ବଢୁଛି ଇରାନ-ଆମେରିକା ମଧ୍ୟରେ କଳି: ଇରାନକୁ ବୁଝାଇବାକୁ ୟୁରୋପୀୟ ସଂଘର ଉଦ୍ୟମ, ଶାନ୍ତି ପାଇଁ ଅପିଲ; ସକ୍ରିୟ ହେଲେ ଋଷ-ଚୀନ

ଆମେରିକାର ଆକ୍ରମଣ ପରେ ରକେଟ୍ ମାଡ କରିଥିଲା ଇରାନ; ଜବାବ ଦେବାକୁ କଡା ଚେତାବନୀ ଦେଇଥିଲେ ଟ୍ରମ୍ପ

777

କନକ ବ୍ୟୁରୋ: ଆମେରିକା ଆକ୍ରମଣରେ ଇରାନର କମାଣ୍ଡର କାସିମ ସୁଲେମାନିର ମୃତ୍ୟୁ ପରେ ମଧ୍ୟ-ପ୍ରାଚ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ଦେଖାଦେଇଛି । ଜବାବରେ ବାଗଦାଦର ଆମେରିକା ଦୂତାବାସ ଉପରେ ରକେଟ ମାଡ କରିଛି ଇରାନ । ଏହାପରେ ଟ୍ରମ୍ପ ବି ଚେତାବନୀ ଦେଇଛନ୍ତି । ଏଭଳି ପରିସ୍ଥିତିରେ ସକ୍ରିୟ ହୋଇଛି ୟୁରୋପୀୟ ସଂଘ । ସଂପୃକ୍ତ ଅଂଚଳରେ ଶାନ୍ତି ପାଇଁ ଅପିଲ କରିଛି ସଂଘ । ୟୁରୋପୀୟ ସଂଘର ବୈଦେଶିକ ନୀତି ପ୍ରମୁଖ ଦୁଇ ଦେଶ ମଧ୍ୟରେ ଶାନ୍ତି ପାଇଁ ଅପିଲ କରିଛନ୍ତି । ଇରାନର ବୈଦେଶିକ ମନ୍ତ୍ରୀଙ୍କୁ ବ୍ରସେଲଶରେ ସାକ୍ଷାତ କରିବା ପରେ ଏ ନେଇ ୟରୋପୀୟ ସଂଘର ବୈଦେଶିକ ନୀତି ପ୍ରମୁଖ ଟ୍ୱିଟ କରି ଦୁଇଦେଶ ମଧ୍ୟରେ ଶାନ୍ତି ପାଇଁ ଅପିଲ କରିଛନ୍ତି ।

ଇରାନ ଓ ଜାତିସଂଘ ସୁରକ୍ଷା ସଦସ୍ୟ ରାଷ୍ଟ ମଧ୍ୟରେ ହୋଇଥିବା ଆଣବିକ ଚୁକ୍ତି ପାଳନ କରିବାକୁ ବି ପରାମର୍ଶ ଦେଇଛନ୍ତି । ସୁରକ୍ଷା ପରିଷଦରେ ବ୍ରିଟେନ, ପ୍୍ରାଂନ୍ସ, ଚୀନ, ଋଷ ଓ ଆମେରିକା ଭଳି ଦେଶ ଅଛନ୍ତି । ଏହି ଚୁକ୍ତିରେ ଇରାନକୁ ଆଣବିକ ଅସ୍ତ୍ରଶସ୍ତ୍ର ରଖିବା ଉପରେ ଜାରି କଟକଣାକୁ କୋହଳ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ୨୦୧୫ରେ ଏହି ପ୍ରସ୍ତାବ ଆଗକୁ ବଢିଥିଲା । ତେବେ ୨୦୧୮ରେ ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା ପରେ ଏହାକୁ ପ୍ରସ୍ତାବକୁ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଓ ଇରାନ ଉପରେ ଅନେକ ପ୍ରତିବନ୍ଧକ ଲଗାଇଥିଲେ ।  ସେପଟେ ଚୀନର ବୈଦେଶିକ ମନ୍ତ୍ରୀ ୱାଂଶିଟନକୁ ପରାମର୍ଶ ଦେଇ କହିଛନ୍ତି, ଆମେରିକା ଏହାର ସୈନ୍ୟଶକ୍ତି ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ । ଏ ନେଇ ସେ ଋଷର ବୈଦେଶିକ ମନ୍ତ୍ରୀ ସହ କଥା ହୋଇଛନ୍ତି । ପ୍ରାଂନ୍ସର ରାଷ୍ଟ୍ରପତି ମଧ୍ୟ-ପ୍ରାଚ୍ୟ ସ୍ଥିତି ନେଇ ଋଷ ଓ ତୁର୍କୀର ରାଷ୍ଟ୍ରପତିଙ୍କ ସହ ପୃଥକ ପୃଥକ ଆଲୋଚନା କରିଛନ୍ତି । ବ୍ରିଟେନର ବୈଦେଶିକ ଦୂତ ବି ଉଭୟ ଦେଶ ଶାନ୍ତି ରଖିବାକୁ ଅପିଲ କରିଛନ୍ତି । ସେ କହିଛନ୍ତି, ସଂଘର୍ଷ କାହାର ହିତରେ ନାହିଁ । ସେପଟେ ସିରିଆ ଘଟଣା ପାଇଁ ଆମେରିକାକୁ ଦାୟୀ କରି ନିନ୍ଦା କରିଛି ।

ଇରାକରେ ଥିବା ଆମେରିକାର ଦୁତାବାସ ଉପରେ ଇରାନ ରକେଟ ମାଡ କରିବା ପରେ ରଣହୁଙ୍କାର ଦେଇଛି ଆମେରିକା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୋଲା ଚେତାବନୀ ଦେଇ କହିଛନ୍ତି, ଆମେରିକୀୟ ସେନା ଇରାନର ୫୨ଟି ସ୍ଥାନକୁ ଚିହ୍ନଟ କରିଛି । ଆଉ ଯଦି ଇରାନ ଆମେରିକାର କୌଣସି ସମ୍ପତି ବା ନାଗରିକ ଉପରେ ଆକ୍ରମଣ କରେ ତେବେ ଏହି ସବୁ ଠିକଣା ଉପରେ ଜୋରଦାର ଓ ବିଧ୍ୱଂସକ ଆକ୍ରମଣ କରିବ ।

ଆମେରିକା ଆଉ କାହାର ଧମକକୁ ବରଦାସ୍ତ କରିପାରିବନାହିଁ । ଟ୍ରମ୍ପ ନିଜ କଥାକୁ ଅଧିକ ପ୍ରଭାବଶାଳୀ ଭାବେ ଦର୍ଶାଇବା ପାଇଁ ନିଜ ଟୁଇଟରେ କ୍ୟାପିଟାଲ ଅକ୍ଷରର ବ୍ୟବହାର କରିଛନ୍ତି । ସେ ଲେଖିଛନ୍ତି ଇରାନ ଉପରେ ଖୁବ୍ଶୀଘ୍ର ଓ ଜୋରଦାର ଆକ୍ରମଣ କରାଯିବ । ଇରାକ ସ୍ଥିତ ଆମେରିକୀ ଦୂତାବାସ ଓ ବଲାଦ ସୈନ୍ୟ କ୍ୟାମ୍ପ ଉପରେ ଇରାନ ରକେଟ ମାଡ କରିବା ପରେ ଟ୍ରମ୍ପ ଏହି ବୟାନ ଦେଇଛନ୍ତି । ଭାରତୀୟ ସମୟ ମୁତାବକ ଶନିବାର ପ୍ରାୟ ଅଧରାତିରେ ବାଗଦାଦସ୍ଥିତ ଆମେରିକୀ ଦୂତାବାସ ଓ ବଲାଦ ଏୟାର ବେସ ଉପରେ ଇରାନ ସମର୍ଥକ ମିଲିସିଆ ରକେଟ୍ ମାଡ କରିଥିଲେ ।