୫ ଦିନ ପରେ ବି ବିଜେପିର ସିଏମ୍ ସସପେନ୍ସ । ୩ ରାଜ୍ୟ ପାଇଁ ନିଯୁକ୍ତ ହେବେ ପର୍ଯ୍ୟବେକ୍ଷକ, ନବନିର୍ବାଚିତ ବିଧାୟକଙ୍କ ସହ କରିବେ ଆଲୋଚନା  ।

432

କନକ ବ୍ୟୁରୋ: ୫ ରାଜ୍ୟର ବିଧାନସଭା ନିର୍ବାଚନ ସରିଲା । ଫଳାଫଳ ବି ଆସିଲା । ହିନ୍ଦୀ ହାର୍ଟଲ୍ୟାଣ୍ଡ କୁହାଯାଉଥିବା ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରେ ବାଜିମାତ୍ କଲା ବିଜେପି । କିନ୍ତୁ ଏପର୍ଯ୍ୟନ୍ତ ଦଳ ତିନି ରାଜ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିପାରିନାହିଁ । ଗୁରୁବାର ବିଜେପିର ସଂସଦୀୟ ଦଳ ବୈଠକରେ ମଧ୍ୟ ଏନେଇ କୌଣସି ନିଷ୍ପତି ହୋଇନାହିଁ । ଶେଷରେ ଦଳ ୩ ରାଜ୍ୟ ପାଇଁ ଆଜି ପର୍ଯ୍ୟବେକ୍ଷକ ନିଯୁକ୍ତ କରିବ । ସେମାନେ ବିଜୟୀ ବିଧାୟକଙ୍କ ସହ ଆଲୋଚନା କରିବେ । ବିଧାୟକମାନେ କାହାକୁ ନିଜର ନେତା ବୋଲି ବାଛିବାକୁ ଚାହୁଁଛନ୍ତି, ତାର ଏକ ବିସ୍ତୁତ ରିପୋର୍ଟ ହାଇକମାଣ୍ଡକୁ ହସ୍ତାନ୍ତର କରାଯିବ । ଏହା ପରେ ତିନି ରାଜ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରାଯିବ ।

ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ସସପେନ୍ସ ଜାରି ରହିଥିବାବେଳେ ବସୁନ୍ଧରା ରାଜେ ସିନ୍ଧିଆ ଅଚାନକ ଦିଲ୍ଲୀ ପହଁଚି ଶୀର୍ଷ ନେତାଙ୍କୁ ଭେଟିଛନ୍ତି । ସେଠାରେ ସେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଛନ୍ତି । ବସୁନ୍ଧରା ରାଜେଙ୍କୁ ମୁଖ୍ୟମନ୍ତ୍ରୀ ପାଇଁ ବଡ଼ ଦାବିଦାର କୁହାଯାଉଛି । କିନ୍ତୁ ସେ ହାଇକମାଣ୍ଡଙ୍କ ଉପରେ ନିଷ୍ପତି ଛାଡ଼ି ଦେଇଛନ୍ତି । ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ମଧ୍ୟ ଛକାପଂଝା ଚାଲିଛି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ରେସରେ ଯଦିଓ ନଥିବା କହିସାରିଛନ୍ତି ଶିବରାଜ ସିଂ ଚୌହାନ ତଥାପି ସସପେନ୍ସ ଉପରୁ ପର୍ଦ୍ଦା ଉଠିପାରିନି । ଅନ୍ୟପଟେ ଛତିଶଗଡ଼ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ବ୍ୟତୀତ ରାଜ୍ୟ ବିଜେପି ସଭାପତି ଅରୁଣ କୁମାର, ଧରମଲାଲ କୌଶିକ ଏବଂ ପୂର୍ବତନ ଆଇଏଏସ୍ ଅଧିକାରୀ ଓପି ଚୌଧୁରୀ ମଧ୍ୟ ରେସରେ ଅଛନ୍ତି ।