କନକ ନ୍ୟୁଜରେ ଖବର ପ୍ରସାରଣ ପରେ ବାଟକୁ ଆସିଲା ଏସପ୍ଲାନେଡ୍ । ନୋଟିସ ଜାରିକଲା ବିଡିଏ, ବନ୍ଦ ହେଲା ବେଆଇନ୍ ପାର୍କିଂ ଫି’ ଆଦାୟ ।

293

କନକ ବ୍ୟୁରୋ : କନକ ନ୍ୟୁଜରେ ବାରମ୍ବାର ଖବର ପ୍ରସାରଣ ପରେ ଭୁବନେଶ୍ୱରର ଏସପ୍ଲାନେଡ୍ ମଲକୁ ନୋଟିସ୍ ଜାରି କରିଛି ବିଡିଏ । ଏବଂ ନୋଟିସ ପରେ ପାର୍କିଂ ଫାସିଲିଟେସନ୍ ଚାର୍ଜ ନାଁରେ ଟଙ୍କା ନେବା ବନ୍ଦ କରିଛି ଏସପ୍ଲାନେଡ୍ । ସେପଟେ ଆଜି ଏସପ୍ଲାନେଡ୍ ସମେତ ୧୪ଟି ମଲ୍ ଓ ହସ୍ପିଟାଲକୁ ନୋଟିସ୍ କରାଯାଇଛି ।

ବାଟକୁ ଆସିଲା ଏସପ୍ଲାନେଡ୍ । ନୋଟିସ ଜାରିକଲା ବିଡିଏ । ବନ୍ଦ ହେଲା ନୂଆ ଷ୍ଟାଇଲରେ ପାର୍କିଂ ଫି’ ଆଦାୟ । ମଲ୍ ଗୁଡିକରେ ପାର୍କିଂ ଫି’ ଆଦାୟକୁ ବିଡିଏ ବେଆଇନ୍ ଦର୍ଶାଇବା ପରେ ନୂଆ ଷ୍ଟାଇଲରେ ପାର୍କିଂ ଫି’ ନେଉଥିଲା ଏସପ୍ଲାନେଡ୍ । ପାର୍କିଂ ଫି’ ନୁହେଁ, ଫାସିଲିଟିସେନ୍ ଚାର୍ଜ ଆଦାୟ କରାଯାଉଛି ବୋଲି ଯୁକ୍ତି ବାଢୁଥିଲା ଏହି ମଲ୍ । କନକ ନ୍ୟୁଜ ଏହି ଖବର ପ୍ରସାରଣ କରିବା ପରେ ବିଡିଏ ଜାରି କରିଛି ନୋଟିସ୍ ।

ଏହା ହେଉଛି, ଭୁବନେଶ୍ୱରର ଏସପ୍ଲାନେଡ୍ ୱାନ୍ ମଲକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଦେଇଥିବା ନୋଟିସ୍ । ବିଡିଏ ପକ୍ଷରୁ ୧୬ ତାରିଖରେ ପ୍ରକାଶ ପାଇଥିବା ନିର୍ଦ୍ଦେଶ ଅନୁଯାୟୀ ତୁରନ୍ତ ପାର୍କିଂ ଫି ଆଦାୟ କରିବା ବନ୍ଦ ନକଲେ କି କାର୍ଯ୍ୟାନୁଷ୍ଠାନ ନିଆଯିବ ନୋଟିସରେ ଦର୍ଶାଯାଇଛି । ଏପରି ଫି’ ଆଦାୟ ବିଲଡିଂ ପ୍ଲାନ୍ ଅନୁମୋଦନ ନିୟମକୁ ଉଲ୍ଲଂଘନ କରୁଥିବା କୁହାଯାଇଛି ।

ଯଦି ନୋଟିସ୍ ପାଇବାର ୭ ଦିନ ଭିତରେ ପାର୍କିଂ ଫି ନେବା ବନ୍ଦ ନ କରନ୍ତି, ତେବେ ସଂପୃକ୍ତ ମଲ୍ ବା ହସ୍ପିଟାଲ ବିରୋଧରେ ଓଡିଏ ଆକ୍ଟ, ୧୯୮୨ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଦରକାର ପଡ଼ିଲେ ସେହି ବିଲଡିଂ ପ୍ଲାନକୁ ପ୍ରତ୍ୟାହାର କରିନିଆଯିବା ସହ ଅକୁପାନସି ସାର୍ଟିଫିକେଟ୍ ମଧ୍ୟ ପ୍ରତ୍ୟାହାର କରିନିଆଯିବ ବୋଲି ଚେତାବନୀ ଦିଆଯାଇଛି । ପାର୍କି ଫି’ କିମ୍ବା ଫ୍ୟାସିଲିଟେସନ୍ ଚାର୍ଜ ଭଳି ଅନ୍ୟ କୌଣସି କାରଣ ଦର୍ଶାଇ ଲୋକଙ୍କ ଠାରୁ ଟଙ୍କା ନିଆଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରିଛି ବିଡିଏ ।

ଏସପ୍ଲାନେଡ୍ ସମେତ ୧୪ଟି ସପିଂ ମଲ୍, ହସ୍ପିଟାଲ ଆଦିକୁ ନୋଟିସ୍ ପଠାଇଛି ବିଡିଏ । ଭୁବନେଶ୍ୱରର ଫୋରମ୍ ମାର୍ଟ, ଭବାନୀ କମର୍ସିଆଲ୍ ଏନକ୍ଲେଭ, ଆପୋଲୋ ହସ୍ପିଟାଲ, କଳିଙ୍ଗ ହସ୍ପିଟାଲ୍ ଓ ପାହାଳର ପାଲ୍ ମନ୍ତ୍ରା ଭଳି ବଡ଼ ବଡ଼ ଅନୁଷ୍ଠାନକୁ ନୋଟିସ ଦିଆଯାଇଛି । ପାର୍କିଂ ଫି’ର ନାଁ ବଦଳାଇ ଫାସିଲିଟେସନ୍ ଚାର୍ଜ ଆକାରରେ ଏସପ୍ଲାନେଡ୍ ଟଙ୍କା ନେଉଥିବା ଖବର, କନକ ନ୍ୟୁଜ୍ ପ୍ରସାରଣ କରିଥିଲା । ବାରମ୍ବାର ଖବର ପ୍ରସାରଣ ପରେ ସଂପୃକ୍ତ ମଲକୁ ନୋଟିସ କରାଯାଇଛି ।