଥିତି ଉତେଜନାପୂର୍ଣ୍ଣ ରହିବାରୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସକୁ ମଧ୍ୟ ଲାଠିଚାର୍ଜ କରିବାକୁ ପଡିଥିଲା । ନିକଟରେ ଥିବା ଏକ ହଷ୍ଟେଲରୁ ଛାତ୍ରମାନେ ବାହାରିଆସି ଟେକା ମାଡ କରିଥିଲେ । ଏହି ସମୟରେ ଇଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତିକୁ ମଧ୍ୟ ଭଙ୍ଗାରୁଜା ହୋଇଥିବା ଖବର ମିଳିଛି । ଘଟଣାକୁ ନେଇ ତୃଣମୂଳ କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇଛନ୍ତି ।