କନକ ବ୍ୟୁରୋ: ଗାଁକୁ ଯିବାଆସିବା ସୁଗମ କରିବାକୁ ଆରମ୍ଭ ହୋଇଛି ୫ଟି ପୋଲ । ହେଲେ ଅବଧି ପୁରିଯାଇଥିଲେ ବି କାମ ସରିବାର ନାଁ ନେଉନି । ପୁରୀ କଣାସ ବ୍ଳକରେ ୫ ବର୍ଷ ଉପରେ ହୋଇଗଲା ଅଧାଗଢା ହୋଇପଡିଛି ୫ଟି ପୋଲ। କିଛି ସ୍ଥାନରେ ଠିକାଦାର ମନଇଚ୍ଛା ମନ୍ଥର ଗତିରେ କାମ କରୁଛି ତ ଆଉ କିଛି ସ୍ଥାନରେ ଠିକାଦାର ଫେରାର ହୋଇଯାଇଥିବା ହୋଇଛି ଅଭିଯୋଗ ।
କାମ ସଠିକ୍ ଭାବେ ନହେବାରୁ ଅଧପନ୍ତରିଆ ହୋଇପଡିଛି ପୋଲ ସବୁ ।
ଜାଗୁଳାଇ ପଦରରୁ ଗଡ଼ିଶାଗୋଦାକୁ ସଂଯୋଗ କରୁଥିବା ଦୟାନଦୀ ଉପର ସେତୁ ।
କରମଳା ନିକଟରେ ଥିବା ଲୁଣାନଦୀ ସେତୁ ।
କେଶରପୁରରୁ ଲେଖନପୁରୁକୁ ସଂଯୋଗ ମଲାଗୁଣିନଦୀ ଉପରେ ମନ୍ଦାକିନୀ ସେତୁ ।
ଦୟାନଦୀ ଗର୍ଭରେ କାଳୀଘଡି ପାହିଲୁଣ୍ଡିଠାରେ ସେତୁ ।
ଦୟାନଦୀ ଉପରେ ପାଣ୍ଡିଆକେରାରୁ ତୁଳସୀପୁରୁକୁ ସଂଯୋଗ ସେତୁ ।
ଏହି ସବୁ ପୋଲ କାମ ସମ୍ପୁର୍ଣ୍ଣ ନହେବାରୁ ପ୍ରାୟ ୨୦ରୁ ଅଧିକ ପଂଚାୟତର ଲୋକମାନେ ବହୁ ସମସ୍ୟା ଭୋଗୁଛନ୍ତି ।
ବର୍ଷା ଦିନରେ ସ୍ଥିତି ସମ୍ପୁର୍ଣ୍ଣ ବେହାଲ ହୋଇପଡୁଛି । ଗାଁର ଲୋକମାନେ ଭଙ୍ଗାରୁଜା ପୋଲ ଉପରେ ବିପଦ ସଙ୍କୁଳ ଅବସ୍ଥାରେ ଯାଉଥିବା ବେଳେ ଆଉ କିଛି ଲୋକ ନଦୀ ପାର ହୋଇଯାଉଛନ୍ତି । ଅଭିଯୋଗ ପରେ ଅଭିଯୋଗ ହୋଇ ଚାଲିଛି । ହେଲେ ଶୁଣିବାକୁ କେହି ନାହିଁ । ଗ୍ରାମ୍ୟଉନୟନ ବିଭାଗ କାର୍ୟ୍ୟାଳୟ ସାମ୍ନାରେ ଗଛଲତା ମାଡିଯାଇଥିବାବେଳେ କାର୍ୟ୍ୟାଳୟରେ ସବୁବେଳେ ଝୁଲୁଛି ତାଲା । ସେପଟେ କିଛି ବ୍ରିଜ୍ କାମ ୮୦ ପ୍ରତିଶତ ସରିଯାଇଥିବା ବେଳେ ନିମ୍ନମାନର କାମ ଯୋଗୁ କେତେବେଳେ ଭୁଷୁଡି ପଡିବ କହିହେବନି । ପଂଚାୟତର ଶହଶହ ଲୋକ ଅଭିଯୋଗ କରିଚାଲିଛନ୍ତି । ହେଲେକୌଣସି ଅଧିକାରୀ କୌଣସି ପ୍ରତିକ୍ରିୟା ଦେବାକୁ ନାରାଜ ।