ବଲିଉଡରେ କାଷ୍ଟିଂ କାଉଚ୍ ନେଇ ଅଭିନେତ୍ରୀ ଇଶା ଗୁପ୍ତାଙ୍କ ବଡ ବୟାନ । ଇଣ୍ଟରୁଭ୍ୟରେ କହିଲେ ଏମିତି କଥା…

294

କନକ ବ୍ୟୁରୋ: ବଲିଉଡ୍ ଅଭିନେତ୍ରୀ ଇଶା ଗୁପ୍ତାଙ୍କୁ ଆପଣ ଭଲ ଭାବେ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ଜନ୍ନତ-୨ ଜରିଆରେ ବଲିଉଡରେ ଏଣ୍ଟ୍ରି ମାରିଥିଲେ । ଆଉ ଏହା ପଛକୁ ରାଜ-ଥ୍ରୀ, ହମସକଲ, ରୁସ୍ତମ, ପଲଟନ ଓ ବାଦଶାହା ଭଳି ଫିଲ୍ମରେ ମଧ୍ୟ ତାଙ୍କର ଅଭିନୟର ଜଲୱା ଦେଖିବାକୁ ମିଳିଥିଲା । ଦୀର୍ଘ ବର୍ଷ ଧରି ଏବେ ଇଶା ଗୁପ୍ତା ବଲିଉଡରେ ସକ୍ରିୟ ଅଛନ୍ତି । ହେଲେ ବଲିଉଡ୍ ବବଲ୍ ନାମକ ଏକ ଗଣମାଧ୍ୟମକୁ ଇଶା ଦେଇଥିବା ଏକ ଇଣ୍ଟରଭ୍ୟୁ ଏବେ ତାଙ୍କୁ ଚର୍ଚ୍ଚାକୁ ଟାଣିଆଣିଛି ।

ଇଶା ଏହି ଇଣ୍ଟରଭ୍ୟୁରେ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ ଦିନର କଥା ବଖାଣିଛନ୍ତି । ଯେଉଁଥିରେ ତାଙ୍କୁ କିଭଳି କାଷ୍ଟିଂ କାଉଚର ଶିକାର ହେବାକୁ ପଡିଥିଲା ତାହା ସେ କହିଛନ୍ତି । ତେବେ ଇଶାଙ୍କ କହିବା ମୁତାବକ, ସେ ଜଣେ ଫିଲ୍ମ ପ୍ରଡ୍ୟୁସରଙ୍କ ସହ ଶୋଇବାକୁ ମନା କରିବାରୁ, ସେହି ପ୍ରଡ୍ୟୁସର ଜଣକ ତାଙ୍କ ସହିତ କାମ କରିବାକୁ ମନା କରିବା ସହିତ ତାଙ୍କୁ ଫିଲ୍ମର ଅଧାରୁ ବାହାର କରିଦେବାକୁ ଧମକ ଦେଇଥିଲେ ।

ତେବେ ଖାଲି ସେତିକି କଥା ନୁହେଁ, ଇଶା ଆହୁରି ମଧ୍ୟ କହିଛନ୍ତି ଯେ, ଆରମ୍ଭ ଦିନରୁ ତାଙ୍କୁ ମେକଆପ୍ ଆର୍ଟିଷ୍ଟଙ୍କ ସହ ରୁମ୍ ସେୟାର କରି ରହିବାକୁ ପଡୁଥିଲା । ଏହାର କାରଣ ଥିଲେ ସେହି ପ୍ରଡ୍ୟୁସର ଜଣକ । ସେ କେବେ ସେହି ଫିଲ୍ମରେ ବାହାରିଯିବେ ବୋଲି ତାଙ୍କର ଭୟ ରହିଥିଲା ବୋଲି ଇଶା ବଲିଉଡ୍ ବବଲ୍ ନାମକ ଗଣମାଧ୍ୟମ ସଂସ୍ଥାକୁ ଇଣ୍ଟରୁଭ୍ୟ ଦେଇ କହିଛନ୍ତି । ତେବେ ସେହି ପ୍ରଡ୍ୟୁସର ଜଣକ କିଏ ସେ ନେଇ କୌଣସି ସୂଚନା ଦେଇନାହାଁନ୍ତି ଇଶା ଗୁପ୍ତା ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏପରି ସମୟରେ ଫିଲ୍ମର ନିର୍ଦ୍ଦେଶକ ତାଙ୍କୁ ବେଶ ସାହାର୍ଯ୍ୟ କରିଥିଲେ । ଯେତେବେଳେ ପ୍ରଡ୍ୟୁସର ଜଣକ ଇଶାଙ୍କୁ ଫିଲ୍ମରୁ ବାହାର କରିବାକୁ ଚିନ୍ତା କରୁଥିଲେ, ସେତେବେଳେ ସେହି ଫିଲ୍ମର ନିର୍ଦ୍ଦେଶକ ଇଶାଙ୍କ ସପକ୍ଷରେ ରହିଥିଲେ । ଯେଉଁ କାରଣରୁ ସେ ସୌଭାଗ୍ୟବଶତଃ ସେହି ଫିଲ୍ମରେ ଶେଷ ପର୍ଯ୍ୟନ୍ତ କାମ କରିପାରିଥିଲେ ବୋଲି ଇଶା କହିଛନ୍ତି । ତେବେ ବଲିଉଡରେ କାଷ୍ଟିଂ କାଉଚକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ । ଆଉ ଇଶାଙ୍କ ଏହି ଇଣ୍ଟରଭ୍ୟୁ ଏବେ ଏହି କଥାକୁ ପୁଣି ଚର୍ଚ୍ଚାକୁ ଆଣିଛି ।