କନକ ବ୍ୟୁରୋ: ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ପାଇଁ ବଢିଲା ଅଡୁଆ । ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ମହୁଆ ମୋଇତ୍ରଙ୍କ ସଂସଦ ସଦସ୍ୟତା ରଦ୍ଦ କରିବା ପାଇଁ ଲୋକସଭା ସଦାଚାର କମିଟି ସୁପାରିଶ କରିଛି । ଏହି ଅଭିଯୋଗର ତଦନ୍ତ ଓ ଜେରା ପ୍ରକ୍ରିୟା ପରେ ସଦାଚାର କମିଟି ୫ ଶହ ପୃଷ୍ଠାର ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଏଥିରେ ମହୁଆଙ୍କ କାମକୁ ଘୋର ଆପତିଜନକ, ଅନୈତିକ ଏବଂ ଅପରାଧିକ ବୋଲି ବର୍ଣ୍ଣନା କରାଯାଇଛି । ଏହାସହ ତାଙ୍କ ସଦସ୍ୟତା ରଦ୍ଦ କରାଯିବା ଉଚିତ୍ ବୋଲି କୁହାଯାଇଛି । ସଦାଚାର କମିଟିର ଏହି ପଦକ୍ଷେପ ମହୁଆଙ୍କ ପାଇଁ ଅଡୁଆ ବଢାଇଛି ।

Advertisment

ଅନ୍ୟପଟେ ମହୁଆ ମୋଇତ୍ରଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରିବାକୁ ଲୋକପାଳ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ବିଜେପି ସାଂସଦ ନିଶିକାନ୍ତ ଦୁବେ ଏନେଇ ନିଜ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି । ବ୍ୟବସାୟୀ ଦର୍ଶନ ହୀରାନନ୍ଦରନୀଙ୍କ ଠାରୁ ଟଙ୍କା ନେଇ ମହୁଆ ସଂସଦରେ ଆଦାନି ପ୍ରସଙ୍ଗରେ ପ୍ରଶ୍ନ ପଚାରିଥିବା ଅଭିଯୋଗ ଆଣିଥିଲେ ନିଶିକାନ୍ତ । ଏନେଇ ସଂସଦର ଏଥିକ୍ସ କମିଟି ମହୁଆଙ୍କୁ ଜେରା କରିବା ପରେ ଏବେ ମାମଲାରେ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଲୋକପାଳ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକସଭା ସଂସଦୀୟ ଲଗଇନ ସେୟାର କରି ମହୁଆ ଜାତୀୟ ନିରାପତା ସହ ବୁଝମଣା କରିଛନ୍ତି । ଲୋକପାଳ ମାମଲାକୁ ଗମ୍ଭୀରତାର ସହ ନେଇ ସିବିଆଇ ଯାଞ୍ଚ ନିର୍ଦ୍ଦେଶ ଦେଇଥିବା ବେଳେ ମହୁଆଙ୍କୁ ତୁରନ୍ତ ସଂସଦରୁ ନିଲମ୍ବନ କରିବାକୁ ନିଶିକାନ୍ତ ଦାବି କରିଛନ୍ତି । ଏହା ପୂର୍ବରୁ ମହୁଆ ସଂସଦର ଏଥିକ୍ସ କମିଟି ନିକଟରେ ହାଜର ହୋଇଥିଲେ ମଧ୍ୟ ଅଶାଳୀନ ପ୍ରଶ୍ନ ପଚାରାଯିବା ଅଭିଯୋଗ ଆଣି ଅଧାରୁ ଉଠି ଆସିଥିଲେ ।