ଲଣ୍ଡନ ପାଇଁ ବିପଦ ଆଣିଲାଣି ୟୁରୋ କପ୍ । କୋଭିଡ୍ ନିୟମ ନ ମାନି ଷ୍ଟାଡିଅମରେ ଦର୍ଶକଙ୍କ ଭିଡ ବଢିବା ନେଇ ଚିନ୍ତା ।

182

କନକ ବ୍ୟୁରୋ: କରୋନାର ଦ୍ୱିତୀୟ ଲହର ଫିକା ପଡିବା ସହ ୟୁରୋପରେ ଅନୁଷ୍ଠିତ ହୋଇଛି ୟୁରୋ କପ-୨୦୨୦ । ଆଉ ଏହି ସମୟରେ ଷ୍ଟାଡିଅମରେ ଦେଖିବାକୁ ମିଳୁଛି ପ୍ରଶଂସକଙ୍କ ଖଚାଖଚ ଭିଡ । ଖାଲି ସେତିକି ନୁହେଁ ରାସ୍ତାରେ ମଧ୍ୟ ଫୁଟବଲ ପ୍ରେମୀଙ୍କ ଜବରଦସ୍ତ ଉତ୍ସବ ଦେଖିବାକୁ ମିଳିଛି । ଯାହା କରୋନାର ତୃତୀୟ ଲହରକୁ ଖୋଲା ନିମନ୍ତ୍ରଣ କରିଛି ।

ୟୁରୋ କପ ଫାଇନାଲ ପୂର୍ବରୁ ଷ୍ଟାଡିୟମ ବାହାରେ ହଜାର ହଜାର ସଂଖ୍ୟାରେ ଫୁଟବଲ ପ୍ରେମୀଙ୍କ ଭିଡ ଦେଖିବାକୁ ମିଳିଛି । ଭିଡ ଏପରି ଯେ, ରାସ୍ତାରେ ପାଦ ରଖିବା ପାଇଁ ସ୍ଥାନ ନାହିଁ । ଏଠି ଯେପରି ଲୋକଙ୍କ ମନରେ କରୋନା ଭୟ ନାହିଁ । ସମସ୍ତେ ଫୁଟବଲ ମ୍ୟାଚର ମଜା ନେବା ପାଇଁ ତତ୍ପର । କରୋନାର ସବୁ ନିୟମକୁ ଖୋଲାଖୋଲି ଉଲଂଘନ କରାଯାଇଛି ଏଠି । ଇଂଲଣ୍ଡ ୟୁରୋ କପର ସେମି ଫାଇନାଲ ମ୍ୟାଚ ଜିତିବା ପରେ ଫୁଟବଲ ପ୍ରେମୀ ରାସ୍ତାକୁ ଓହ୍ଲାଇ ଉତ୍ସବ ମନାଇବାର ଏହି ଖବର କରୋନାର ତୃତୀୟ ଲହରକୁ ଖୋଲା ନିମନ୍ତ୍ରଣ ଦେଇଛି । କରୋନା କାଳରେ ୟୁରୋ କପ୍ର ଆୟୋଜନ ଆଉ ତା ଉପରେ କୋଭିଡ୍ ନିୟମାବଳୀର ଉଲ୍ଲଂଘନ ଆଗକୁ ବଡ ସମସ୍ୟା ଆଣିପାରେ । ୟୁରୋ କପ୍ ପାଇଁ ତୃତୀୟ ଲହରର ବେଗ ବଢିପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ରବିବାର ଇଂଲଣ୍ଡରେ ୟୁରୋ କପ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଇଟାଲୀ ଓ ଇଂଲଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଯାହାକୁ ନେଇ ଟିକେଟ ଦାମ ବଢିଯାଇଛି । ଏପରିକି ବ୍ଲାକରେ ମଧ୍ୟ ଟିକେଟ ବିକ୍ରି ହେଉଛି । ଇଂଲଣ୍ଡ ଫାଇନାଲ ଖେଳିବାକୁ ଥିବାରୁ ପ୍ରଶଂସକଙ୍କ ଭିତରେ ଏଭଳି ଉତ୍ସାହ ରହିଛି ୟୁରୋ କପ ଫାଇନାଲକୁ ନେଇ । ମାତ୍ର କୋଭିଡ୍ କଟକଣାର ଖୋଲାଖୋଲି ଉଲ୍ଲଂଘନ ୟୁରୋ କପ୍କୁ ନେଇ ଚିନ୍ତା ବଢାଇ ଦେଇଛି । ୟୁରୋ କପ୍ ଶେଷ ହେବା ସହ ତୃତୀୟ ଲହରର ଆଗମନ ହେବ ବୋଲି ଅନେକ ବିଶେଷଜ୍ଞ ମତ ଦେଇଛନ୍ତି ।

ସେପଟେ ୟୁରୋ କପ୍ ଉପରେ ବି କରୋନା ସଂକଟ ଦେଖା ଦେଇଛି । ଇଂଲଣ୍ଡର ୨ ଜଣ ଖେଳାଳୀ କରୋନା ଭୂତାଣୁରେ ଆକ୍ରାନ୍ତ ହେବାପରେ ସେମାନଙ୍କୁ ସଂଗରୋଧରେ ରଖାଯାଇଛି । ସ୍କଟଲ୍ୟାଣ୍ଡର ଜଣେ ଖେଳାଳୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ଯେଉଁଠି ଖେଳାଳୀ ସଂକ୍ରମିତ ହେଲେଣି, ସେଠାରେ ସାଧାରଣ ଲୋକଙ୍କ ଅବସ୍ଥା କଣ ହେବ ଭିଡକୁ ଦେଖି ସହଜରେ ଅନୁମାନ କରିଯାଇପାରେ । ତେବେ ଇଂଲଣ୍ଡରେ କରୋନା ନିରୋଧି ଟୀକାକରଣ ବେଶ ଦ୍ରୁତ ଗତିରେ କରାଯାଉଛି । ଦେଶରେ ୫୦ ପ୍ରତିଶତରୁ ଅଧିକ ଲୋକ କରୋନା ଟିକାର ଦୁଇଟି ଯାକ ଡୋଜ୍ ନେଇ ସାରିଲେଣି । ଯାହା ଏକ ସକରାତ୍ମକ ସୂଚନା । ତଥାପି କରୋନା ସଂକଟକୁ ଏଭଳି ହାଲକା ଭାବେ ନେବା ଆଦୌ ସଠିକ୍ ନୁହେଁ ।