ଆଜି ଭାରତରେ ଲଞ୍ଚ ହେବ ଇଥାନଲ କାର

ପେଟ୍ରୋଲ ନୁହେଁ ଜୈବ ଇନ୍ଧନରେ ଚାଲିବ

168

ଆଜି ଭାରତରେ 100% ଇଥାନଲ ଚାଳିତ ଟୟୋଟା ଇନୋଭା ଗାଡି ଲଞ୍ଚ ହେବାକୁ ଯାଉଛି ।

ଆଜକୁ ପ୍ରାୟ 50 ବର୍ଷ ତଳର କଥା । 1973 ମସିହା  ଆରବ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ହୋଇଥିଲା । ସାଉଦି ଆରବ ଇସ୍ରାଏଲକୁ ସମର୍ଥନ କରୁଥିବା ଆମେରିକା ସମେତ ଅନେକ ପାଶ୍ଚାତ୍ୟ ଦେଶକୁ ପେଟ୍ରୋଲିୟମ ଯୋଗାଣ ବନ୍ଦ କରିଦେଇଥିଲା । ଏହା ସମଗ୍ର ବିଶ୍ୱରେ ତୈଳବଜାରରେ ଏକ ଅସନ୍ତୁଳନ ସୃଷ୍ଟି କଲା ।  ଏହି ସମୟରେ ବ୍ରାଜିଲ ପେଟ୍ରୋଲ ଏବଂ ଡିଜେଲ ବଦଳରେ ଇଥାନଲକୁ ଇନ୍ଧନ ଭାବରେ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଥିଲା । ଆଜି ବ୍ରାଜିଲ ତୈଳ ଦୃଷ୍ଟିରୁ ଏକ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ ଦେଶ ହୋଇପାରିଛି ।

ଆମେ ଇଥାନଲ ଏବଂ ବ୍ରାଜିଲର ଏହି କଥା ଏଇଥିପାଇଁ କହୁଛୁ ଯେ ଆଜି ଭାରତରେ 100% ଇଥାନଲ ଚାଳିତ ଟୟୋଟା ଇନୋଭା ଗାଡି ଲଞ୍ଚ ହେବାକୁ ଯାଉଛି । ଇଥାନଲ ଇନ୍ଧନର ଅନ୍ୟ ଏକ ବୈଶିଷ୍ଟ୍ୟ ହେଉଛି ଏହା ତେଲ କୂପରୁ ନୁହେଁ ବରଂ କୃଷକଙ୍କ କ୍ଷେତରୁ ଆସିଥାଏ । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଦାବି କରିଛନ୍ତି ଯେ ଇଥାନଲ ଯୋଗୁଁ ଆଗାମୀ ସମୟରେ ପେଟ୍ରୋଲର ମୂଲ୍ୟ ଲିଟର 15 ଟଙ୍କା ପର୍ଯ୍ୟନ୍ତ କମ୍ ହୋଇପାରେ।

ବ୍ରାଜିଲ ଓ ଇଥାନଲର କାହାଣୀ

6 ଅକ୍ଟୋବର 1973 ର କଥା । ପ୍ରଥମେ ଇଜିପ୍ଟ ଏବଂ ସିରିଆ ଇସ୍ରାଏଲ ଉପରେ ଆକ୍ରମଣ କଲେ। ଏହାକୁ ମିଶାଇ ଆରବ ଦେଶମାନଙ୍କ ସହିତ ଇସ୍ରାଏଲର ଯୁଦ୍ଧ ଦ୍ୱିତୀୟ ଥର ପାଇଁ ଆରମ୍ଭ ହେଲା । ମିଶର ସମେତ 8 ଟି ଆରବ ଦେଶ ଯଥା ଜୋର୍ଡାନ, ଇରାକ, କୁଏତ, ସାଉଦି ଆରବ, ସିରିଆ, ସୁଦାନ ଏବଂ ଆଲଜେରିଆ ମଧ୍ୟ ଇସ୍ରାଏଲ ଉପରେ ଏହି ଆକ୍ରମଣରେ ସାମିଲ ଥିଲେ ।  ଇସ୍ରାଏଲ ଏହି ଯୁଦ୍ଧକୁ ମାତ୍ର 6 ଦିନରେ ହିଁ ବିଜୟ ଲାଭ କରିଥିଲା ।  କ୍ରୋଧରେ ସାଉଦି ଆରବ ସମେତ ଅନ୍ୟ ଆରବ ଦେଶମାନେ ଇସ୍ରାଏଲ ସମେତ ଆମେରିକା, କାନାଡା ଏବଂ ନେଦରଲ୍ୟାଣ୍ଡ ଭଳି ୟୁରୋପୀୟ ଦେଶମାନଙ୍କୁ ତେଲ ରପ୍ତାନି ବନ୍ଦ କରିଦେଲେ। ସତୁରୀ ଦଶକର ଆରବ ଦେଶଗୁଡିକର ଏହି ନିଷ୍ପତ୍ତି ବିଶ୍ବ ତୈଳ ଯୋଗାଣ ଶୃଙ୍ଖଳରେ ଏକପ୍ରକାର ଅସମାନତା ସୃଷ୍ଟି କରିଥିଲା ​​।  ଏହା ବ୍ରାଜିଲକୁ ମଧ୍ୟ ପ୍ରଭାବିତ କରିଥିଲା ​​। 1975 ରେ ବ୍ରାଜିଲ ତେଲରେ ଆତ୍ମନିର୍ଭରଶୀଳ ହେବା ପାଇଁ ‘ନ୍ୟାସନାଲ ଆଲକୋହଲ ପ୍ରୋଗ୍ରାମ’ ଆରମ୍ଭ କଲା ।  ବ୍ରାଜିଲ ପ୍ରଥମେ ଆଖୁରୁ ଇଥାନଲ ତିଆରି କରିବା ଆରମ୍ଭ କଲା । ଫିଆଟ୍, ଭୋଲ୍ସୱେଗେନ୍, ଜିଏମ୍ ଏବଂ ଫୋର୍ଡ ଭଳି କମ୍ପାନୀଗୁଡିକ ଇଥାନଲରେ ଚାଲୁଥିବା ଯାନ ତିଆରି କରିବା ଆରମ୍ଭ କରିଥିଲେ । ଜୁଲାଇ 1979 ରେ ପ୍ରଥମ Fiat 147 କାର ଲଞ୍ଚ କରିଥିଲା ଯାହାକି ଏକ ସମ୍ପୂର୍ଣ୍ଣ ଇଥାନଲ ଚାଳିତ କାର ଥିଲା । ମାତ୍ର 6 ବର୍ଷ ମଧ୍ୟରେ ବ୍ରାଜିଲ୍ କମ୍ପାନୀଗୁଡିକ 100ଟି କାରରୁ  75ଟି ଏପରି କାର ତିଆରି କରିପାରିଥିଲେ ଯାହା ସମ୍ପୂର୍ଣ୍ଣ ଭାବରେ ଇଥାନଲରେ ଚାଲିଥାଏ । ୱାର୍ଲ୍ଡ ୱାଇଲ୍ଡ ଲାଇଫ ଫଣ୍ଡର ଏକ ଅଧ୍ୟୟନ ଅନୁଯାୟୀ 2030 ସୁଦ୍ଧା ବ୍ରାଜିଲର ତୈଳ ଚାହିଦାର 72% ଜୈବ ଇନ୍ଧନ ହେବ ବୋଲି ଆକଳନ କରାଯାଇଛି । ଇଥାନଲ ଇନ୍ଧନ ଶିଳ୍ପରେ ଭାରତ ବର୍ତ୍ତମାନ ପ୍ରବେଶ କରିଛି ।

ଇଥାନଲ କ’ଣ ଏବଂ ଏହା କିପରି ତିଆରି ହୁଏ?

ଇଥାନଲ ହେଉଛି ଏକ ପ୍ରକାର ଆଲକୋହଲ  ଯାହା ଆଖୁ ରସ ଏବଂ ମକା, ପଚା ଆଳୁ, କାଜୁ ଏବଂ ପଚାସଢା ପନିପରିବା ଠାରୁ ପ୍ରସ୍ତୁତ ହୁଏ । ଏହିସବୁ ଜିନିଷର ଷ୍ଟାର୍କ ଏବଂ ଚିନିର ମିଶ୍ରିତ ପ୍ରକ୍ରିୟାକରଣରୁ ଇଥାନଲ ନିର୍ମିତ ହୁଏ ଏବଂ ଏହାକୁ ପେଟ୍ରୋଲ ସହିତ ମିଶାଇ ଜୈବ ଇନ୍ଧନ ଭାବରେ ବ୍ୟବହାର କରାଯାଏ ।

ଏଗୁଡ଼ିକ ମୁଖ୍ୟତ ତିନି ପ୍ରକାରର…

1-  1G ଇଥାନଲ: ପ୍ରଥମ ଜେନେରେସନ ଇଥାନଲ ଆଖୁ ରସ, ମିଠା ବିଲାତି, ପଚା ଆଳୁ, ମିଠା ସୋରିଷ ଏବଂ ମକାରୁ ତିଆରି ହୁଏ ।

2-  2G ଇଥାନଲ୍: ଦ୍ୱିତୀୟ ଜେନେରେସନ ଇଥାନଲ୍ ସେଲୁଲୋଜ୍ ଏବଂ ଲିଗ୍ନୋସେଲୁଲୋଜିକ୍ ସାମଗ୍ରୀ ଯଥା  ଚାଉଳ ଚୋପା(କୁଣ୍ଡା), ଗହମ ଚୋପା(ଚୋକଡ), ମକା ଚୋପା, ବାଉଁଶ ଏବଂ ବାଉଁଶ ଜାତୀୟ ବିଭିନ୍ନ ପ୍ରକାର ଘାସର ଜୈବରୁ ତିଆରି ହୋଇଥାଏ ।

3-  3G ଜୈବ ଇନ୍ଧନ: ତୃତୀୟ ଜେନେରେସନ ଜୈବଇନ୍ଧନ ଶୈଳୀରେ ପ୍ରସ୍ତୁତ ହେବ । ବର୍ତ୍ତମାନ ତାଉପରେ ଅନୁସନ୍ଧାନ ଚାଲିଛି ।

ଭାରତ ସରକାରଙ୍କ ଇଥାନଲ ସମ୍ବନ୍ଧରେ ଯୋଜନା 2021-22 ମସିହାରେ ଭାରତ ଏହାର ଶକ୍ତି ଆବଶ୍ୟକତାକୁ ପୂରଣ କରିବା ପାଇଁ 86% ଇନ୍ଧନ ଆମଦାନି କରିଥିଲା ​​। ଏହି ନିର୍ଭରଶୀଳତାକୁ ହ୍ରାସ କରିବାକୁ ଭାରତ ସରକାର E20 ଯୋଜନା ଆରମ୍ଭ କରିଛନ୍ତି। ସରକାର ବର୍ତ୍ତମାନ E20 ଫ୍ଲେକ୍ସ ଇନ୍ଧନରେ ପେଟ୍ରୋଲରେ 20% ଇଥାନଲ ମିଶ୍ରଣ କରିବାର ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି । ଏହି କାରଣରୁ ଅନ୍ୟ ଦେଶରୁ କମ୍ ତେଲ ଆମଦାନୀ କରିବାକୁ ପଡ଼ିବ ।  ଏତିକି ନୁହେଁ ଏହାଦ୍ବାରା ବାର୍ଷିକ 33 ହଜାର କୋଟିରୁ ଅଧିକ ଟଙ୍କା ସଞ୍ଚୟ ହେବ। ଭାରତ ସରକାର 2025-26 ସୁଦ୍ଧା ସମଗ୍ର ଦେଶରେ E20 ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି।

11 ଜୁଲାଇ 2023 ରେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ ବର୍ତ୍ତମାନ E20 ପେଟ୍ରୋଲ 1350 ପେଟ୍ରୋଲ ପମ୍ପରେ ଉପଲବ୍ଧ ହେଉଛି ଏବଂ 2025 ସୁଦ୍ଧା ସାରା ଦେଶରେ ଏହା ଉପଲବ୍ଧ କରିବାକୁ ମୋଦି ସରକାର ଯୋଜନା କରିଛନ୍ତି ।

କେଉଁ ଯାନଗୁଡିକ ଇଥାନଲ ସହିତ ମିଶ୍ରିତ E20 ଫ୍ଲେକ୍ସ ଇନ୍ଧନ ବ୍ୟବହାର କରିପାରିବେ?

ଇଥାନଲରୁ ନିର୍ମିତ ପେଟ୍ରୋଲ ସମସ୍ତ ନୂତନ ମଡେଲ ଯାନରେ ବ୍ୟବହୃତ ହେଇପାରିବ । କାରଣ ହେଉଛି ଆମ ଏଠାରେ ଉତ୍ପାଦିତ ଅଧିକାଂଶ ଯାନରେ BS-4 ରୁ BS-6 ପର୍ଯ୍ୟାୟ ଇଞ୍ଜିନ ବ୍ୟବହର ହେଉଛି । ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ ଅଧୀନରେ କେନ୍ଦ୍ର ସରକାର E20ପେଟ୍ରୋଲ ପାଇଁ ଇଞ୍ଜିନ ତିଆରି କରିବାକୁ ଇଞ୍ଜିନ ନିର୍ମାତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ 3.50 ଟଙ୍କା ହ୍ରାସ ହେଇପାରେ

ଶକ୍ତି ବିଶେଷଜ୍ଞ ନରେନ୍ଦ୍ର ତାନେଜା କହିଛନ୍ତି ଯେ E20 ଯୋଜନା ଅନୁଯାୟୀ କେବଳ ପେଟ୍ରୋଲ ସହିତ ଇଥାନଲ ମିଶ୍ରିତ ହେଉଛି। ଏହା ଲିଟର ପିଛା ମୂଲ୍ୟ 3.50 ଟଙ୍କା ହ୍ରାସ କରିବାର ସମ୍ଭାବନା ରହିଛି। ତଥାପି ଏହା ସବୁ ତୈଳ କମ୍ପାନୀ ଉପରେ ନିର୍ଭର କରେ ।