କନକ ବ୍ୟୁରୋ: ଏଯାଏଁ ମିଳିନି ଫନି ବାତ୍ୟାର କ୍ଷତିପୂରଣ । ବାତ୍ୟା ଯିବାର ୩ ବର୍ଷ ବିତିଲାଣି ହେଲେ ପାନ ଚାଷୀଙ୍କୁ ମିଳିନି କ୍ଷୟକ୍ଷତି ସହାୟତା ଟଙ୍କା । ପୁରୀ ଜିଲ୍ଲାର ଅନ୍ୟ ବ୍ଲକରେ ପାନ ଚାଷୀ ମାନେ ଫନି ସହାୟତା ପାଇସାରିଥିବା ବେଳେ ପିପିଲି ଅଞ୍ଚଳର କ୍ଷତିଗ୍ରସ୍ତ ପାନ ଚାଷୀଙ୍କୁ ଏଯାଏଁ ସହାୟତା ମିଳିନଥିବା ସେମାନେ ଅଭିଯୋଗ କରିଛନ୍ତି । ତେଣୁ ସହାୟତା ନମିଳିଲେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି ଚାଷୀ ।
ପୁରୀ ଜିଲ୍ଲାରେ ଫନି ବାତ୍ୟା ସ୍ଥଳଭାଗ ଛୁଇଁଥିବା ବେଳେ ଅନେକ କ୍ଷୟକ୍ଷତି କରିଥିଲା । ପାନ ଚାଷୀ ମାନେ ସମ୍ପୁର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲେ । ପାନ ଚାଷକୁ ବେଉସା କରି ପରିବାର ଚଳାଉଥିବା ଚାଷୀର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିଲା । ସରକାର ପାନ ଚାଷୀଙ୍କୁ ଫନି ସହାୟତା ବାବଦକୁ ୧୫ ହଜାର ଟଙ୍କା ପ୍ରଦାନ କରିବେ ବୋଲି ଘୋଷଣା କଲେ । କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ ଓ ରାଜସ୍ୱ ବିଭାଗର ମିଳିତ ସହାୟତାରେ ତିନି ତିନି ଥର ଅନୁଧ୍ୟାନ ପରେ ପିପିଲିର ମାତ୍ର ୨୨୬ ଜଣଙ୍କ ନାମ ରହିଥିବା ବେଳେ ଅନେକ ଚାଷୀ ଏଥିରୁ ବାଦ୍ ପଡ଼ିଥିଲେ । ଏବେ ପୁଣି ସେଥିରୁ କାଣ୍ଟଛାଣ୍ଟ କରି ମାତ୍ର ୪୩ ଜଣ ପାନ ଚାଷୀଙ୍କ ତାଲିକା ପ୍ରକାଶ କରିଛି ପ୍ରଶାସନ । ଯାହାକୁ ନେଇ ପିପିଲି ଅଞ୍ଚଳର ଚାଷୀ ମାନେ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଶେଷକରି ପିପିଲି ହାଟ ହେଉଛି ସବୁଠୁ ବଡ଼ ପାନ ହାଟ । ପିପିଲି ବ୍ଲକର ଦାଣ୍ଡମୁକୁନ୍ଦପୁର, ମଙ୍ଗଳପୁର, କୂଳଶିଖରପାଟଣା ଓ ଦୁର୍ଗାଦାଶପୁର ଭଳି ୪ଟି ପଞ୍ଚାୟତର ଅଧିକାଂଶ ଚାଷୀ ଏହି ତାଲିକା ଉପରେ ପ୍ରଶ୍ନ ଉଠାଇଛନ୍ତି । ପ୍ରଶାସନର ତୃଟିପୂର୍ଣ୍ଣ ଓ ବିଳମ୍ବିତ ଆକଳନ ଯୋଗୁ ଅନେକ ଚାଷୀ ଫନି ସହାୟତାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/11/vlcsnap-2022-11-11-18h50m19s849.png)