ବାତ୍ୟା ପୂର୍ବରୁ ସୁରକ୍ଷିତ ସ୍ଥାନକୁ ଲୋକଙ୍କୁ କରାଯାଉଛି ସ୍ଥାନାନ୍ତର । ଗଜପତିର ୪୮ଟି ଗାଁରୁ ୩୪୦୦ ଲୋକଙ୍କୁ କରାଗଲାଣି ସ୍ଥାନାନ୍ତର ।

78

କନକ ବ୍ୟୁରୋ : ବାତ୍ୟା ‘ଗୁଲାବ’ ସ୍ଥଳଭାଗ ଛୁଇଁବା ଆଗରୁ ସଜାଗ ହୋଇଛି ପ୍ରଶାସନ । ବର୍ତ୍ତମାନ ସମୟରେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ୩୪୦୦ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି । ବାତ୍ୟାକୁ ଦୃଷ୍ଟିରେ ରଖି ୪୮ଟି ଗାଁରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ପଞ୍ଚାୟତ ଗୃହ ଓ ସ୍କୁଲରେ ଲୋକଙ୍କୁ ଆଶ୍ରୟ ବ୍ୟବସ୍ଥା କରାଯାଇଛି । କୌଣସି ପ୍ରକାର ଅଘଟଣ ଏଡାଇବାକୁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ଚାଲିଛି ।

ତେବେ ବାତ୍ୟା ଗୁଲାବ ପ୍ରଭାବରେ ଗଜପତି ଜିଲ୍ଲାରେ ପବନ ବହିବା ସହ ଝିପିଝିପି ବର୍ଷା ଲାଗି ରହିଛି । ଗୁଲାବର ପ୍ରଭାବ ଗଜପତି ଜିଲ୍ଲାରେ ଅଧିକ ରହିବାର ସମ୍ଭାବନା ରହିଛି । ଏହା ପୂର୍ବରୁ ଗୁମ୍ମା ବ୍ଲକ ନାମନଗଡ଼ ଠାରୁ ଅଜୟଗଡ଼ ରାସ୍ତାରେ ମାଟି ଅତଡ଼ା ଧସି ରାସ୍ତା ଅବରୋଧ ହୋଇଛି । ଯାତାୟତ ବାଧାପ୍ରାପ୍ତ ହୋଇଛି । ପ୍ରବଳ ବର୍ଷା ଲାଗି ରହିଥିବାରୁ ଆଗକୁ ସ୍ଥିତି ଉପରେ ନଜର ରହିଛି ।

ବାତ୍ୟା ଗୁଲାବ ଆଣି ନପାରେ ବଡ ପବନ । ହେଲେ ଲ୍ୟାଣ୍ଡଫଲ ସମୟରେ ଗଞ୍ଜାମ ଓ ଗଜପତିରେ ପବନର ବେଗ ଘଂଟାପ୍ରତି ୭୦ କିଲୋମିଟର ରହିବ । ଏପରିକି ୯୫ କିଲୋମିଟର ବେଗରେ ପବନର ଝଟକା ଅନୁଭୂତ ହୋଇପାରେ । ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ପବନର ବେଗ କମିଯିବ । ତେବେ ୩ଟି ଦିଗ ଉପରେ ନଜର ରଖାଯାଇଥିବା କହିଛନ୍ତି ଏସଆରସି ପ୍ରଦୀପ କୁମାର ଜେନା । ପବନ, ବର୍ଷା ସାଙ୍ଗକୁ ଭୂସ୍ଖଳନ ଉପରେ ନଜର ରଖାଯାଇଛି ।