ଜାମିନ୍ ପରେ ବି ଆଉ ଗୋଟିଏ ରାତି ଜେଲରେ କାଟିବେ ଆରୟନ ଖାନ୍: ଜାଣନ୍ତୁ କାହିଁକି?

130

କନକ ବ୍ୟୁରୋ: ବେଲ୍ ମିଳିବା ପରେ ବି ଆଜି ଜେଲ୍ରୁ ବାହାରି ପାରିଲେନି ଆରୟନ ଖାନ୍ । ବମ୍ବେ ହାଇକୋର୍ଟରୁ ଏନଡିପିଏସ୍ କୋର୍ଟ ପର୍ଯ୍ୟନ୍ତ ଜାମିନ୍ ପାଇଁ ପ୍ରକ୍ରିୟାରେ ବିଳମ୍ବ ହେତୁ ସମୟ ଭିତରେ ଜେଲରେ ପହଁଚି ପାରିଲାନି କୋର୍ଟଙ୍କ ଜାମିନ ଅର୍ଡର ଫଳରେ ଶାହରୁଖ ଖାନ୍ଙ୍କ ପୁଅଙ୍କୁ ଆଜି ରାତି ଆରଥର ରୋଡ୍ ଜେଲ୍ରେ ହିଁ କାଟିବାକୁ ପଡିବ । ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଗୁରୁବାର ବମ୍ବେ ହାଇକୋର୍ଟ ଆରୟନ ଖାନ୍ଙ୍କ ସମେତ ଅରବାଜ ମର୍ଚାଂଟ ଓ ମୁନମୁନ ଧମେଚାଙ୍କୁ ଜାମିନ ସର୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି ।

ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଗିରଫ ଆରୟନ ଖାନ୍ଙ୍କୁ ମିଳିଛି ଜାମିନ । ଗୁରୁବାର ଶୁଣାଣିକରି ବମ୍ବେ ହାଇକୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି । ଆଉ ଶୁକ୍ରବାର ଆସିଛି ହାଇକୋର୍ଟଙ୍କ ଜାମିନ୍ ଅର୍ଡର । ଯେଉଁଥିରେ ଆରୟନଙ୍କୁ ଛାଡିବା ପାଇଁ ୧୪ଟି ସର୍ତ ରଖାଯାଇଛି । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ

– ଆରୟନ ୧ ଲକ୍ଷ ଟଙ୍କାର ବଣ୍ଡ ସହିତ ପାସପୋର୍ଟ ଜମା କରିବେ

– ଏନଡିପିଏସ କୋର୍ଟଙ୍କ ବିନା ଅନୁମତିରେ ସେ ଦେଶ ଛାଡି କୁଆଡେ ଯାଇପାରିବେ ନାହିଁ 

– ଏନସିବି ଅଧିକାରୀଙ୍କ ବିନା ଅନୁମତିରେ ମୁମ୍ବାଇ ବାହାରକୁ ଯାଇପାରିବେ ନାହିଁ ଆରୟନ

– ପ୍ରତି ଶୁକ୍ରବାର ଦିନ ୧୧ଟାରୁ ଅପରହ୍ନ ୨ଟା ଭିତରେ ମୁମ୍ବାଇ ସ୍ଥିତ ଏନସିବି ଅଫିସରେ ଉପସ୍ଥିତ ରହିବେ ଆରୟନ 

– ଅନ୍ୟ ଅଭିଯୁକ୍ତଙ୍କ ସହ କୌଣସି ଯୋଗାଯୋଗ କରିବେ ନାହିଁ

– କୌଣସି ପ୍ରମାଣ ବା ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିବେ ନାହିଁ

– ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ରଖିପାରିବେନାହିଁ

– କୋର୍ଟରୁ ଦିଆଯାଇଥିବା ସମସ୍ତ ତାରିଖରେ ସେ ଉପସ୍ଥିତ ରହିବେ

– ତଦନ୍ତରେ ସହଯୋଗ କରିବା ପାଇଁ ଏନସିବି ଅଧିକାରୀଙ୍କ ଡାକରାରେ ତାଙ୍କୁ ପହଂଚିବାକୁ ପଡିବ

ଆରୟନଙ୍କ ଜାମିନ୍ ପାଇଁ ବମ୍ବେ ହାଇକୋର୍ଟଙ୍କ ଅର୍ଡର ନେଇ ଏନଡିପିଏସ କୋର୍ଟରେ ପହଁଚିଥିଲେ ଓକିଲ ସତିକ ମାନସିନ୍ଦେ । ଯେଉଁଠି ଅଭିନେତ୍ରୀ ଜୁହି ଚାୱଲା ମେହତା ଆରୟନଙ୍କ ପାଇଁ ଜାମିନଦାର ହୋଇଥିଲେ । ନିଜ ଆଧାର କାର୍ଡ ଓ ପାସପୋର୍ଟ ଦେଖାଇ ସେ ଆରୟନଙ୍କ ପାଇଁ ଜାମିନଦାର ସାଜିଥିଲେ । ତେବେ ଏନଡିପିଏସ କୋର୍ଟଙ୍କ ଜାମିନ ନିର୍ଦ୍ଦେଶନାମା ଜେଲ୍ରେ ପହଁଚିବା ପାଇଁ ବିଳମ୍ବ ହେବାରୁ ଆହୁରି ଗୋଟିଏ ରାତି ଆରୟନଙ୍କୁ ଜେଲ୍ରେ ହିଁ କାଟିବାକୁ ପଡିବ ।

ଅକ୍ଟୋବର ୨ ମୁମ୍ବାଇରୁ ଗୋଆ ଯାଉଥିବା ଏକ କ୍ରୁଜ୍ରେ ରେଭ ପାର୍ଟି ଚାଲିଥିବାବେଳେ ଏନସିବି ଚଢାଉ କରି ଆରୟନ ଖାନଙ୍କୁ ଗିରଫ କରାଯାଇଥିଲା । ପ୍ରଥମେ ଏନଡିପିଏସ କୋର୍ଟ ଆରୟନଙ୍କ ଜାମିନ୍ ଆବେଦନ ଖାରଜ କରିଥିଲେ । ପରେ ବମ୍ବେ ହାଇକୋର୍ଟ ଆରୟନଙ୍କୁ ଜାମିନ୍ ପ୍ରଦାନ କରିଥିଲେ ।