କନକ ବ୍ୟୁରୋ : ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ଏପର୍ଯ୍ୟନ୍ତ ୟୁକ୍ରେନ ରାଜଧାନୀ କିବରୁ ପ୍ରାୟ ସସସ୍ତ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିବା ବୈଦେଶିକ ମନ୍ତ୍ରାଳୟ ସୂଚନା ଦେଇଛି । ସେପଟେ କେନ୍ଦ୍ରମନ୍ତ୍ରୀମାନେ ୟୁକ୍ରେନ ପଡୋଶୀ ଦେଶରେ ପହଞ୍ଚି ଫସିରହିଥିବା ଛାତ୍ରଛାତ୍ରୀଙ୍କ ସ୍ଥିତି ପରଖିଛନ୍ତି । ପିଲାଙ୍କ ସହ ଆଲୋଚନା କରି ସେମାନଙ୍କ ମନୋବଳ ବଢାଇଛନ୍ତି । ସେପଟେ ତୁରନ୍ତ ୟୁକ୍ରେନର ଖାରକିବରେ ଥିବା ଭାରତୀୟଙ୍କୁ ସେସହର ଛାଡିବାକୁ ନିର୍ଦ୍ଦେଶ ଦେଇଛି ଭାରତୀୟ ଦୂତାବାସ ।
ୟୁକ୍ରେନରେ ରୁଷୀୟ ସେନାଙ୍କ ଆତଙ୍କ ଜାରି ରହିଛି । ଦିନକୁ ଦିନ ପରିସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ ହେବାରେ ଲାଗିଛି । ଏଭଳି ସଙ୍କଟାପନ୍ନ ପରିସ୍ଥିତିରେ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଅଣ୍ଟା ଭିଡିଛନ୍ତି କେନ୍ଦ୍ର ସରକାର । ୟୁକ୍ରେନ ପଡୋଶୀ ଦେଶ, ପୋଲାଣ୍ଡ, ରୋମାନିଆ, ସ୍ଲୋଭାକିଆ ଓ ହଙ୍ଗେରୀରେ ପହଞ୍ଚି ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି କେନ୍ଦ୍ର କ୍ୟାବିନେଟର ୪ଜଣ ମନ୍ତ୍ରୀ । ରୋମାନିଆ ବୁକାରେଷ୍ଟ ଏୟାରପୋର୍ଟରେ ଫସିରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଭେଟି ସେମାନଙ୍କ ସମସ୍ୟା ବୁଝିଛନ୍ତି କେନ୍ତ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଏୟାରପୋର୍ଟରେ ପିଲାଙ୍କ ଖାଦ୍ୟପାନୀୟ କଥା ନିଜେ ବୁଝିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାସହ ସେମାନଙ୍କୁ ଖୁବଶୀଘ୍ର ଭାରତ ଫେରାଇନେବାକୁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ସିନ୍ଧିଆ ।
ସେପଟେ ୟୁକ୍ରେନ ରାଜଧାନୀ କିଭରୁ ସମସ୍ତ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିବା ବୈଦେଶିକ ମନ୍ତ୍ରାଳୟ ସୂଚନା ଦେଇଛି । ବର୍ତମାନ ପର୍ଯ୍ୟନ୍ତ ୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ଭାରତ ଫେରିସାରିଲେଣି । ବିମାନବନ୍ଦରରେ ପିଲାଙ୍କୁ ପୁଲତୋଡା ଦେଇ ସ୍ୱାଗତ ମଧ୍ୟ କରାଯାଇଛି । ପୋଲାଣ୍ଡରୁ ଭାରତୀୟଙ୍କୁ ନେଇ ଫେରିଥିବା ଏକ ସ୍ୱତନ୍ତ୍ର ବିମାନରେ ପହଞ୍ଚି ସେମାନଙ୍କୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ୪ଟି ଭାଷାରେ ସ୍ମୃତି ଇରାନୀ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଛନ୍ତି । ସେପଟେ ୟୁକ୍ରେନରେ ଫସି ରହିଥିବା ପିଲାଙ୍କୁ ଉଦ୍ଧାର କରିବାପାଇଁ ବାୟୁସେନାର ସ୍ୱତନ୍ତ୍ର ବିମାନ ସି-ସେଭେନଟିନ୍ ଗ୍ଲୋବ ମାଷ୍ଟରକୁ ମଧ୍ୟ ନିୟୋଜିତ କରାଯାଇଛି । ଦିନକୁ ଦିନ ୟୁକ୍ରେନରେ ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି । ରୁଷ ସେନାର ବର୍ବରତାର ଶିକାର ହେଉଛନ୍ତି ସାଧାରଣ ନାଗରିକ । ଖୁବଶୀଘ୍ର ସ୍ଥିତି ସାଧାରଣ ହେବ ବୋଲି ଆଶା କରାଯାଉଛି ।