ଗଛ ତଳେ ଚାଲିଛି ପିଲାଙ୍କ ଭବିଷ୍ୟତ ଗଢା । ୧୩ ବର୍ଷ ପରେ ବି ହୋଇପାରୁନି ଅଙ୍ଗନୱାଡି କେନ୍ଦ୍ର ଘର

80

କନକ ବ୍ୟୁରୋ: ଗଛ ତଳେ ଚାଲିଛି ପିଲାଙ୍କ ଭବିଷ୍ୟତ ଗଢା । କୁନି କୁନି ପିଲା ସବୁ ଗଛ ମୂଳରେ ବସି ପଢୁଛନ୍ତି । ଗାଁ ଗହଳିରେ ଛୋଟ ପିଲାଙ୍କ ପାଇଁ ଚାଲିଛି ନୂଆ ନୂଆ ଅଭିଯାନ । ଅଙ୍ଗନୱାଡି କେନ୍ଦ୍ର ଖୋଲାଯାଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ ତାର ବିକଳ ଚିତ୍ର ଏବେ ଅଙ୍ଗନୱାଡି କେନ୍ଦ୍ରରେ ଦେଖିବାକୁ ମିଳିଛି । ବାଲେଶ୍ୱର ନୀଳଗିରି ବନ୍ଧ ସାହିରେ ଚାଲିଛି  ଅଙ୍ଗନୱାଡି କେନ୍ଦ୍ର । ପ୍ରାୟ ୧୩ ବର୍ଷ ହେଲା ଅବହେଳିତ ଅବସ୍ଥାରେ ଚାଲିଛି ଏଠାରେ ପାଠପଢା । ହେଲେ ଘର ନଥିବାରୁ କେତେବେଳେ ବାହାରେ ତ ଆଉ କେତେବେଳେ ଗଛମୂଳରେ ପାଠ ପଢା ଚାଲିଛି । କିଛି ସମୟରେ ରାସ୍ତାକଡରେ ବି ପିଲାଙ୍କୁ ପଢାଉଥିବାର ଦେଖିବାକୁ ମିଳିଛି । ପିଲାଙ୍କ ପାଇଁ ଅନ୍ୟ କୌଣସି ସୁବିଧା ବି ଯୋଗାଯାଇନି । ଏନେଇ ବହୁବାର ଅଭିଯୋଗ କରାଯାଇଛି । ହେଲେ ସମସ୍ୟାର ସମାଧାନ ହୋଇପାରିନି ।

ନୀଳଗିରି ଅଞ୍ଚଳରେ ଅନେକ ଅଙ୍ଗନୱାଡି କେନ୍ଦ୍ର ରହିଛି । ହେଲେ କେଉଁଠି ଅଧାଘର ହୋଇ ପଡିଛି । କେଉଁଠି ଟଙ୍କା ଥାଇ ବି କାମ ହୋଇପାରୁନଥିବା ଅଭିଯୋଗ କରିଛନ୍ତି ଗାଁର ଲୋକ । ବନ୍ଧ ସାହିରେ ଚାଲିଥିବା ଅଙ୍ଗନୱାଡି କେନ୍ଦ୍ର ରେ ଘର ନଥିବାରୁ ପିଲାମାନେ ବାହାରେ ଖରାରେ ବସି ପାଠ ପଢୁଛନ୍ତି । ପ୍ରାୟ ୨୩ ଜଣ ପିଲା ଏଠାକୁ ପଢିବାକୁ ଆସୁଥିବା ବଳେ ଅନେକ ସମସ୍ୟା ଭିତରେ ପଢୁଛନ୍ତି ପାଠ । ସେପଟେ ସମସ୍ୟାନେଇ ମୁହଁ ଖୋଲିଛନ୍ତି ଠିକାଦାର । ସରକାରୀ ବାବୁ ମାନେ ସଠିକ୍ ସମୟରେ ବିଲ୍ ତିଆରି କରୁନଥିବାରୁ ଏହିଭଳି ବିଳମ୍ବ ସହ ସମସ୍ୟା ଉପୁଜୁଛି ।ଭଙ୍ଗାରୁଜା ଘରେ ଅସୁରକ୍ଷିତ ଭାବେ ତ କେତେବେଳେ ଗଛମୂଳରେ ପିଲା ପଢୁଥିବା ବେଳେ ଖୁବଶୀଘ୍ର ଅଙ୍ଗନୱାଡି ଘର ତିଆରି କରାଯିବା ଜରୁରୀ ହୋଇଛି ।