ନାହିଁ ନାହିଁର ଗାଁ ମୟୂରଭଞ୍ଜର ସାରୁଦା । ରାସ୍ତା ନାହିଁ କି ପୋଲ ନାହିଁ : ବିଦ୍ୟୁତ ଖୁଂଟ ପକାଇ ବୁଢାବଳଙ୍ଗ ନଇ ପାରି ହେଉଛନ୍ତି ଲୋକେ

156

କନକ ବ୍ୟୁରୋ : ସ୍ୱାଧୀନତାର ଅନେକ ବର୍ଷ ପରେ ମଧ୍ୟ ସୁଧୁରୁନି ଲୋକଙ୍କ ସ୍ଥିତି । ଅନେକ ସୁବିଧାରୁ ବଂଚିକ ହେଉଛନ୍ତି ଲୋକେ । ଏବେବି ଏପରି ଗା ରହିଛି ଯେଉଁଠି ଗାଁକୁ ଯିବାକୁ ନାହିଁ ପକ୍କା ରାସ୍ତା । ନଦୀରେ ଆଣ୍ଠୁଏ ପାଣିରେ ପସି ଯାତାୟତ କରନ୍ତି ଲୋକେ । ଆଉ ବର୍ଷା ହେଲେ ଲୋକଙ୍କ ଦୁଖ ଦୁଇଗୁଣ ବଢ଼ିଯାଏ ।

ଗାଁକୁ ନାହିଁ ରାସ୍ତା । ନଦୀ ପାର କରି ଗମନାଗମନ କରୁଛନ୍ତି ଲୋକେ । ନଦୀରେ ବାଉଁଶ, ଇଲେକ୍ଟ୍ରି ଖୁଂଟି ପକାଇ ଯାତାୟତର ବାଟ କାଢ଼ିଛନ୍ତି ଲୋକେ । ଏମିତି ଦୃଶ୍ୟ ଆସିଛି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଶିମିଳପାରର ସାରୁଦା ଗାଁରୁ । ମୁଣ୍ଡରେ ବସ୍ତା ମୁଣ୍ଡାଇ ବାଉଁଶ ଏବଂ ଇଲେକ୍ଟ୍ରି ଖୁଂଟି ସାହାଯ୍ୟରେ ନଦୀ ପାର ହେଉଛନ୍ତି ଲୋକେ । ବାକି ଦିନରେ ଯାହା ଯେମିତି ଚଳିଯାଏ, ଏପରି ଅବସ୍ଥାରେ ବର୍ଷା ଦିନେ ନଦୀ ପାର ହେବା ସମ୍ଭବ ହୁଏନାହିଁ ।

ସାରୁଦା ଗାଁରେ ପ୍ରାୟ ୫୦ଟି ପରିବାର ବସବାସ କରନ୍ତି । ହେଲେ ଏହି ଗାଁର ବିକାଶ ଦିଗରେ ମୁଖ୍ୟ ପ୍ରତିବନ୍ଧକ ସାଜିଛି ବୁଢ଼ାବଳଙ୍ଗ ନଦୀ । ଗାଁକୁ ରାସ୍ତା ନଥିବାରୁ ଗାଁ ଲୋକ ଅନେକ ଥର ଏନେଇ ପ୍ରଶାସନ ପାଖରେ ଗୁହାରୀ କରିଛନ୍ତି । ହେଲେ ସେମାନଙ୍କ କଥା ସତେ ଯେମିତି ସରକାରୀ ବାବୁଙ୍କ କାନରେ ପଡ଼ିନି । ନିର୍ବାଚନ ଆସିଲେ ଏଠାକୁ ନେତାଙ୍କ ସୁଅ ଛୁଟେ । ବଡ଼ ବଡ଼ ପ୍ରତିଶୃତି ମିଳେ । ହେଲେ ଇଭିଏମରେ ସିଲ ହେବା ପରେ ଲୋକଙ୍କ ସମସ୍ୟା ନେତା ଓ ସରକାରୀ ବାବୁଙ୍କ କାନରେ ସିଲ ହୋଇଯାଏ ।

ଉପାନ୍ତ ଆଦିବାସୀ ଅଂଚଳକୁ ଗମନାଗମନ ସୁବିଧା କରିବା ପାଇଁ ଜିଲ୍ଲା ପ୍ରଶାସନର ଅନୁକମ୍ପା ଜରୁରୀ ଥିବା ବେଳେ ଲୋକଙ୍କ ଗୁହାରୀ ଶୁଣିବାରେ ହେଳା କରୁଛନ୍ତି ସରକାରୀ ବାବୁ ।