ରାଜନୈତିକ ଦଳର ଇସ୍ତାହାରକୁ ନେଇ ବଢ଼ିଲା ଚର୍ଚ୍ଚା । ସ୍ୱାଧୀନତାର ୭୫ ବର୍ଷ ପରେ ବି ଦିଆଯାଉଛି ପକ୍କା ଘର ଓ ମାଗଣା ଚାଉଳର ପ୍ରତିଶ୍ରୁତି

256

କନକ ବ୍ୟୁରୋ: ଗରିବ ଲୋକଙ୍କ ପାଇଁ ଯେଉଁ କେତୋଟି ମୌଳିକ ଆବଶ୍ୟକତା ରହିଛି, ସେଥିମଧ୍ୟରୁ ଅନ୍ୟତମ ହେଉଛି ଖାଦ୍ୟ, ପୋଷାକ ଓ ରହିବା ପାଇଁ ଘର । ଦେଶ ସ୍ୱାଧୀନ ହେବାର ୭୫ରୁ ଅଧିକ ବର୍ଷ ବିତିଯାଇଛି । କିନ୍ତୁ ବାସ୍ତବରେ ଆଜି ପ୍ରତିଟି ଗରିବଙ୍କ ପାଖରେ ଏସବୁ ସୁବିଧା ପହଞ୍ଚିପାରିଛି ନା ଏବେ ବି ଏଥିରୁ ବଞ୍ଚିତ ଅଛନ୍ତି ସମାଜର ଏକ ବଡ଼ ବର୍ଗ? ବିଜେପି ଆଜି ତା’ର ଯେଉଁ ନିର୍ବାଚନୀ ସଂକଳ୍ପ ପତ୍ର ଜାରି କରିଛି, ସେଥିରେ ଗରିବ ଶ୍ରେଣୀକୁ ଅଧିକ ଫୋକସ କରାଯାଇଛି । ସଂକଳ୍ପ ପତ୍ରରେ ଗରିବ ଶ୍ରେଣୀଙ୍କ ପାଇଁ ବଡ଼ ବଡ଼ ଘୋଷଣା କରିଛି ବିଜେପି । ଆଗାମୀ ୫ ବର୍ଷ ପାଇଁ ୮୦ କୋଟି ଭାରତୀୟଙ୍କୁ ମାଗଣା ରାସନ ପ୍ରଦାନ କରାଯିବା ନେଇ ବିଜେପି ଘୋଷଣା କରିଛି ।

ତେବେ ଜଣଙ୍କୁ ମାଗଣା ରାସନ ସେତେବେଳେ ଦିଆଯାଇଥାଏ, ଯେତେବେଳେ ସେହି ବ୍ୟକ୍ତିଙ୍କ ପାଖରେ କିଛି ନଥାଏ । ମାଗଣା ରାସନ ଅନ୍ତର୍ଗତ ଲୋକଙ୍କୁ ଚାଉଳ ସହ ଗହମ ଯୋଗାଇ ଦିଆଯିବ । ଗୋଟିଏ ପଟେ ସରକାର ଦେଶରୁ ଗରିବୀ ହଟାଇବା କଥା କହୁଛନ୍ତି, ଅନ୍ୟପଟେ ଲୋକଙ୍କୁ ମାଗଣା ଚାଉଳ ଯୋଗାଇ ଦେଉଛନ୍ତି । ସେହିପରି ଆଜି ବି ଲୋକଙ୍କ ପାଖରେ ରହିବା ପାଇଁ ପକ୍କା ଘର ଟିଏ ନାହିଁ । ହୁଏତ ସେଥିପାଇଁ ୩ କୋଟି ପକ୍କା ଘର ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ସରକାର । ଏହାସହ ବିଜେପି ତା’ର ସଂକଳ୍ପ ପତ୍ରରେ ସ୍ୱାସ୍ଥ୍ୟକୁ ଅଧିକ ଫୋକସ ଦେଇଛି । ଲୋକଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ପାଇଁ ଆୟୁଷ୍ମାନ ଯୋଜନାର ପରିସରକୁ ବୃଦ୍ଧି କରାଯିବ ବୋଲି କୁହାଯାଇଛି । ୭୦ ବର୍ଷରୁ ଉର୍ଦ୍ଧ୍ୱ ମଧ୍ୟବିତ ପରିବାରର ଲୋକ ମଧ୍ୟ ଏଣିକି ଆୟୁଷ୍ମାନ ଯୋଜନାରେ ଅନ୍ତର୍ଭୁକ୍ତ ହେବେ । ଏହାସହ ପ୍ରଧାନମନ୍ତ୍ରୀ ଜନ ଔଷଧୀ କେନ୍ଦ୍ରରେ ପୂର୍ବଭଳି ସୁଲଭ ଦରରେ ଔଷଧ ମିଳିବା ନେଇ କହିଛନ୍ତି ମୋଦୀ ସରକାର ।

କଂଗ୍ରେସ ମଧ୍ୟ ନିର୍ବାଚନୀ ଇସ୍ତାହାରରେ ମହିଳାଙ୍କୁ ଅଗ୍ରାଧିକାର ଏବଂ ଗରିବଙ୍କ ପାଇଁ ଅନେକ ଲୋଭନୀୟ ପ୍ରତିଶ୍ରୁତି ଦେଇଛି । ଗରିବ ମହିଳାଙ୍କୁ ୧ ଲକ୍ଷ ଟଙ୍କା, କ୍ଷମତାକୁ ଆସିଲେ ମାଗଣା ବିଜୁଳୀ, ଯୁବ ବର୍ଗଙ୍କ ପାଇଁ ରୋଜଗାର ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ କଥା କହିଛି । ବଡ଼ କଥା ହେଉଛି, ଗୋଟିଏ ନିର୍ବାଚିତ ସରକାର କ୍ଷମତାକୁ ଆସିବା ପରେ ହିଁ ଜନତାଙ୍କ ସବୁ ମୌଳିକ ଆବଶ୍ୟକତାକୁ ପୂରଣ କରିବାର ଦାୟିତ୍ୱ ନେବା କଥା । ୭୫ ବର୍ଷର ସ୍ୱାଧୀନତାରେ ଅନେକ ସରକାର ବଦଳିଲାଣି । ହେଲେ ଏବେ ବି ନିର୍ବାଚନ ଆସିଲେ, ଲୋକଙ୍କୁ ଖାଦ୍ୟ, ସ୍ୱାସ୍ଥ୍ୟ ଓ ପକ୍କା ଘର ଯୋଗାଇ ଦେବା ଭଳି ମୌଳିକ ସେବାର ପ୍ରତିଶ୍ରୁତି ଦିଆଯାଉଛି ।